ନୂଆଦିଲ୍ଲୀ,୧୧/୦୩; ସାଉଦି ଆରବର ପ୍ରମୁଖ ତୈଳ କମ୍ପାନି ସାଉଦି ଆରାମ୍କୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମୀନ ନାସିର ଯୁଦ୍ଧକୁ ନେଇ ସତର୍କବାଣୀ କରିଛନ୍ତି । କହିଛନ୍ତି, ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯଦି ଶେଷ ନ ହୋଇ ଲମ୍ବା ଅବଧି ଧରି ଜାରି ରୁହେ, ତେବେ ବୈଶ୍ୱିକ ତୈଳ ବଜାର ଉପରେ ‘ବିନାଶକାରୀ ପ୍ରଭାବ’ ପଡ଼ିବ । ତାଙ୍କ ମୁତାବକ, କମ୍ପାନି ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ଉଦ୍ୟମ କରୁଛି । କିନ୍ତୁ ଯୁଦ୍ଧ ଏବଂ ତାହା ଯୋଗୁ ସୃଷ୍ଟି ହୋଇଥିବା ଯୋଗାଣ ଜନିତ ସମସ୍ୟା କାରଣରୁ ବିଶ୍ୱବ୍ୟାପୀ ତୈଳ ଭଣ୍ଡାର ବିଗତ ୫ ବର୍ଷର ସର୍ବନିମ୍ନ ସ୍ତରକୁ ଚାଲିଯାଇଛି ।
ନାସିର କହିଛନ୍ତି, ସମ୍ପ୍ରତି ଭୂ-ରାଜନୈତିକ ସଙ୍କଟ ମଧ୍ୟରେ ଯଦି ତୈଳ ଯୋଗାଣରେ ପ୍ରତିବନ୍ଧକ ଦୀର୍ଘଦିନ ଧରି ଜାରି ରୁହେ, ତେବେ ତୈଳ ଭଣ୍ଡାର ଦ୍ରୁତ ଗତିରେ ତଳମୁହାଁ ହେବ । ଏହାଦ୍ୱାରା କେବଳ ଅନ୍ତର୍ଜାତୀୟ ବଜାର ଉପରେ ଗମ୍ଭୀର ପ୍ରଭାବ ପଡ଼ିବ ନାହିଁ, ବରଂ ତମାମ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିପାରେ । ହୋର୍ମୁଜ ପ୍ରଣାଳୀ ପ୍ରସଙ୍ଗରେ ଆରାମ୍କୋ ସିଇଓ କହିଛନ୍ତି, ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହା ଜରିଆରେ ବୈଶ୍ୱିକ ତୈଳ ଓ ପ୍ରାକୃତିକ ଗ୍ୟାସର ଏକ ବଡ଼ ଅଂଶ ପ୍ରବାହିତ ହୋଇଥାଏ । ଅତିରିକ୍ତ ତୈଳ ଉତ୍ପାଦନ କ୍ଷମତାର ବଡ଼ ଭାଗ ଏହି କ୍ଷେତ୍ରରେ ମହଜୁଦ ରହିଛି । ତେଣୁ ହୋର୍ମୁଜ ପ୍ରଣାଳୀରେ ଜାହାଜଗୁଡ଼ିକର ପୁନର୍ବାର ଚଳାଚଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ହୋର୍ମୁଜ ପ୍ରଣାଳୀକୁ ବନ୍ଦ ନିମନ୍ତେ ନିଷ୍ପତ୍ତି ନେଇଥିଲା ଇରାନ । ଏହାଯୋଗୁ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଛି । ବିଶ୍ୱବ୍ୟାପୀ ତୈଳ ଅଭାବକୁ ନେଇ ଚିନ୍ତା ବଢ଼ିଛି । ବିଶ୍ୱର ସର୍ବବୃହତ ତୈଳ ରପ୍ତାନିକାରୀ ସାଉଦି ଆରବର ତୈଳ କମ୍ପାନି ସାଉଦି ଆରାମ୍କୋ ନିଜର ଦୁଇଟି ପ୍ରମୁଖ ତୈଳ କ୍ଷେତ୍ରରେ ଉତ୍ପାଦନ ପ୍ରଥମରୁ ହିଁ କମାଇବା ଆରମ୍ଭ କରିଦେଇଥିଲା ।
ବିଶ୍ଳେଷକଙ୍କ ମୁତାବକ, ହୋର୍ମୁଜ ଜରିଆରେ ଯେତେ ତୈଳ ଯୋଗାଣ ହୋଇଥାଏ, ଏହି ମାତ୍ରା ତାହାର ଭରଣା ପାଇଁ ପର୍ଯ୍ୟାପ୍ତ ନୁହେଁ । ଫେବ୍ରୁଆରୀ ୨୮ରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଯୁଦ୍ଧ ଆରମ୍ଭ ହେବା ପରେ ଉପସାଗରୀୟ କ୍ଷେତ୍ରର ଅନେକ ଦେଶର ତୈଳ ଉତ୍ପାଦନ ପ୍ରଭାବିତ ହୋଇଛି । କୁଏତ, କାତାରା ଏବଂ ଇରାକ ଭଳି ଦେଶ ବି ଉତ୍ପାଦନ କମାଇ ଦେଇଛନ୍ତି କିମ୍ବା ତୈଳ ଯୋଗାଣ ଉପରେ ‘ଫୋର୍ସ ମାଜ୍ୟୁର’ ଘୋଷଣା କରିଛନ୍ତି । ‘ଫୋର୍ସ ମାଜ୍ୟୁର’ ଏକ ଆଇନ ଶବ୍ଦ । ଏହାର ଅର୍ଥ ହେଉଛି ଆସାଧାରଣ ଓ ଅନିୟନ୍ତ୍ରିତ ସ୍ଥିତି, ଯାହା ଯୋଗୁ କୌଣସି କମ୍ପାନି ବା ପକ୍ଷ ନିଜ ଠିକା ରାଜିନାମା ସର୍ତ୍ତ ପାଳନ କରିପାରି ନ ଥାଏ ।