ନୂଆଦିଲ୍ଲୀ,୦୯/୦୪; ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ୧୪ ଦିନିଆ ଯୁଦ୍ଧବିରତିକୁ ନେଇ ବିବାଦ ଦେଖା ଦେଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଦାବି ଉପରେ ଆମେରିକା ଏବଂ ଇରାନ ଦୁଇ ପକ୍ଷରୁ ପ୍ରଶ୍ନ ଉଠିଛି । ବିଶେଷ କରି ଲେବାନନକୁ ନେଇ ଦେଇଥିବା ବୟାନ ଉପରେ ପ୍ରଶ୍ନ ଉଠିଛି । ଇରାନ ସହିତ ହୋଇଥିବା ଯୁଦ୍ଧବିପତି ଚୁକ୍ତିନାମାରେ ଲେବାନନ ସାମିଲ ନଥିଲା ବୋଲି ଆମେରିକା ସ୍ପଷ୍ଟ କରିଛି । ଆମେରିକା-ଇରାନ ମଧ୍ୟସ୍ଥତା କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଥିଲେ ଲେବାନନ ଯୁଦ୍ଧବିରତି ଚୁକ୍ତିନାମାର ଅଂଶ ଥିଲା । ବେଞ୍ଜାମିନ୍ ନେତାନ୍ୟାହୁ ଏହାକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖାନ କରିଥିଲେ । ଟ୍ରମ୍ପ ମଧ୍ୟ ଲେବାନନକୁ ଚୁକ୍ତିନାମାରେ ସାମିଲ କରାଯାଇଥିବା କଥାକୁ ଅସ୍ୱୀକାର କରିଥିଲେ ।

ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସ ଲେବାନନର ଯୁଦ୍ଧବିରତିରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଏହା ଏକ ଭୁଲ ବୁଝାମଣା । ଇରାନ ଭାବିଥିଲା ଯୁଦ୍ଧବିରତିରେ ଲେବାନନ ସାମିଲ ଅଛି ।  ଏହି ଅସ୍ତ୍ରବିରତି ଇରାନ ଏବଂ ଇସ୍ରାଏଲ ସହ ଆରବ ଦେଶ ସମେତ ଆମେରିକା ସହଯୋଗୀ ଦେଶମାନଙ୍କ ଉପରେ କେନ୍ଦ୍ରିତ ହେବ । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ହିଜବୁଲ୍ଲା ପାଇଁ ଲେବାନନକୁ ଅସ୍ତ୍ରବିରତି ଚୁକ୍ତିନାମାରେ ସାମି କରାଯାଇନାହିଁ । ଏହାର ଧ୍ୟାନ ରଖାଯିବ । ,ସବୁ ଠିକ୍ ଅଛି ।
​​​​​​​

ବିବାଦରେ ଶାହବାଜ ସରିଫଙ୍କ ଦାବି- ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ପାଇଁ ମଧ୍ୟସ୍ଥତା କରିବାର ଦାବି ପୁଣିଥରେ ପର୍ଦ୍ଦାଫାସ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା ପରେ, ସରିଫ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଇରାନ, ଆମେରିକା ଏବଂ ଆମେରିକାର ସହଯୋଗୀ ଲେବାନନ ସମେତ ସମସ୍ତ ଦେଶ ଆଲୋଚନା ପାଇଁ ଦୁଇ ସପ୍ତାହର ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ତଥାପି, ଆମେରିକାର ହ୍ୱାଇଟ୍ ହାଉସ୍ ଏବେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି, ଲେବାନନ କେବେବି ଦୁଇ ସପ୍ତାହର ଯୁଦ୍ଧବିରତି ଚୁକ୍ତିନାମାର ଅଂଶ ନଥିଲା ଏବଂ ସମସ୍ତ ପକ୍ଷଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା ।

ଏହା ବି ପଢନ୍ତୁ...ଚୀନ୍-ତୁର୍କୀ ଭଳି ଦେଶକୁ ଭାଇ କହିଲା ପାକିସ୍ତାନ, ଅସ୍ତ୍ରବିରତି ପାଇଁ ନିଜକୁ ଦେଲା କ୍ରେଡିଟ୍  

​​​​​​​ସିଜଫାୟାର ପରେ ବି ଲେବାନନ ଉପରେ ହମଲା- ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ, ଇସ୍ରାଏଲ ଲେବାନନରେ ହିଜବୁଲ୍ଲା ଲକ୍ଷ୍ୟସ୍ଥଳ ଉପରେ ଦ୍ରୁତ ଗତିରେ ଆକ୍ରମଣ ଜାରି ରଖିଛି । ଇରାନ ହରମୁଜ୍ ପ୍ରଣାଳୀକୁ ପୁନଃ ବନ୍ଦ କରିଦେଲା, ଯାହା ପୂର୍ବରୁ ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ଖୋଲାଯାଇଥିଲା । ଏହା ପରେ, ଇରାନର ବୈଦେଶିକ ମନ୍ତ୍ରୀ ସୈଦ ଆବାସ ଆରାଘଚି ଶାହବାଜ ସରିଫଙ୍କ "ଏକ୍ସ" ପୋଷ୍ଟର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି, ଯେଉଁଥିରେ ଲେବାନନ ଏବଂ ଆମେରିକାର ସହଯୋଗୀଙ୍କ ବିଷୟରେ ମତ ପ୍ରକାଶ ପାଇଛି ।

ବଡ଼ ପ୍ରଶ୍ନ - ଏବେ ବଡ଼ ପ୍ରଶ୍ନ ହେଉଛି,  ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଉଭୟ ଲେବାନନକୁ ଯୁଦ୍ଧବିରତିର ଅଂଶ ଭାବରେ ମାନ୍ୟତା ଦେଉନାହାଁନ୍ତି, ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ କ'ଣ ଜାଣିଶୁଣି ଇରାନକୁ ଭ୍ରମିତ କରିଥିଲେ ନା ଶେଷ ମୁହୂର୍ତ୍ତରେ ଆମେରିକା ନିଜର ପ୍ରତିଶ୍ରୁତିରୁ ଓହରି ଯାଇ ଚୁକ୍ତିନାମା ଉଲ୍ଲଂଘନ କରିଥିଲା ?