ନୂଆଦିଲ୍ଲୀ, ୧୨/୦୩ : ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସାରା ବିଶ୍ଵରେ ହାହାକାର। ହୋର୍ମୁଜ ପ୍ରାଣାଳୀରେ ବାଟ ଜଗିଛି ଇରାନ। ବିଶ୍ଵ ବଜାରରେ ତୈଳ ଦରରେ ନିଆଁ। ରନ୍ଧନ ଗ୍ୟାସ୍ ଠାରୁ ନେଇ ଖାଇବା ତେଲ ଯାଏଁ ସବୁ ମହଙ୍ଗା। ସାରା ବିଶ୍ଵ ପାଇଁ ଏବେ ଟେନସନ୍ ପାଲଟିଛି ୩ କିମିର ଏହି ସଂକୀର୍ଣ୍ଣ ରାସ୍ତା। ୟୁଏଇରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ମହାପ୍ରଭାବ। ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି ଲୋକେ। ଟମାଟୋ ଏବଂ ପିଆଜ ଦର ଆକାଶ ଛୁଆଁ। ଦୁଇ ଦିନ ଭିତରେ ୟୁଏଇ କିଚେନ୍‌ ରୁ ଗାଏବ ହୋଇଗଲାଣି ପରିବା। ସୁପରମାର୍କେଟ୍‌ ରେ ଟମାଟୋ କିଲୋ ପିଛା ଅଢେଇ ଶହ ଟଙ୍କାରେ ବିକ୍ରି। ୧୭୫ ଟଙ୍କା ଛୁଇଁଲାଣି ପିଆଜ। ଦୁବାଇର ଜଣେ ବ୍ୟକ୍ତି ଅବଦୁଲ୍ଲାଙ୍କ କହିବା ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ଅଶାନ୍ତି ଆରମ୍ଭ ହେବା ଦିନଠୁ ଦରଦାମ୍ ବଢିବା ଆରମ୍ଭ ହୋଇଛି। କିଛି ଫଳ ଏବଂ ପରିବା ଦର ଅଚାନକ ବୃଦ୍ଧି ଘଟିଛି।

ୟୁଏଇର ଅର୍ଥ ମନ୍ତ୍ରାଳୟ ଦରଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ଟିମ୍ ଗଠନ କରିଛି। ଏହି ଟିମ୍ ପ୍ରତିଦିନ ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି। ଦରଦାମ୍ ନିୟନ୍ତ୍ରଣ ପାଇଁ ଅଧିକରୁ ଅଧିକ ଆମଦାନୀ କରାଯାଉଛି। କଳାବଜାର ରୋକିବାକୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। 

ରିପୋର୍ଟ ଅନୁଯାୟୀ, ୟୁଏଇରେ ଖାଇବା ତେଲ, ଦୁଗ୍ଧ ଜାତୀୟ ଜିନିଷ, ଚାଉଳ, ଚିନି, କୁକୁଡ଼ା ପାଳନ, ଡାଲି, ରୁଟି, ଏବଂ ଗହମ ଦର ସରକାର ନିୟନ୍ତ୍ରଣ କରନ୍ତି। ସରକାରଙ୍କ ବିନା ଅନୁମତିରେ ଏହି ସବୁ ଜିନିଷ ଗୁଡ଼ିକର ଦରଦାମ୍ ବୃଦ୍ଧି କରିବା ବେଆଇନ। ତେବେ ଅତ୍ୟାବଶ୍ୟକ ଜିନିଷ ୟୁଏଇରେ ମହଜୁଦ ରଖିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ଚେଷ୍ଟା ଚଳାଇଛନ୍ତି। ଏହା ସହ ଉପଭୋକ୍ତାଙ୍କ ପାଇଁ ବହୁ ବିକଳ୍ପ ରହିଛି। 

ଏହି ଖବରଟିକୁ ପଢନ୍ତୁ-  ହୋର୍ମୁଜ ପ୍ରଣାଳୀ ବନ୍ଦ ଚେତାବନୀ, ୨୦୦ ଡଲାର ଡେଇଁପାରେ ଅଶୋଧିତ ତେଲ ଦର