ନୂଆଦିଲ୍ଲୀ, ୧୫।୩: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆମେରିକାକୁ କଡ଼ା ଚେତାବନୀ ଦେଇଛି ଇରାନ । ଭାରତରେ ଅବସ୍ଥାପିତ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଅବଦୁଲ ମଜିଦ ହକିମ ଇଲାହି ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଆମେରିକା ସହ କୌଣସି ଆଲୋଚନା ହେବାର ପ୍ରଶ୍ନ ହିଁ ଉଠୁନାହିଁ । 

"ରକ୍ତ ଦେବୁ ପଛେ ମାଟି ଦେବୁନି"

ANIକୁ ଦେଇଥିବା ଏକ ସାକ୍ଷାତକାରରେ ଇଲାହି କହିଛନ୍ତି ଯେ, ଇରାନର ଜନସାଧାରଣଙ୍କ ମଧ୍ୟରେ ଏବେ ପ୍ରବଳ କ୍ରୋଧ ଓ ପ୍ରତିରୋଧର ଭାବନା ରହିଛି । ସେମାନେ ନିଜ ଦେଶର ସୁରକ୍ଷା ପାଇଁ ଯେକୌଣସି ବଳିଦାନ ଦେବାକୁ ପ୍ରସ୍ତୁତ । ଲୋକଙ୍କ ସ୍ଲୋଗାନ ହେଉଛି "ଆମେ ରକ୍ତ ଦେବାକୁ ପ୍ରସ୍ତୁତ, କିନ୍ତୁ ଜମି ଦେବୁ ନାହିଁ ।" ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ଖଣ୍ଡନ କରି ଇଲାହି କହିଛନ୍ତି ଯେ, ତେହେରାନ ଆଲୋଚନା ପାଇଁ ଆଦୌ ଆଗ୍ରହୀ ନୁହେଁ । ପୂର୍ବରୁ ଆଲୋଚନା ଚାଲିଥିବା ସମୟରେ ଇରାନ ଉପରେ ଦୁଇ ଦୁଇଥର ଆକ୍ରମଣ ହୋଇଥିବାରୁ ସେମାନଙ୍କର ଆଉ ଆମେରିକା ଉପରେ ବିଶ୍ୱାସ ନାହିଁ ।

ଏହା ବି ପଢ଼ନ୍ତୁ... ​​​​​​​କନ୍ଧାରରେ ପାକିସ୍ତାନର ଏୟାରଷ୍ଟ୍ରାଇକ; ସୁପ୍ରିମ୍ ଲିଡର ଅଖୁନ୍ଦଜାଦାଙ୍କୁ ଟାର୍ଗେଟ୍, ଶେଷ ହେବ କି ତାଲିବାନ ଶାସନ ?

ଦୀର୍ଘକାଳୀନ ଯୁଦ୍ଧ ପାଇଁ ଇରାନ ପ୍ରସ୍ତୁତ:

ଇଲାହିଙ୍କ କହିବା ଅନୁସାରେ, ଇରାନ ପାଖରେ ୮ ବର୍ଷ ଧରି ଇରାକ ସହ ଯୁଦ୍ଧ କରିବାର ଅଭିଜ୍ଞତା ରହିଛି । ତେଣୁ ଯଦି ପରିସ୍ଥିତି ଏପରି ରହେ, ଇରାନ ବର୍ଷ ବର୍ଷ ଧରି ଲଢ଼ିବାକୁ ପଛାଇବ ନାହିଁ । ବିଶ୍ୱ ସମୁଦାୟ ଏହି ଘଟଣାରେ ହସ୍ତକ୍ଷେପ କରି ଆମେରିକା ଉପରେ ଚାପ ପକାଇବା ଉଚିତ ବୋଲି ସେ ଅପିଲ୍ କରିଛନ୍ତି । କହିରଖୁଛୁ ଯେ, ଚଳିତ ବର୍ଷ ଫେବୃଆରୀ ୨୮ ରୁ ଏହି ଉତ୍ତେଜନା ଆରମ୍ଭ ହୋଇଛି । ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ଏହି ବିବାଦ ଯୋଗୁଁ ବିଶ୍ୱ ବଜାରରେ ଗ୍ୟାସ୍, ପେଟ୍ରୋଲ ଏବଂ ତୈଳ ଦର ବଢ଼ିବାର ଆଶଙ୍କା ଦେଖାଦେଇଛି ।