ଝାରପଡ଼ା ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର: ରୋଗୀ ସଂଖ୍ୟା ବଢୁଛି, ଡାକ୍ତର ଅଭାବ

ଉତ୍ତର ଭୁବନେଶ୍ୱର,୧୭ା୩(ଆ.ପ୍ର.): ଗତ ଦଶ ଦିନ ତଳେ ଲୋକାର୍ପିତ ଝାରପଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢି ଚାଲିଛି । ଏହି କାରଣରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଧିକ ଡାକ୍ତର ନିଯୁକ୍ତି ପାଇଁ ଦାବି ଉଠିଛି । ଝାରପଡ଼ା , ବମିଖାଲ,ଶାନ୍ତିନଗର, ବଙ୍ଗାଳିସାହି, ହଳଦିପଡ଼ିଆ, ଲକ୍ଷ୍ମୀସାଗର, ସନ୍ତୋଷୀବିହାର, ମେହେରପଲ୍ଲି, ଜଗନ୍ନାଥନଗର, ମହାଦେବନଗର, ୟୁକୋ ଓ ଏସ.ବି.ଆଇ କଲୋନୀ, କେଶୁରା, କୋରଡକଣ୍ଟା, କାମେନା ଆଦି ଅଞ୍ଚଳର ଲୋକେ ଏହି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ।
ଉଲ୍ଲେଖନୀୟ, ଝାରପଡ଼ା ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଅପହଞ୍ଚ ହୋଇପଡ଼ିଥିଲା । ମାତ୍ର ନୂଆକରି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ପରେ ପ୍ରାୟ ଲକ୍ଷେ ଲୋକ ମୌଳିକ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗତ ୬ ତାରିଖରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରିଥିଲେ । ଆୟୋଜିତ ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ କର୍ପୋରେଟର ଶ୍ରୀଧର ଜେନା ଉପସତ୍ଥି ଥିଲେ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ବାବଦରେ ୭୭ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଆଗ କ୍ଲିନିକ ଯୋଜନା ଅନୁଯାୟୀ ସୋମବାର ସ୍ଥାୟୀ ଓ ପ୍ରସୂତି ବିଶେଷଜ୍ଞ, ବୁଧବାର ଫିଜିଓଥେରାପି ଓ ଭେଷଜ ବିଶେଷଜ୍ଞ ଏବଂ ଅଳ୍ପ କିଛି ମାସ ପରେ ଶୁକ୍ରବାର ଶିଶୁରୋଗ ବିଶେଷଜ୍ଞ ଆସି ରୋଗୀ ସେବା କରିବେ ।
ଏହାବ୍ୟତୀତ ବୁଧବାର ଟିକାକରଣ, ପ୍ରତ୍ୟେକ ସୋମବାର ପରିବାର ନିୟୋଜନ ସେବା ପ୍ରତି ମାସର ୯ ତାରିଖ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଓ ନିରାମୟ ଯୋଜନା ଅନୁଯାୟୀ ମାଗଣା ଔଷଧ ବଣ୍ଟନ ଆଦି ସୁବିଧା ମିଳିପାରିବ । ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଦିନ ସକାଳ ୮ଟାରୁ ଦିନ ୧୧ଟା ଏବଂ ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଦାୟିତ୍ୱ ନିର୍ବାହୀ ଚିକିତ୍ସାଧିକାରୀ ଡାକ୍ତର ପି.କେ. ବସ୍ତିଆ କହିଛନ୍ତି ଯେ, ଝାରପଡା ଏବଂ ଏହାର ଆଖପାଖ ଅଞ୍ଚଳର ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ରରୁ ଚିକିତ୍ସା ସେବା ସହଜରେ ପାଇପାରୁଛନ୍ତି । ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଜନସାଧାରଣଙ୍କ ଅଧିକ ଆସ୍ଥା ବଢୁଛି । ସେବା ପାଇବା ପାଇଁ ଗ୍ରାମାଞ୍ଚଳରୁ ରୋଗୀ ଧାଇଁ ଆସୁଛନ୍ତି । ଏହି କାରଣରୁ ଅଧିକ ଡାକ୍ତର ନିଯୁକ୍ତି ଦେବା ପାଇଁ ଗ୍ରାମର ସମାଜସେବୀ ଶିଖର ଚନ୍ଦ୍ର ଜେନା, ଉଗ୍ରେସନ ମଙ୍ଗରାଜ, ମୁଶାରଫ ଖାନ, ସନ୍ଦୀପ ହରିଚନ୍ଦନ, ଧରଣୀଧର ଜେନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି ।