ନୂଆଦିଲ୍ଲୀ, ୧୫।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ଏବେ ଚରମ ସୀମାରେ ପହଞ୍ଚିଛି । ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର କନ୍ଧାର ସ୍ଥିତ ତାଲିବାନ ଗଡ଼ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି । ଏହି ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ଥିଲା ତାଲିବାନର ସର୍ବୋଚ୍ଚ ନେତା ହୈବତୁଲ୍ଲା ଅଖୁନ୍ଦଜାଦାଙ୍କୁ ନିପାତ କରିବା । ରିପୋର୍ଟ ଅନୁସାରେ, ଶୁକ୍ରବାର ସକାଳେ ପାକିସ୍ତାନ ବାୟୁସେନା କନ୍ଧାରର 'କ୍ୟାମ୍ପ ଗେକୋ' ନାମକ ଏକ ଅତି ସୁରକ୍ଷିତ ପରିସରକୁ ଟାର୍ଗେଟ୍ କରିଥିଲା । ସୂଚନା ମୁତାବକ, ଏହି ସ୍ଥାନରେ ଅଖୁନ୍ଦଜାଦା ଗତ କିଛି ସପ୍ତାହ ହେବ ଅସ୍ଥାୟୀ ଭାବେ ରହୁଥିଲେ । ପ୍ରାଥମିକ ରିପୋର୍ଟ ଅନୁସାରେ, ଏହି ଭୟଙ୍କର ହାମଲାରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ... ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପାକ୍ରେ ଶକ୍ତି ସଙ୍କଟ ଅସମ୍ଭାଳ, ରାଷ୍ଟ୍ରାୟତ୍ତ ସଂସ୍ଥା କର୍ମଚାରୀଙ୍କ ଦରମା ହ୍ରାସ
ଅଖୁନ୍ଦଜାଦା ଜୀବିତ ନା ମୃତ ?
ପାକିସ୍ତାନୀ ବାୟୁସେନା ତାଲିବାନର ବାହ୍ୟ ସୁରକ୍ଷା ବଳୟକୁ ଭେଦ କରିବାରେ ସଫଳ ହୋଇଥିଲେ ସୁଦ୍ଧା ଅଖୁନ୍ଦଜାଦାଙ୍କ ସ୍ଥିତିକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ବିଶେଷଜ୍ଞଙ୍କ ମତରେ ଅଖୁନ୍ଦଜାଦା ପ୍ରାୟତଃ ମାଟି ତଳେ ଥିବା ଗଭୀର ବଙ୍କର ମଧ୍ୟରେ ରହିଥାଏ । ଏହି ବଙ୍କରଗୁଡ଼ିକ ଶକ୍ତିଶାଳୀ ବୋମା ମାଡ଼ ସହିବା ପାଇଁ ସକ୍ଷମ । ତେଣୁ ଉପରିଭାଗର କୋଠା ନଷ୍ଟ ହୋଇଥିଲେ ମଧ୍ୟ ସୁପ୍ରିମ ଲିଡର ବଞ୍ଚିଥାଇପାରେ ବୋଲି ଅନୁମାନ କରାଯାଉଛି । ସୀମା ଆରପାରିରୁ ହେଉଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ପାକିସ୍ତାନ ଏହି ଅପରେସନ ଆରମ୍ଭ କରିଛି । ଅନ୍ୟପଟେ ତାଲିବାନ ଏହାକୁ ନିଜ ସାର୍ବଭୌମତ୍ୱ ଉପରେ ଆକ୍ରମଣ କହିବା ସହ ଏହାର ଭୟଙ୍କର ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛି । ଯଦି ଅଖୁନ୍ଦଜାଦାଙ୍କ ମୃତ୍ୟୁ ଖବର ସତ ହୁଏ, ତେବେ ଏହି ଅଞ୍ଚଳରେ ଏକ ରକ୍ତାକ୍ତ ମହାଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ରହିଛି ।