ନୂଆଦିଲ୍ଲୀ, ୫।୩: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଆମେରିକା-ଇସ୍ରାଏଲ୍ ଆକ୍ରମଣରେ ପ୍ରାଣ ହରାଇଥିବା ୮୬ ବର୍ଷୀୟ ଖାମେନେଇଙ୍କୁ ଇରାନର ସବୁଠାରୁ ପବିତ୍ର ସହର ମସହଦରେ ସୁପୁର୍ଦ୍ଦ-ଏ-ଖାକ୍ ବା କବର ଦିଆଯିବ । ଉତ୍ତର-ପୂର୍ବ ଇରାନର ମସହଦ ସହର ଜନ୍ମସ୍ଥାନରେ ଖାମେନେଇଙ୍କର ଅନ୍ତିମ ସଂସ୍କାର ସ୍ଥାନ ହେବ । ଇରାନ ସମୟ ଅନୁସାରେ ଆଜି ରାତି ୧୦ଟାରୁ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହେବ । ଇମାମ ଖୁମେନି ମସଜିଦରେ ୩ ଦିନ ଧରି ବିଦାୟ ସମାରୋହ ଅନୁଷ୍ଠିତ ହେବ ।

୩୬ ବର୍ଷର ଶାସନର ଅନ୍ତ:

୧୯୭୯ର ଇସଲାମିକ କ୍ରାନ୍ତି ପରେ ଖାମେନେଇ ଇରାନର ଦ୍ୱିତୀୟ ସର୍ବୋଚ୍ଚ ନେତା ଭାବେ ୩୬ ବର୍ଷ ଧରି ଦେଶର ନେତୃତ୍ୱ ନେଇଥିଲେ । ପ୍ରତିରକ୍ଷା, ଅର୍ଥନୀତି ଓ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ତାଙ୍କର ଏକଚାଟିଆ ଅଧିକାର ଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ 'ଟ୍ରୁଥ୍ ସୋସିଆଲ୍' ମାଧ୍ୟମରେ ତାଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଥିଲେ । ମସହଦ ହେଉଛି ଇରାନର ଦ୍ୱିତୀୟ ବୃହତ୍ତମ ସହର ଏବଂ ଶିଆ ମୁସଲମାନମାନଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥଳ । ଏଠାରେ ଥିବା ଇମାମ ରଜାଙ୍କ ଦରଗାକୁ ପ୍ରତିବର୍ଷ କୋଟି କୋଟି ଶ୍ରଦ୍ଧାଳୁ ଆସନ୍ତି । ନିଜର ଜନ୍ମମାଟି ତଥା ଏହି ପବିତ୍ର ସ୍ଥାନରେ ହିଁ ଖାମେନେଇଙ୍କୁ ବିଦାୟ ଦେବାକୁ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି ।

ଏହା ବି ପଢ଼ନ୍ତୁ... ନେପାଳ ସାଧାରଣ ନିର୍ବାଚନ ୨୦୨୬: ଆରମ୍ଭ ହେଲା ମତଦାନ, ମୈଦାନରେ ୬୫୦୦ରୁ ଅଧିକ ପ୍ରାର୍ଥୀ

ଏହି ସମୟରେ, ଇସ୍ରାଏଲୀ ଗଣମାଧ୍ୟମ ଦାବି କରିଛି ଯେ ଆୟାତୋଲ୍ଲା ଖାମେନିଙ୍କ ପୁଅ ମୋଜତାବାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ମନୋନୀତ କରାଯାଇଛି । ରିପୋର୍ଟ ଅନୁଯାୟୀ, ଇରାନର ବିଧାନସଭା ଖୁବ୍ଶୀଘ୍ର ମୋଜତାବା ଖାମେନେଇଙ୍କ ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରିପାରେ । ତଥାପି ଏନେଇ କୌଣସି ସରକାରୀ ଘୋଷଣା କରାଯାଇନାହିଁ । ମୋଜତାବା ତାଙ୍କ ବାପାଙ୍କ କାର୍ଯ୍ୟାଳୟ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଇରାନର ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏବଂ କୁଦସ୍ ଫୋର୍ସର ଶୀର୍ଷ ନେତୃତ୍ୱ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି । ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ମୋଜତାବା ତାଙ୍କ ବାପାଙ୍କ ତୁଳନାରେ ଅଧିକ ମୌଳବାଦୀ ମତ ରଖିଛନ୍ତି ଏବଂ ପ୍ରଦର୍ଶନକାରୀଙ୍କ ଉପରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ପଛରେ ଥିଲେ । ଆମେରିକା ନଭେମ୍ବର ୨୦୨୯ରେ ମୋଜତାବାଙ୍କ ଉପରେ ମଧ୍ୟ କଟକଣା ଲଗାଇଥିଲା ।

ଆମେରିକାର ଟ୍ରେଜେରୀ ଡିପାର୍ଟମେଣ୍ଟ ଅନୁଯାୟୀ, ମୋଜତାବାଙ୍କୁ କେବେବି କୌଣସି ସରକାରୀ ପଦବୀରେ ନିଯୁକ୍ତି ଦିଆଯାଇନଥିଲା, ତଥାପି ସେ ଆନୁଷ୍ଠାନିକ ଭାବରେ ସର୍ବୋଚ୍ଚ ନେତାଙ୍କ ପ୍ରତିନିଧିତ୍ୱ କରୁଥିଲେ । ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ, ଖାମେନେଇଙ୍କ ସ୍ଥାନରେ ଯେକୌଣସି ଇରାନୀ ନେତାଙ୍କୁ ଟାର୍ଗେଟ୍ କରାଯିବ । “ତାଙ୍କ ନାଁ ଯାହା ହେଉ କିମ୍ବା ସେ ଯେଉଁଠାରେ ଲୁଚି ରହୁ, ଆମେ ଆମର ଆମେରିକୀୟ ସହଯୋଗୀଙ୍କ ସହିତ କାମ କରି ଇରାନୀ ଶାସନର କ୍ଷମତାକୁ ନଷ୍ଟ କରିବା ପାଇଁ ପୂର୍ଣ୍ଣ ବଳ ସହିତ କାର୍ଯ୍ୟ କରିବୁ ।”

ମଧ୍ୟ-ପ୍ରାଚ୍ୟରେ ଅଶାନ୍ତି:

ଖାମେନେଇଙ୍କ ମୃତ୍ୟୁ ପରେ ମଧ୍ୟ-ପ୍ରାଚ୍ୟରେ ସ୍ଥିତି ଅଧିକ ସଙ୍ଗୀନ ହୋଇଛି । ରିପୋର୍ଟ ଅନୁସାରେ ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଆମେରିକାର ଆକ୍ରମଣର ଜବାବରେ ଇରାନ ମଧ୍ୟ ବିଭିନ୍ନ ଆରବ ଦେଶରେ ଥିବା ଆମେରିକା ଘାଟିକୁ ଟାର୍ଗେଟ୍ କରି ମିସାଇଲ୍ ମାଡ଼ ଜାରି ରଖିଛି ।