ନୂଆଦିଲ୍ଲୀ, ୧୪/୦୩ : ଚରମ ସୀମାରେ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ। ଆମେରିକାର ଆକ୍ରମଣ ପରେ ଇରାନର ପ୍ରତିଆକ୍ରମଣ। ସାଉଦି ଆରବ ସ୍ଥିତ ପ୍ରିନ୍ସ ସୁଲତାନ ଏୟାରବେସ୍ ରେ ତେହରାନର ବୋମା ବର୍ଷା। ଏହି ଆକ୍ରମଣରେ ଆମେରିକା ବାୟୁସେନାର ୫ ଏୟାର ଟ୍ୟାଙ୍କର ବିମାନ କ୍ଷତିଗ୍ରସ୍ତ ହୋଇଛି। ବିମାନ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନଷ୍ଟଭ୍ରଷ୍ଟ ହୋଇଯାଇଛି। ଏହି ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନାହିଁ।

ଏହା ପୂର୍ବରୁ, ଇରାନର କ୍ରାଉନ ଜୁଏଲ ଖାର୍ଗ ଦ୍ଵୀପରେ ଆମେରିକା ଜୋରଦାର୍ ଆକ୍ରମଣ କରିଥିଲା। ଖାର୍ଗ ଦ୍ଵୀପରେ ଥିବା ସାମରିକ ଲକ୍ଷ୍ୟସ୍ଥଳୀକୁ ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ ଧ୍ଵଂସ କରିଥିଲା। ମଧ୍ୟପ୍ରାଚ୍ୟ ଇତିହାସରେ ସବୁଠାରୁ ଶକ୍ତିଶାଳୀ ବୋମା ହମଲା ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଆମେରିକୀୟ ସେନାର ଖାର୍ଗ ଦ୍ୱୀପରେ ସମ୍ପୂର୍ଣ୍ଣ ତୈଳ ଭିତ୍ତିଭୂମିକୁ ଧ୍ୱଂସ କରିବାର କ୍ଷମତା ଥିଲା, କିନ୍ତୁ ସେମାନେ ଏପରି କଲେ ନାହିଁ। ହୋର୍ମୁଜରେ ବାଧାଦେଲେ ତୈଳ ଅନୁଷ୍ଠାନକୁ ଆକ୍ରମଣ କରାଯିବ। ଏହା ସହ ପ୍ରତି ଆକ୍ରମଣ କଲେ ତେହେରାନରେ ଆହୁରି ଘାତକ ଆକ୍ରମଣ କରାଯିବ।.

ସୂଚନା ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲ ମିଶି ଇରାନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ଘଟିଥିଲା। ଇରାନ ଇସ୍ରାଏଲ ଏବଂ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ଘାଟି ଉପରେ ବୋମା ପକାଇ ପ୍ରତିଶୋଧ ନେଇଥିଲା। ଯାହା ଫଳରେ ଦୀର୍ଘ ୧୫ ଦିନ ହେବ ବାରୁଦ ଗଦାରେ ମଧ୍ୟପ୍ରାଚ୍ୟ ଠିଆ ହୋଇଛି। ସାରା ବିଶ୍ଵ ଉପରେ ଏହାର ପ୍ରଭାବ ପଡ଼ିଛି।

ଏହି ଖବରଟିକୁ ପଢନ୍ତୁ- ଭୀଷଣ ହେଲା ମଧ୍ୟପ୍ରାଚ୍ୟ ଯୁଦ୍ଧ : ଖାର୍ଗ ଦ୍ଵୀପରେ ଆମେରିକାର ଜୋରଦାର୍ ଆକ୍ରମଣ, ଇରାନର ସମସ୍ତ ସୈନ୍ୟ ଠିକଣା ଧ୍ଵଂସ