ନୂଆଦିଲ୍ଲୀ, ୫।୩ : ନେପାଳର ରାଜନୈତିକ ଇତିହାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଦେଶରେ ଆଜିଠାରୁ ସାଧାରଣ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ବର୍ଷ ସେପ୍ଟେମ୍ବର ୨୦୨୫ରେ ହୋଇଥିବା ଭୟଙ୍କର 'ଜେନ୍-ଜେଡ୍' ଆନ୍ଦୋଳନ ପରେ ଏହା ହେଉଛି ପ୍ରଥମ ନିର୍ବାଚନ, ଯେଉଁଠି ଜନତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । କହିରଖୁଛୁ ଯେ, ଗତ ବର୍ଷ ଜେନ୍-ଜେଡ୍ଙ୍କ ଆନ୍ଦୋଳନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ସତ୍ତା ଛାଡ଼ିବାକୁ ପଡ଼ିଥିଲା । ଏହି ହିଂସାରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଆହତ ହୋଇଥିଲେ । ବିକ୍ଷୋଭକାରୀମାନେ ସଂସଦ ଭବନ ଓ ସରକାରୀ କୋଠାରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଲି ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଲା କାର୍କୀଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯାଇଥିଲା ଏବଂ ସଂସଦ ଭଙ୍ଗ କରି ନୂତନ ନିର୍ବାଚନ ଘୋଷଣା କରାଯାଇଥିଲା ।

ଏହା ବି ପଢ଼ନ୍ତୁ... ଗୋଟିଏ ବି ଗୁଳି ଚଳାଇବାର ଆବଶ୍ୟକତା ନାହିଁ, ଇରାନର ଏହି ନିଷ୍ପତ୍ତିରେ ମୁଣ୍ଡ ନୁଆଁଇବ ଆମେରିକା, ଶୋଷରେ ମରିଯିବେ ପୂରା ଉପସାଗରୀୟ ଦେଶ...​​​​​​​

ନେପାଳରେ ମୋଟ୍ ଭୋଟର ପ୍ରାୟ ୧.୮୯ କୋଟିରୁ ଅଧିକ । ୬୫୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ! ନିର୍ବାଚନ କମିଶନଙ୍କ ଅନୁଯାୟୀ, ଏହି ନିର୍ବାଚନରେ ୧୮.୯ ନିୟୁତରୁ ଅଧିକ ପଞ୍ଜୀକୃତ ଭୋଟର ଭୋଟ ଦେବାକୁ ଯୋଗ୍ୟ । ଏଥିରେ ପ୍ରାୟ ୯.୬୬ ନିୟୁତ ପୁରୁଷ ଏବଂ ୯.୨୪ ନିୟୁତ ମହିଳା ଅନ୍ତର୍ଭୁକ୍ତ । FPTP ସିଷ୍ଟମରେ ମୋଟ୍ ୩,୪୦୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଅନ୍ୟପଟେ ଆନୁପାତିକ ପ୍ରତିନିଧିତ୍ୱ ସିଷ୍ଟମ ପାଇଁ ୩,୧୩୫ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଛି । ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ କମିଶନ ସମସ୍ତ ନାଗରିକଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ସୁରୁଖୁରରେ ମତଦାନ ପ୍ରକ୍ରିୟା ଜାରି ରହିବା ପାଇଁ ନେପାଳ ସେନା ସମେତ ୩ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଭୋଟ୍ ଶେଷ ହେବା ମାତ୍ରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ଭୋଟ୍ ଗ୍ରହଣର ୨୪ ଘଣ୍ଟା ପରେ ରେଜଲ୍ଟ ଆସିବ । ଦୁର୍ଗମ ଅଞ୍ଚଳରୁ ବାଲଟ୍ ବକ୍ସ ଆଣିବା ପାଇଁ ହେଲିକପ୍ଟରର ସହାୟତା ନିଆଯାଉଛି । କାର୍ଯ୍ୟକାରୀ ନିର୍ବାଚନ କମିଶନର ରାମ ପ୍ରସାଦ ଭଣ୍ଡାରୀ ଜନସାଧାରଣଙ୍କୁ ଉତ୍ସାହର ସହ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ।

ପରିବର୍ତ୍ତନ ଚାହୁଁଛନ୍ତି ଯୁବପିଢ଼ି:

ଏହି ନିର୍ବାଚନରେ ଯୁବପିଢ଼ି ବା 'ଜେନ୍-ଜେଡ୍' ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି । ଦୁର୍ନୀତି ମୁକ୍ତ ଶାସନ, ନିଯୁକ୍ତି ଏବଂ ସ୍ୱଚ୍ଛତା ସେମାନଙ୍କର ମୁଖ୍ୟ ଦାବି । ବାଲେନ ଶାହଙ୍କ ଭଳି ଯୁବ ନେତା ଏବେ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଥିବା ବେଳେ ଓଲିଙ୍କ ଭଳି ପୁରୁଣା ନେତାଙ୍କ ସାଙ୍ଗରେ ସେମାନଙ୍କର କଡ଼ା ଟକ୍କର ହେଉଛି ।