ନୂଆଦିଲ୍ଲୀ ୩୦/୦୪: ଇରାନ ଯୁଦ୍ଧରେ ଇରାକ ସାଂସଦ ଅବ୍ଦୁଲ୍ଲା ଅଲ୍ଖୈଖାନୀ ଆମେରିକା ଓ ଇସ୍ରାଏଲ ବିରୋଧରେ ମଧ୍ୟପ୍ରାଚ୍ୟରେ ବାଦଲ ଚୋରି ଅଭିଯୋଗ କରିଛନ୍ତି । ଖୈଖାନୀ ଏକ ସାକ୍ଷାତକାରରେ କହିଛନ୍ତି, ଆମେରିକା ଓ ଇସ୍ରାଏଲ ଅନେକ ବର୍ଷ ହେଲା ବିମାନ ସାହାଯ୍ୟରେ ମଧ୍ୟପ୍ରାଚ୍ୟରେ ବାଦଲ ଚୋରି କରିଆସୁଛନ୍ତି । ସେଥିପାଇଁ ଏ କ୍ଷେତ୍ର ଦୀର୍ଘ ସମୟ ଧରି ମରୁଡ଼ିର ସମ୍ମୁଖୀନ ହେଉଥିଲା । ସେ ଦାବି କରିଛନ୍ତି, ଏବେ ଆମେରିକା ଓ ଇସ୍ରାଏଲ ଇରାନ ସହ ଯୁଦ୍ଧରେ ବ୍ୟସ୍ତ ଅଛନ୍ତି । ସେଥିପାଇଁ ବର୍ଷା ପୁଣି ଥରେ ଫେରିଆସିଛି ।
ଖୈଖାନୀଙ୍କ ବୟାନ ପରେ ସୋସିଆଲ ମିଡିଆରେ ଏହି ଦାବିକୁ ନେଇ ଚର୍ଚ୍ଚା ଓ ଗୁଜବ ଜୋର୍ ଧରିଛି । ପାଣିପାଗ ବିଭାଗ କହିଛି, ଏଭଳି କୌଣସି ଟେକ୍ନୋଲୋଜି ନାହିଁ ଯାହା ମାଧ୍ୟମରେ ବାଦଲ ଚୋରି ହୋଇପାରିବ । ଇରାକ ପାଣିପାଗ ବିଭାଗର ପ୍ରବକ୍ତା ଅମ୍ର ଅଲ-ଜବୀରୀ ଏହି ଦାବିକୁ ବୈଜ୍ଞାନିକ କିମ୍ବା ତର୍କସଙ୍ଗତ ବୋଲି ଦର୍ଶାଇ ନାହାନ୍ତି । ସେ କହିଛନ୍ତି, ଗତ ବର୍ଷ ସେପ୍ଟେମ୍ବରରେ ଅନୁମାନ କରାଯାଇଥିଲା ଯେ ୨୦୨୬ ଇରାକ ପାଇଁ ବର୍ଷାର ବର୍ଷ ହେବ । ଏ ମାମଲାରେ ବିଶେଷଜ୍ଞମାନେ ପାଣିପାଗ ସମ୍ବନ୍ଧୀୟ ମିଛ ଦାବି ଓ ଷଡ଼ଯନ୍ତ୍ରଠୁ ଦୂରେଇ ରହିବାକୁ ଅପିଲ କରିଛନ୍ତି ।
ଖୈଖାନୀ ଦାବି କରିଛନ୍ତି, ମଧ୍ୟପ୍ରାଚ୍ୟରେ ପାଣିପାଗ ପରିବର୍ତ୍ତନକାରୀ ଅସ୍ତ୍ର ମାଧ୍ୟମରେ ମରୁଡ଼ି ସୃଷ୍ଟି କରାଗଲା । ବାୟୁମଣ୍ଡଳରେ ପରିବର୍ତ୍ତନ କରି ଜାଣି ଜାଣି ବର୍ଷାକୁ ରୋକାଗଲା । ‘ଆଟ୍ମୋସ୍ଫିୟରିକ୍ ମୋଡିଫିକେସନ୍ ୱେପନ୍’ର ଉପଯୋଗ ହୋଇଥିବା ସେ କହିଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ, ଭରସାର ଅଭାବ ଓ ଜଳବାୟୁ ସମ୍ପର୍କିତ କମ୍ ଜ୍ଞାନରୁ ଏଭଳି ଦାବି ଜନ୍ମ ନିଏ । ବୈଜ୍ଞାନିକଙ୍କ ଅନୁସାରେ, ପାଣିପାଗର ଦିଗ କିମ୍ବା ତୀବ୍ରତାକୁ ସିଧା ନିୟନ୍ତ୍ରଣ କରୁଥିବା କୌଣସି ଟେକ୍ନୋଲୋଜି ଉପଲବ୍ଧ ନାହିଁ । ଏହା ବଦଳରେ ମଧ୍ୟପ୍ରାଚ୍ୟରେ ବଢୁଥିବା ଚରମ ପାଣିପାଗ ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ ।
ଆହୁରି ପଢ଼ନ୍ତୁ...Trump Iran war news: ଟ୍ରମ୍ପଙ୍କୁ ଇରାନ ଯୁଦ୍ଧର ବାସ୍ତବ ସ୍ଥିତି ଜଣାଉନି ପେଣ୍ଟାଗନ୍, ଭାନ୍ସଙ୍କ ଚିନ୍ତା ବଢାଇଛି ଯୁଦ୍ଧାସ୍ତ୍ର ଅଭାବ