ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗକୁ ନେଇ ଯୁଦ୍ଧ କରୁଥିବା ଇସ୍ରାଏଲ୍ ପାଇଁ ଏବେ ଏକ ନୂତନ ସମସ୍ୟା ଉପୁଜିଛି । ନିକଟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପାଇଁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଏହି ପ୍ରସଙ୍ଗରେ ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନେଇ କହିଛନ୍ତି ଯେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପାଇଁ ଗିରଫଦାରୀ ପର୍ଯ୍ୟାପ୍ତ ନୁହେଁ। ତାଙ୍କୁ ମୃତ୍ୟୁଦଣ୍ଡ ମିଳିବା ଉଚିତ୍ । 

ସୋମବାର ଖାମେନେଇ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) କର୍ମକର୍ତ୍ତାଙ୍କୁ ଦେଇଥିବା ଭାଷଣରେ କହିଛନ୍ତି ଯେ, ଗିରଫ ୱାରେଣ୍ଟ ବଦଳରେ ନେତାନ୍ୟାହୁଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ । ଅନ୍ତର୍ଜାତୀୟ କ୍ରମିନାଲ କୋର୍ଟ (ଆଇସିସି) ନେତାନ୍ୟାହୁ ଏବଂ ଇସ୍ରାଏଲର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ବିରୋଧରେ ଗାଜା ପଟ୍ଟିରେ ଇସ୍ରାଏଲର କାର୍ଯ୍ୟକଳାପକୁ ନେଇ ଗିରଫ ଓ୍ବାରେଣ୍ଟ ଜାରି କରିବାର କିଛି ଦିନ ପରେ ଖାମେନେଇଙ୍କ ଏହି ମନ୍ତବ୍ୟ ଆସିଛି । ତାଙ୍କୁ ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୋଧରେ ଅପରାଧ କରାଯାଇଥିବା ଅଭିଯୋଗ ହୋଇଛି।

ଇରାନ ଆମେରିକା ଏବଂ ଇସ୍ରାଏଲକୁ ମଧ୍ୟ ଏହାର ଶତ୍ରୁ ଭାବରେ ବିବେଚନା କରେ। ଏହା ଇସ୍ରାଏଲର ବିନାଶ ପାଇଁ ପ୍ରତିଶ୍ରୁତି ବଦ୍ଧ । ଆଇଆରଜିସିର ବାସିଜ ଶାଖାକୁ ଦେଇଥିବା ଭାଷଣରେ ଖାମେନେଇ କହିଛନ୍ତି ଯେ ଆଇଆରଜିଟିସି ଶେଷରେ ଗୋଟିଏ ଦିନରେ ଜିଓନିଷ୍ଟ ଶାସନକୁ ଧ୍ୱଂସ କରିବ। ଖାମେନେଇ ଆହୁରି କହିଛନ୍ତି ଯେ ଇସ୍ରାଏଲ ଯୁଦ୍ଧରେ ଜିତୁନାହିଁ, କିନ୍ତୁ ଏହାର କାର୍ଯ୍ୟ ଇରାନର ପ୍ରତିରୋଧ କାର୍ଯ୍ୟକୁ ମଜବୁତ କରୁଛି । 

ଖାମେନେଇ ପାର୍ସୀ ଭାଷାରେ କହିଛନ୍ତି ଯେ, ଗାଜା ଏବଂ ଲେବାନନରେ ଲୋକଙ୍କ ଘରେ ବୋମା ପକାଇବା ବିଜୟ ନୁହେଁ । ଏମାନେ ମୂର୍ଖ । ସେମାନେ ଲୋକଙ୍କ ଘର, ଡାକ୍ତରଖାନା ଏବଂ ଲୋକଙ୍କ ସଭା ଉପରେ ବୋମା ପକାଇଛନ୍ତି, ଆଉ ସେମାନେ ଜିତିଛନ୍ତି । ନା, ଏହାକୁ ଏକ ବିଜୟ ବୋଲି କେହି ଭାବନ୍ତି ନାହିଁ । ଗାଜା ଏବଂ ଲେବାନନରେ ଶତ୍ରୁ ଜିତି ନାହାଁନ୍ତି।