ଭୁବନେଶ୍ଵର, ୦୭/୧୨ : ଲିଙ୍ଗରାଜ ମନ୍ଦିରରେ ପୁଣି ନୀତି ବିଭ୍ରାଟ। ପୂଜା ଚାଲିଛି କିନ୍ତୁ ନୀତିକାନ୍ତି ବନ୍ଦ। ବାବା ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ପୂଜା ହୋଇନାହିଁ । ବଡୁ ସେବାୟତଙ୍କ ପାଇଁ ଏଭଳି ସ୍ଥିତି ଉପୁଜୁଥିବା କହିଛନ୍ତି ପୂଜା ପଣ୍ଡା। ଅଧିବାସ ପୂଜା ନୀତି କରାଇ ନଦେବା ଯୋଗୁଁ ଆଜି ଦିନକ ପାଇଁ ମନ୍ଦିରରେ ନୀତି ବନ୍ଦ ରହିଛି । ମନ୍ଦିର ନିର୍ମାଣ ହେବା ଠାରୁ ଅଧିବାସ ପୂଜା ଚାଲିଛି କିନ୍ତୁ ବଡୁ ସେବାୟତ କହୁଛନ୍ତି ଏ ବିଧି ନାହିଁ। ଏପରିକି ୨୦୧୦ ରୁ ଅଫିସିଆଲ୍ ସାଇଟରେ ମଧ୍ୟ ପୂଜାର ନୀତି ବାବଦରେ ଲେଖା ରହିଛି । କିନ୍ତୁ ବଡୁ ସେବାୟତ ଅଯଥା ଯୁକ୍ତି କରି ନୀତି ବନ୍ଦ କରିଥିବା ଅଭିଯୋଗ ଆଣିଛନ୍ତି ପୂଜା ପଣ୍ଡା।
ପୂର୍ବରୁ ପଇତା ଲାଗି ନୀତିକୁ ନେଇ ମାମଲା ଚାଲିଥିବା ବେଳେ ପୁନର୍ବାର ଆଉ ଏକ ସମସ୍ୟା ଦେଖା ଦେଇଛି। ତେବେ ଜଗନ୍ନାଥ ମନ୍ଦିର ପରି ଲିଙ୍ଗରାଜ ମନ୍ଦିରର ଏକ ସ୍ଵତନ୍ତ୍ର ଆକ୍ଟ ହେବା ଦରକାର। ନୀତିକାନ୍ତିର ସମ୍ପୂର୍ଣ୍ଣ ଲେଖା ରହିବା ଦରକାର ବୋଲି ପୂଜାପଣ୍ଡା କହିଛନ୍ତି। ଅନ୍ୟପଟେ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ଆସିଛନ୍ତି । ଦର୍ଶନ କରି ପୂଜା କରୁଛନ୍ତି । ଭଗବାନଙ୍କ ନୀତିକନ୍ତି ବନ୍ଦ କରିବା କାହାର ଅଧିକାର ନାହିଁ ବୋଲି ମତ ରଖିଛନ୍ତି।