ନୂଆଦିଲ୍ଲୀ,୧୭/୦୨; ବହୁ ବାଦ ବିବାଦ ପରେ ଶେଷରେ ଗତ ୧୫ ତାରିଖରେ କଲମ୍ବୋରେ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ବହୁ ପ୍ରତୀକ୍ଷିତ ଭାରତ- ପାକିସ୍ତାନ ମ୍ୟାଚ୍ ଖେଳାଯାଇଥିଲା । ପୂର୍ବଭଳି ଏଥର ମଧ୍ୟ ପାକିସ୍ତାନ ପରାଜିତ ହେଲା । କଲମ୍ବୋରେ ଯେଉଁଭଳି ମ୍ୟାଚ ହେଲା, ତାହା ସଂପୂର୍ଣ୍ଣ ଏକତରଫା ଥିଲା । ପାକିସ୍ତାନ ଦଳର ପ୍ରଦର୍ଶନ ଯାହା ହେଉ, ରଣନୀତି ସମସ୍ତଙ୍କୁ ଚକିତ କରିଥିଲା । ଏହି ମ୍ୟାଚ ଶେଷ ହେବା ପରେ ପ୍ରଶ୍ନ ଉଠିଛି ଯେ ଭାରତୀୟ ଦଳ ଏବେ ଯେଉଁ ସ୍ତରର କ୍ରିକେଟ୍ ଖେଳୁଛି, ପାକିସ୍ତାନ କ’ଣ ସତରେ ଟିମ୍ ଇଣ୍ଡିଆର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ? କେତେବେଳେ ଦୁଇ ଦଳକୁ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କୁହାଯାଏ ? କ୍ରୀଡ଼ା ଇତିହାସରେ ଗୋଟିଏ ଯୋଡ଼ିଏ ଦୃଷ୍ଟାନ୍ତରୁ ଏହା ସ୍ପଷ୍ଟ ହୋଇଯିବ । ଯଦି ଆମେ ଫୁଟବଲ କଥା କହିବା, ବାର୍ସେଲୋନା ବନାମ ରିୟଲ ମାଦ୍ରିଦ । ଏ ଦୁଇ ଦଳ ଯେତେବେଳେ ମୁହାଁମୁହିଁ ହୁଅନ୍ତି ତାହାକୁ ‘ଏଲ କ୍ଲାସିକୋ’ ଲଢ଼େଇ ବୋଲି କୁହାଯାଏ । ସେମିତି କ୍ରିକେଟ୍‌ରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ଆସେସ୍ ଟ୍ରଫି । ଯଦି ଆମେ ଆଇପିଏଲ କଥା କହିବା, ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ସାମର୍ଥ୍ୟ, ରଣନୀତି, ପ୍ରଦର୍ଶନ ଏବଂ ଖେଳାଳିଙ୍କ ଦକ୍ଷତାକୁ ଯେତେବେଳେ ମୂଲ୍ୟାୟନ କରାଯାଏ, ଦୁଇ ଦଳ ମଧ୍ୟରେ ସମାନତା ପ୍ରତୀୟମାନ ହୁଏ । କେହି କାହାଠୁ ଊଣା ଜଣା ପଡ଼ନ୍ତି ନାହିଁ । ସେମାନେ ଯେଉଁଠି ବି ସାମ୍ନାସାମ୍ନି ହୁଅନ୍ତି, ଦର୍ଶକ ଉତ୍ସୁକତାର ସହ ଅନେଇ ବସନ୍ତି ଏବଂ ମ୍ୟାଚର ରୋମାଞ୍ଚ ନେଇଥାନ୍ତି ।

ପାକିସ୍ତାନର କି ଯୋଗ୍ୟତା ଅଛି ? ଭାରତ-ପାକିସ୍ତାନକୁ କ୍ରିକେଟ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଏ । ଯଦି ପୂର୍ବ ଇତିହାସ ଦେଖିବା ପାକିସ୍ତାନ ଏକ ଭୟଙ୍କର ଦଳ ଥିଲା । ପାକିସ୍ତାନର ପେସ ବୋଲିଂ ସବୁଠୁ ଘାତକ ରହିଥିଲା । କିନ୍ତୁ ଦୀର୍ଘ ବର୍ଷ ହେଲା ପାକିସ୍ତାନ ଦଳ ଆଉ ପୂର୍ବ କଳା କୌଶଳ ହରାଇ ବସିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡରେ (ପିସିବି) ଆର୍ଥିକ ସଙ୍କଟ, ପ୍ରଶାସନିକ ଦୁର୍ବଳତା ଓ ଖେଳାଳି ଚୟନରେ ଅନିୟମିତତା ପ୍ରଭୃତି କାରଣରୁ ପାକ୍ କ୍ରିକେଟ୍ ଏକ ପ୍ରକାର ଧରାଶାୟୀ ହୋଇ ପଡ଼ିଛି । ମେରୁଦଣ୍ଡ ଦୋହଲି ଯାଇଛି । ପୂର୍ବତନ କ୍ରିକେଟର ସୋଏବ ଅଖତର ଓ ଡାନିସ କାନେରିଆଙ୍କ ଭଳି ଖେଳାଳି ଏ କଥା ଖୋଲା ଖୋଲି କହୁଛନ୍ତି । ପାକିସ୍ତାନ ଏବେ ଟି-ଟ୍ୱେଣ୍ଟି ମାନ୍ୟତାରେ ଷଷ୍ଠ ସ୍ଥାନରେ ରହିଛି । ଦଳରେ ସେମିତି ପ୍ରଭାବଶାଳୀ ବ୍ୟାଟର କିମ୍ବା ବୋଲର ମଧ୍ୟ ନାହାନ୍ତି । ଯଦିବା ଅଛନ୍ତି ସେମାନେ ଫର୍ମ ସହ ସଂଘର୍ଷ କରୁଛନ୍ତି । କିନ୍ତୁ ଅପରପକ୍ଷରେ ଭାରତ ବର୍ତ୍ତମାନ ଯେଉଁ ସ୍ତରରେ ରହିଛି, ସେଠାରେ ପହଞ୍ଚିବା ପାକିସ୍ତାନ ପାଇଁ ବହୁ କଷ୍ଟକର । ଟି-ଟ୍ୱେଣ୍ଟି ଅଧିନାୟକ ସଲମାନ ଆଘା ନେତୃତ୍ୱ ନେବାରେ ସେମିତି ପରିପକ୍ୱ ନୁହଁନ୍ତି । ଭାରତ ଏବେ ବିଶ୍ୱରେ ଏକ ନମ୍ବର ଟିଟ୍ୱେଣ୍ଟି ଦଳ । ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ । ପୁଣି ଦଳରେ ଯୁବ ଓ ବରିଷ୍ଠ ଖେଳାଳିଙ୍କ ଅପୂର୍ବ ସନ୍ତୁଳନ ରହିଛନ୍ତି । କେବଳ ସେତିକି ନୁହେଁ, ଭାରତରେ ପ୍ରତିଭାର ଅଭାବ ନାହିଁ, ସମସ୍ତେ ସୁଯୋଗର ଅପେକ୍ଷାରେ ରହିଛନ୍ତି ।

ଦୁଇ ଦଳ ମଧ୍ୟରେ ଯଦି ବିଭିନ୍ନ ଦିଗକୁ ବିଚାର କରାଯାଏ ତେବେ କୌଣସି ଗୋଟିଏରେ ବି ପାକିସ୍ତାନ ଦଳ ଭାରତର ସମକକ୍ଷ ନୁହେଁ । ଯେଉଁ ଦଳ ଭାରତ ସହ କୌଣସି ବି ଗୋଟିଏ ଦିଗରୁ ତୁଳନୀୟ ନୁହେଁ, ତାହାକୁ କିପରି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରି ପାରିବା ? ଏହାର ସିଧା କାରଣ ହେଉଛି, ଆମେ ଜାଣିଛୁ ପାକିସ୍ତାନ ଭାରତୀୟ ଦଳ ସହ ଆଦୌ ତୁଳନୀୟ ନୁହେଁ । କିନ୍ତୁ ଦୁଇ ଦେଶ ବିଭାଜନ ହେବା ଠାରୁ ପରସ୍ପରର ପ୍ରମୁଖ ଶତ୍ରୁ ହୋଇ ରହିଛନ୍ତି । ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ କୂଟନୈତିକ ସଂପର୍କ ଅତି ତିକ୍ତ ରହିଛି । ସୀମା ପାରି ଆତଙ୍କବାଦ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ପାକ୍ ସରକାର ନିହିତ ରହିଛନ୍ତି । ଯାହାର ଶିକାର ହେଉଛନ୍ତି ଭାରତର ନୀରିହ ଜନତା । ପାକିସ୍ତାନ କ୍ରିକେଟରେ ସାମର୍ଥ୍ୟ ନଥାଇ ଶତ୍ରୁ ଦୃଷ୍ଟିକୋଣରୁ ଭାରତର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଛି । ଭାରତବାସୀ ସର୍ବଦା ଚାହିଁଥାନ୍ତି ପାକିସ୍ତାନ ପରାଜିତ ହେଉ, ତାହା ବି ହୋଇଚାଲିଛି । 

ଏହା ବି ପଢନ୍ତୁ...'ପାକିସ୍ତାନ କ୍ରିକେଟର ସବୁଠୁ ଖରାପ ସମୟ'..., ଭାରତଠୁ ହାରିବା ପରେ ମୋହସିନ ନକଭିଙ୍କୁ ହଟାଇବାକୁ ପୂର୍ବ କ୍ରିକେଟଙ୍କ ଦାବି

ମାର୍କେଟ ବଢ଼ାଇଛି ଭାଲ୍ୟୁ- ପାକିସ୍ତାନର ପ୍ରଦର୍ଶନ ଏବଂ ସାମର୍ଥ୍ୟ ଯାହା ହେଉ, ଦୁଇ ପଡୋଶୀଙ୍କ ମଧ୍ୟରେ ଦୀର୍ଘ ଦିନର ଶତ୍ରୁତା ହିଁ କ୍ରିକେଟ୍ ବଜାରରେ ଦୁଇ ଦଳକୁ ଚିରପ୍ରତିଦ୍ୱନ୍ଦ୍ୱୀ କରିଛି । ୨୦୧୨-୧୩ରୁ ଦୁଇ ଦଳ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ସ୍ଥଗିତ ରହିଛି । ପୁଣି କେବେ ଯେ ଆରମ୍ଭ ହେବ ତାହା କହିବା ମୁସ୍କିଲ । ହୁଏ ତ କେବେ ଆରମ୍ଭ ହୋଇପାରେ । ଭାରତ-ପାକ୍ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଥାନ୍ତି । ଦୁଇ ଦେଶରେ ପ୍ରଶଂସକଙ୍କ ଉତ୍ସୁକତା ଦେଖିବା ପାଇଁ ସାରା ବିଶ୍ୱ ଅନେଇ ବସିଥାଏ । ଏହି ଉତ୍କଣ୍ଠା ହିଁ ଏହି ମ୍ୟାଚର ମାର୍କେଟ ଭାଲ୍ୟୁକୁ ବୃଦ୍ଧି କରି ଦେଇଛି । ତେଣୁ ଆଇସିସି ଏମିତି କ୍ରୀଡ଼ାସୂଚୀ ପ୍ରସ୍ତୁତ କରେ ଯେମିତି ଭାରତ-ପାକ୍ ଗୋଟିଏ ଭଲ ଦିନରେ ମୁହାଁମୁହିଁ ହେବେ ।

ଏଥର ଏହି ମ୍ୟାଚର ଭାଲ୍ୟୁ ୨୨୦୦ କୋଟିରୁ ଊଦ୍ଧ୍ୱର୍ ଆକଳନ କରାଯାଇଥିଲା । ଆଇସିସି ଭାରତୀୟ ମାର୍କେଟ ଉପରେ ପୂର୍ଣ୍ଣ ନିର୍ଭରଶୀଳ । ତେଣୁ ଦୁଇ ଦଳକୁ ଯୋଡ଼ି ଭଲ ଦୁଇ ପଇସା ରୋଜଗାର କରିଥାଏ । ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତ ରେକର୍ଡ ଅତି ଭଲ ରହିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଦୁଇ ଦଳ ୯ ଥର ଖେଳିଛନ୍ତି । ପାକିସ୍ତାନ ଗୋଟିଏ ଏବଂ ଭାରତ ୮ଟିରେ ଜିତିଛି । ଦିନିକିଆରେ ବିଶ୍ୱକପ୍ରେ ଭାରତ (୮-୦) ବିପକ୍ଷରେ ପାକ୍ ଦଳ ଏ ପର୍ଯ୍ୟନ୍ତ ଜିତି ପାରି ନାହିଁ ।