ନୂଆଦିଲ୍ଲୀ,୧୧/୦୨: ଧରାଯାଉ କେହିଜଣେ ଧୋକାରେ ଆପଣଙ୍କ ନାଁରେ ଗୋଟିଏ ସିମ୍ କାର୍ଡ ବାହାର କରିଦେଲା ଏବଂ ସେହି ସିମ୍କୁ ବ୍ୟବହାର କରି କୌଣସି ଏକ ସ୍କିମରେ ପଞ୍ଜିକରଣ ବା ରେଜିଷ୍ଟ୍ରେସନ୍ କରାଗଲା, ସେପଟେ ସେ ଲୋକକୁ ଯୋଜନା ଆଧାରରେ ପଇସା ମିଳିଗଲା, କିନ୍ତୁ ଆପଣଙ୍କୁ ଏ ବିଷୟରେ କିଛି ଜଣାନାହିଁ। ଯେତେବେଳେ ଆପଣଙ୍କୁ ଏପରି ଫର୍ଜି ବା ସ୍କାମ ବିଷୟରେ ଜଣାପଡ଼ିବ, ସେତେବେଳକୁ ସମ୍ପୃକ୍ତ ବ୍ୟକ୍ତି ସବୁ ଖେଳ ସରିଦେଇଥିବ। ଏହା କେମିତି ସମ୍ଭବ? ବାୟୋମ୍ୟାଟ୍ରିକ ମାଧ୍ୟମରେ। ଧରାଯାଉ କେହିଜଣେ ଫିଙ୍ଗରପ୍ରିଣ୍ଟସ ବା ରେଟିନା ସ୍କାନର ଯୋଗାଡ଼ ପାଇଯାଏ, ତେବେ କାମ ଶେଷ ଆପଣଙ୍କ ଟଙ୍କା ମଧ୍ୟ ଶେଷ। ଏମିତି ଅନେକ ସ୍କାମ ବା ଅନଲାଇନ ଦୁର୍ନୀତି ସାମ୍ନାକୁ ଆସିବା ପରେ ଏବେ ୟୁଆଇଡିଏଆଇ ଅର୍ଥାତ୍ ୟୁନିକ ଆଇଡେଣ୍ଟିଫିକେସନ୍ ଅଥୋରିଟି ଅଫ୍ ଇଣ୍ଡିଆ ଏପରି ଅନଲାଇନ ସ୍କାମକୁ ରୋକିବା ପାଇଁ ଏକ ବଢ଼ିଆ ସୁବିଧା ଆଣିଛି। ଏହି ସୁବିଧାର ନାଁ ହେଉଛି ଆଧାର ବାୟୋମ୍ୟାଟ୍ରିକ ଲକ୍। ସବୁଠାରୁ ଭଲ କଥା ହେଲା, ଆପଣଙ୍କୁ ଏଥିପାଇଁ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବନି କି କୌଣସି ଟିକେଟ-ଟୋକନ କରିବାକୁ ପଡ଼ିବନି।
ବାସ୍ ଆପଣଙ୍କ ମୋବାଇଲ୍ ବାହାର କରନ୍ତୁ ଏବଂ ଦୁଇ ମିନିଟରେ କାମ ପୂରା କରନ୍ତୁ। ତେବେ ପ୍ରଥମେ ଆସନ୍ତୁ ବୁଝିବା 'ଆଧାର ବାୟୋମାଟ୍ରିକ ଲକ୍' କ'ଣ? ଯଦି ଆପଣ ଆଧାର ବାୟୋମାଟ୍ରିକ ଲକ୍ କରୁଛନ୍ତି ତେବେ କେହି ବି ଆପଣଙ୍କ ଫିଙ୍ଗରପ୍ରିଣ୍ଟରୁ ସିମ୍ ବାହାର କରିପାରିବ ନାହିଁ ଏବଂ କେହି ବି ଆଖିର ସ୍କାନିଂରୁ କେଓ୍ବାଇସି କରିପାରିବ ନାହିଁ। ଅର୍ଥାତ୍ କେହିବି ଆପଣଙ୍କ ଆଧାରକୁ ବ୍ୟବହାର କରି କୌଣସି ଭୁଲ କାମ କରିପାରିବ ନାହିଁ। ସିଧାସଳଖ ଭାବେ କହିପାରିବା ଯେ, ଆପଣଙ୍କ ଆଧାର ଉପରେ ପୂରା ତାଲା ପଡ଼ିବ। ଆବଶ୍ୟକସ୍ଥଳେ ଆପଣ କିଛି ସମୟ ପାଇଁ ଏହାକୁ ଖୋଲି ପାରିବେ ଏବଂ ଆପଣଙ୍କ କାମ ସାରିବା ପରେ ପୁଣି ଲକ୍ କରିପାରିବେ।
ଅଧିକ ପଢ଼ନ୍ତୁ: ଲିକ୍ ହେଲା 'ଧୁରନ୍ଧର ୨' ଡାଏଲଗ୍ ସିଟ୍, ପଦାକୁ ଆସିଲା ସମ୍ପୂର୍ଣ୍ଣ କାହାଣୀ!
ଏବେ ପ୍ରଶ୍ନ ଉଠୁଛି ବାୟୋମାଟ୍ରିକ ଲକ୍ କରିବେ କିପରି? ଏହାର ଦୁଇଟି ସରଳ ବାଟ ଅଛି। ପ୍ରଥମଟି ହେଉଛି ଆପଣ ୟୁଆଇଡିଏଆଇର ଅଫିସିଆଲ ଓ୍ବେବସାଇଟ ଏବଂ ଦ୍ବିତୀୟଟି ଏମ୍ ଆଧାର ଆପ୍। ପ୍ରଥମ ପ୍ରକ୍ରିୟାରେ ଆପଣ ୟୁଆଇଡିଏଆଇ ଓ୍ବେବସାଇଟ ଖୋଲନ୍ତୁ, ଆପଣଙ୍କ ଆଧାର ନମ୍ବର ଦିଅନ୍ତୁ, ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଗୋଟିଏ ଓଟିପି ଆସିବ, ଓଟିପି ଦେବା ପରେ ଲଗ୍ ଇନ୍ ହୋଇଯିବ। ସେଠାରେ ବାୟୋମାଟଅିକ ଲକ୍ ଏବଂ ଅନଲକର ଏକ ଅପସନ୍ ଦେଖାଯିବ, ବାସ୍ ଲକ୍ ଉପରେ କ୍ଳିକ୍ କରନ୍ତୁ, ବାସ ଆପଣଙ୍କ ଆଧାରରେ ତାଲା ପଡ଼ିବ ଅର୍ଥାତ୍ ଲକ୍ ହୋଇଯିବ।
ଦ୍ବିତୀୟ ପ୍ରକ୍ରିୟା ପାଇଁ ଏମ୍ ଆଧାର ଆପ୍ଳିକେସନ୍ ଡାଉନଲୋଡ୍ କରନ୍ତୁ। ନମ୍ବର ଦେବା ପରେ ଓଟିପିରେ ଲଗ୍ ଇନ୍ କରନ୍ତୁ, ମେନ୍ୟୁକୁ ଯାଆନ୍ତୁ...ବାୟୋମାଟ୍ରିକ ଲକ୍ ଉପରେ କ୍ଳିକ କରନ୍ତୁ, ଗୋଟିଏ କ୍ଳିକର କିଛି ସେକେଣ୍ଡରେ ଆପଣଙ୍କ ଫୋନକୁ ମେସେଜ୍ ଆସିବ ଯେ, ଆପଣଙ୍କ ବାୟୋମାଟ୍ରିକ ଲକ୍ ହୋଇଯାଇଛି ଏବଂ ସୁରକ୍ଷିତ ଅଛି। ତେବେ ଧରାଯାଉ ଆପଣ କୌଣସି ବ୍ୟାଙ୍କ ସମ୍ପର୍କିତ କାମ ବା ଆଧାର ସମ୍ପର୍କିତ କାମ କରୁଛନ୍ତି, ତେବେ ଆପଣ ସମାନ ପ୍ରକ୍ରିୟାରେ ବାୟୋମାଟ୍ରିକ ଅନ୍ ଲକ୍ କରିପାରିବେ। ଧ୍ୟାନ ଦେବେ, ଆପଣଙ୍କ ଆଧାର ସମ୍ପର୍କିତ କାମ ସରିବା ପରେ ପୁଣିଥରେ ଆପଣ ଏହାକୁ ଲକ୍ କରିଦିଅନ୍ତୁ। ଅନେକଙ୍କ ମନର ଏ ପ୍ରଶ୍ନ ମଧ୍ୟ ଆସୁଥିବ ଯେ, ବାୟୋମାଟ୍ରିକ ଲକ୍ କରିବା ଦ୍ବାରା ଆଧାର ସହିତ ଜଡ଼ିତ ସବୁ କାମ ବନ୍ଦ ହୋଇଯିବ...କିନ୍ତୁ ଏମିତି ହେବନାହିଁ। ଓଟିପିରେ ହେଉଥିବା ଭେରିଫିକେସନ୍ ସ୍ବାଭାବିକ ଭାବେ ଚାଲିବ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଟଙ୍କା କଟିବା ପରେ ଟ୍ରେନ୍ ଟିକେଟ୍ ନମିଳିଲେ କ’ଣ କରିବେ ? ଆଇଆରସିଟିସି କହିଲା କିପରି ବୁଡିବନି ଟଙ୍କା