ନୂଆଦିଲ୍ଲୀ, ୧୨/୦୩ : ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । କେବେ ସ୍ୱାଭାବିକ ହେବ ହୋର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ? ଇରାନୀ ସେନା ଏହାକୁ ଅଚଳ କରି ରଖିଥିବାରୁ ବିଶ୍ୱବ୍ୟାପୀ ଶକ୍ତି ସଂକଟ ଦେଖାଦେଇଛି । ରନ୍ଧନ ଗ୍ୟାସ୍ ପାଇଁ ସବୁଠାରେ ଏବେ ହାହାକାର ସ୍ଥିତି । ଆମେରିକାର ଆର୍ଥିକ କଟକଣାରେ ଏକଦା ଦୁର୍ବଳ ହୋଇପଡ଼ିଥିବା ଇରାନ ଆଜି ହୋର୍ମୁଜ ପ୍ରଣାଳୀକୁ ମୁଖ୍ୟ ଅସ୍ତ୍ର କରି ସମଗ୍ର ବିଶ୍ୱକୁ ଡରାଉଛି । ସ୍ଥିତି ବେଳକୁ ବେଳ ସଙ୍ଗିନ ହେବାରେ ଲାଗିଛି । ୩୩ କିଲୋମିଟରର ହୋର୍ମୁଜ ପ୍ରଣାଳୀ ଓମାନ ଓ ଇରାନ ମଧ୍ୟରେ ରହିଛି । କିନ୍ତୁ ଏହି ୩୩ କିମି ମଧ୍ୟରୁ ପ୍ରାୟ ୩ କିମି ହିଁ ଜାହାଜ ଚଳାଚଳ ପାଇଁ ଉପଯୁକ୍ତ ଜଳମାର୍ଗ । ଏହି ଜଳମାର୍ଗ ପର୍ସିଆନ ଗଲ୍ଫକୁ ଓମାନ ଉପସାଗର ଏବଂ ଆରବ ସାଗରକୁ ଯୋଡ଼ୁଛି । ଯୋଗକୁ ଏହି ସଂକୀର୍ଣ୍ଣ ମାର୍ଗଟି ଇରାନ ଅଧୀନରେ ରହିଛି ।
ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଇରାନ ଏହି ମାର୍ଗକୁ ବନ୍ଦ କରିଦେଇଛି । ଏହି ବାଟ ଦେଇ ଯିବା କୌଣସି ଜାହାଜ ପକ୍ଷେ ଆଉ ସମ୍ଭବ ହେଉନାହିଁ । ଏହାଯୋଗୁ ବିଶ୍ୱରେ ଶକ୍ତି ମରୁଡ଼ି ସ୍ଥିତି ଉପୁଜିଛି। ଇରାନ ଯଦି ଜିଦରେ ଅଟଳ ରହି ହୋର୍ମୁଜକୁ ନ ଖୋଲେ, ତେବେ ସ୍ଥିତି ଭୟାନକ ପାଲଟିବ । ଏଭଳି ସ୍ଥିତିରେ ଆମେରିକୀୟ ନୌସେନାର ହସ୍ତକ୍ଷେପ ଜରୁରି ହୋଇପଡ଼ିଛି । ଏହା ହିଁ ହୋର୍ମୁଜ ମାର୍ଗରେ ଜାହାଜ ଚଳାଚଳକୁ ସୁଗମ କରିପାରିବ ବୋଲି କୁହାଯାଉଛି । କିନ୍ତୁ ଅଦ୍ୟାବଧି ଏହା ବି ସାହସ ଜୁଟାଇ ପାରିନାହିଁ । ସମ୍ଭାବ୍ୟ ଇରାନୀ ସେନାର ପ୍ରଚଣ୍ଡ ଆକ୍ରମଣରୁ ବର୍ତ୍ତିବା ପାଇଁ ଏହାର କୌଣସି ବିମାନବାହୀ ଯୁଦ୍ଧ ଜାହାଜ ହୋର୍ମୁଜର ପାଖ ମାଡ଼ି ପାରୁନାହିଁ । ଇରାନୀ ସେନାର ସକ୍ରିୟ ଉପସ୍ଥିତି ହୋର୍ମୁଜ ପ୍ରଣାଳୀକୁ ‘ମୃତ୍ୟୁ ଉପତ୍ୟକା’ରେ ପରିଣତ କରିଛି । ଆମେରିକା ଭଳି ପ୍ରତିରକ୍ଷା ଶକ୍ତି ରାଷ୍ଟ୍ର ଏହାକୁ ଚ୍ୟାଲେଞ୍ଜ ଦେଇପାରୁ ନାହିଁ ।
ଏହି ଖବରଟିକୁ ପଢନ୍ତୁ- ଯଦି ତେଲ ପରିବହନ ପାଇଁ ହର୍ମୁଜ୍ ପ୍ରଣାଳୀ ବନ୍ଦ ହୋଇଯାଏ, ତେବେ ଏହି ବିପଦପୂର୍ଣ୍ଣ ରାସ୍ତା ଦେଇ ଭାରତରେ ପହଞ୍ଚିବ ଜାହାଜ
ରିପୋର୍ଟ ଅନୁସାରେ, ହୋର୍ମୁଜ ପ୍ରଣାଳୀକୁ ସୁରକ୍ଷା ଯୋଗାଇବାକୁ ଆମେରିକୀୟ ନୌସେନା ସାହସ କରିପାରୁ ନାହିଁ । କାରଣ ଏହି କ୍ଷେତ୍ରରେ ଇରାନ ବେଶ୍ ପ୍ରଭାବୀ ରହିଛି । ସମୁଦ୍ର ତଳେ ଇରାନ ବିପୁଳ ମାତ୍ରାରେ ବୋମା ଖଞ୍ଜିଛି । ବିସ୍ଫୋରକ ଭର୍ତ୍ତି ଆତ୍ମଘାତୀ ବୋଟ୍ ମାଳ ମାଳ ହୋଇ ବୁଲୁଛି । ଏମିତିକି ତଟଭିତ୍ତିକ ମିସାଇଲ୍ ବ୍ୟାଟେରି ମଧ୍ୟ ଖଞ୍ଜାଯାଇଛି । ରିଭଲ୍ୟୁସନାରି ଗାର୍ଡର ଏହି ଆକ୍ରାମକ ପ୍ରସ୍ତୁତି ହିଁ ଆମେରିକୀୟ ନୌସେନା ପାଇଁ ଚ୍ୟାଲେଞ୍ଜ ସାଜିଛି । ଆମେରିକାର ଶକ୍ତିଶାଳୀ ବିମାନବାହୀ ଯୁଦ୍ଧ ଜାହାଜ ୟୁଏସ୍ଏସ୍ ଆବ୍ରାହମ୍ ଲିଙ୍କନ୍ ଇରାନ ଉପରେ ଆକ୍ରମଣ ଲାଗି ପ୍ରସ୍ତୁତ ଅଛି । କିନ୍ତୁ ହୋର୍ମୁଜ ମାର୍ଗରେ ଏହା ଆକ୍ରାମକ ହୋଇପାରି ନାହିଁ । ଆମେରିକୀୟ ଜାହାଜ ବର୍ତ୍ତମାନ ପ୍ରଣାଳୀର ଅଧିକ ବିପଦପୂର୍ଣ୍ଣ ମାର୍ଗ ନିକଟକୁ ଯିବାକୁ ଚାହୁଁନାହିଁ ।
ଗୁଇନ୍ଦା ସୂତ୍ର ମୁତାବକ, ଇରାନ ବର୍ତ୍ତମାନ ମନସ୍ତାତ୍ତ୍ୱିକ ଖେଳ ଖେଳୁଛି । ଉପସାଗରରେ ପ୍ରବେଶ କରୁଥିବା କୌଣସି ଜାହାଜକୁ ଏହା ଟାର୍ଗେଟ୍ କରିବ ନାହିଁ । ବରଂ ତୈଳ ଭର୍ତ୍ତି କରି ଫେରିବା ବେଳକୁ ଏହା ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇବ । ସଦ୍ୟ ଘଟଣାରେ ହୋର୍ମୁଜରେ ଭାରତମୁହାଁ ଥାଇ ଜାହାଜକୁ ହମ୍ଲା କରାଯାଇଛି । ବିଶ୍ଳେଷକଙ୍କ ମୁତାବକ, ଇରାନ ବର୍ତ୍ତମାନ ହୋର୍ମୁଜ ପ୍ରଣାଳୀରେ ଏଲ୍ପିଜି ଟ୍ୟାଙ୍କରଗୁଡ଼ିକୁ ଟାର୍ଗେଟ୍ କରିବ । ଯାହା ଦ୍ୱାରା ଏହା ‘ବିରୁଟ ବୋମା’ ଭଳି ବିସ୍ଫୋରଣ ହେବ । ପରିବେଶ ଉପରେ ଏହା ସାଙ୍ଘାତିକ ପ୍ରଭାବ ପକାଇବ । ତୈଳ ଶିଳ୍ପର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ହୋର୍ମୁଜ ପ୍ରଣାଳୀକୁ ସୁଗମ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି । ଆମେରିକୀୟ ନୌସେନା ଯେ ପର୍ଯ୍ୟନ୍ତ ଏହି ମାର୍ଗ ଦେଇ ଅବାଧ ଜାହାଜ ଚଳାଚଳକୁ ସୁନିଶ୍ଚିତ ନ କରିଛି, ସେଯାଏ ବିଶ୍ୱ ଅର୍ଥନୀତି ଏହି ୨୧ ମାଇଲ ମାର୍ଗ (ହୋର୍ମୁଜ) ନିକଟରେ ବନ୍ଧକ ରହିବ ।