ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଆମେରିକାର ବଡ଼ ପଦକ୍ଷେପ ପରେ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ଆମେରିକା ଇରାନର ତିନୋଟି ପରମାଣୁ କେନ୍ଦ୍ର ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ଉପରେ ବୋମା ମାଡ଼ କରିଛି। ଯାହା ପରେ ଇରାନ ବୈଶ୍ୱିକ ସମର୍ଥନ ପାଇବା ପାଇଁ ରୁଷିଆ ଆଡକୁ ମୁହଇଁବା ଆରମ୍ଭ କରିଛି। ରୁଷିଆର ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ତଥା ପୁଟିନଙ୍କ ଘନିଷ୍ଠ ସହଯୋଗୀ ଡିମିତ୍ରି ମେଦଭେଦେଭ ଏକ ବୟାନରେ ଇଙ୍ଗିତ ଦେଇ କହିଛନ୍ତି ଯେ କେତେକ ଦେଶ ଇରାନକୁ ପରମାଣୁ ଅସ୍ତ୍ର ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି।
ମେଦଭେଦେଭ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ ଆମେରିକାର ଆକ୍ରମଣ ନା କେବଳ ବିଫଳ ହୋଇଛି ତାହା ନୁହେଁ, ବରଂ ଏହା ଆମେରିକାକୁ ଓଲଟା ଫଳ ଦେଇଛି। ସେ ଦାବି କରିଛନ୍ତି ଯେ ଇରାନର ପରମାଣୁ ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଅଂଶ ଅବକାଠାମୋ ଅକ୍ଷୁଣ୍ଣ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଇରାନ କରୁଥିବା ପରମାଣୁ ପଦାର୍ଥର ସମୃଦ୍ଧିକରଣ ବିଷୟରେ ଏବେ ଖୋଲାଖୋଲି କହି ପାରିବ, ଖାଲି ଏତିକି ନୁହେଁ ପରମାଣୁ ଅସ୍ତ୍ର ଉତ୍ପାଦନ ଜାରି ରହିବ।” ମେଦଭେଦେଭଙ୍କ ଏହି ବୟାନ ବିଶ୍ୱ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ କରିଛି।
ଆମେରିକାର ଆକ୍ରମଣ ପରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ରବିବାର ମସ୍କୋ ଗସ୍ତ କରି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବେ ବୋଲି ଘୋଷଣା କରିଛନ୍ତି। ଆରାଘଚି କହିଛନ୍ତି, “ଆମେ ରୁଷିଆ ସହ ଏକ ରଣନୈତିକ ଭାଗୀଦାରୀରେ ରହିଛୁ ଏବଂ ସବୁବେଳେ ପରସ୍ପର ସହ ପରାମର୍ଶ ଓ ସମନ୍ୱୟ ରଖି ଆସିଛୁ।” ଏହା ପୂର୍ବରୁ ରୁଷିଆର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ ଇସ୍ରାଏଲର ଆକ୍ରମଣାତ୍ମକ ବ୍ୟବହାରକୁ ନିନ୍ଦା କରିବା ସହ ସଂଘର୍ଷ ହ୍ରାସ କରିବାରେ ସହାୟତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
ମେଦଭେଦେଭ ଦାବି କରିଛନ୍ତି ଯେ ଆମେରିକାର ଆକ୍ରମଣ ଇରାନରେ ରାଜନୈତିକ ଏକତାକୁ ଆହୁରି ଦୃଢ଼ କରିଛି। ସେ କହିଛନ୍ତି, “ଇରାନର ରାଜନୈତିକ ଶାସନ ଜାରି ରହିଛି ଏବଂ ଏହା ସମ୍ଭବତଃ ଆହୁରି ଶକ୍ତିଶାଳୀ ହୋଇଛି। ଯେଉଁࠣ ଜନତା ପୂର୍ବରୁ ନିରପେକ୍ଷ କିମ୍ବା ସରକାର ବିରୋଧୀ ଥିଲେ, ସେମାନେ ବି ଦେଶର ଆଧ୍ୟାତ୍ମିକ ନେତୃତ୍ୱରେ ଏକତ୍ରିତ ହେବାପରେ ଲାଗିଛନ୍ତି, ।” ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ ଏନେଇ କହିଛନ୍ତି ଯେ, “ଟ୍ରମ୍ପ, ଏବେ ଆମେରିକାକୁ ଆଉ ଏକ ଯୁଦ୍ଧ ମଧ୍ୟକୁ ଠେଲି ଦେଇଛନ୍ତି।”
ଆମେରିକାର ଆକ୍ରମଣ ପରେ ଇରାନ ପୁଣିଥରେ ଇସ୍ରାଏଲ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି। ଯାହାର ଜବାବରେ ଇସ୍ରାଏଲ ମଧ୍ୟ ଇରାନରେ ଆକ୍ରମଣ ଜାରି ରଖିଛି। ସ୍ଥାନିୟ ଗଣମାଧ୍ୟମ ସିବିଏସ ନ୍ୟୁଜ ଅନୁସାରେ, ଆମେରିକାର ଆକ୍ରମଣ ପରେ ଇରାନ ସହ କୂଟନୈତିକ ଯୋଗାଯୋଗ କରି ସ୍ପଷ୍ଟ କରିଛି ଯେ ଏହା ସୀମିତ ଆକ୍ରମଣ ଥିଲା ଏବଂ ଶାସନ ପରିବର୍ତ୍ତନ କରିବାର ଏହାର କୌଣସି ଉଦ୍ଦେଶ୍ୟ ନଥିଲା। ତଥାପି, ଏହି ସଂଘର୍ଷ ମଧ୍ୟପ୍ରାଚ୍ୟରେ ଆଞ୍ଚଳିକ ଅସ୍ଥିରତା ବଢ଼ାଇବାର ଆଶଙ୍କା ରହିଛି।
ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଏହି ସଂଘର୍ଷ ଆମେରିକାର ପ୍ରତ୍ୟକ୍ଷ ହସ୍ତକ୍ଷେପ ଓ ରୁଷିଆର ଇଙ୍ଗିତ ପରେ ଏକ ନୂଆ ମୋଡ଼ ନେଇଛି। ବିଶ୍ୱ ନେତାମାନେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ, ପରମାଣୁ ଅସ୍ତ୍ର ଯୋଗାଣର ସମ୍ଭାବନା ବିଶ୍ୱବ୍ୟାପୀ ଚିନ୍ତା ସୃଷ୍ଟି କରିଛି।