ଏମିତି ଲାଗୁଛି କି ଆପଣଙ୍କ ସ୍ମରଣ ଶକ୍ତି ଦୁର୍ବଳ ହେବାରେ ଲାଗିଛି? ଛୋଟ ଛୋଟ କଥା ଭୁଲୁଛନ୍ତି କି? ଯଦି ହଁ, ତେବେ ଏହା ପଛରେ ରହିଥାଇପାରେ ନିୟମିତ ଜୀବନର କିଛି ବଦଭ୍ୟାସ, ଯାହା ଧୀରେ ଧୀରେ ମସ୍ତିଷ୍କକୁ ଦୁର୍ବଳ କରିଚାଲେ । ଯେପରିକି
ଅଧିକ ମିଠା ଖାଇବା
ମିଠା ପ୍ରାୟ ସମସ୍ତଙ୍କର ପସନ୍ଦ । କିନ୍ତୁ ଆବଶ୍ୟକଠାରୁ ଅଧିକ ମିଠା ଖାଇବା ଦ୍ୱାରା ମସ୍ତିଷ୍କର କ୍ଷତି ହୋଇଥାଏ । ଅଧିକ ମିଠା ଖାଇଲେ ମସ୍ତିଷ୍କରେ ପ୍ରଦାହ ହୋଇଥାଏ । ଫଳରେ କୌଣସି ଜିନିଷ ଶିଖିବା ଓ ମନେ ରଖିବା କ୍ଷମତା ହ୍ରାସ ପାଇଥାଏ । ତେଣୁ ଯଥାସମ୍ଭବ ମିଠା ପରିବର୍ତ୍ତେ ଫଳକୁ ଗୁରୁତ୍ୱ ଦେବା ଶିଖନ୍ତୁ ।
ନିଦର ଅଭାବ
ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ଲୋକ ଆବଶ୍ୟକ ନିଦରେ ଶୋଇପାରୁ ନାହାନ୍ତି । ଶାନ୍ତିରେ ଶୋଇବା ଦ୍ୱାରା ମସ୍ତିଷ୍କ ବ୍ୟବସ୍ଥିତ ହୋଇଥାଏ । ଯଦି ଦିନରେ ୭ରୁ ୮ ଘଣ୍ଟା ଶାନ୍ତି ନ ଶୁଅନ୍ତି, ତେବେ ମସ୍ତିଷ୍କ ଠିକ୍ ଭାବେ କାମ କରି ନଥାଏ । ଫଳରେ ବ୍ୟକ୍ତି ବିଭିନ୍ନ ଜିନିଷ ଭୁଲିବା ଆରମ୍ଭ କରିଥାଏ ।
ଏକଲାପଣ ଅନୁଭବ ହୁଏ
ଯଦି ଆପଣ ଅଧିକ ସମୟ ଏକା ରହୁଥାନ୍ତି, ସାଙ୍ଗସାଥୀଙ୍କ ସହ ସମୟ ବିତାଉ ନଥାନ୍ତି, ତେବେ ଏହା ମସ୍ତିଷ୍କ ପାଇଁ ଆଦୌ ଠିକ୍ ନୁହେଁ । ସାମାଜିକ ଭାବେ ସକ୍ରିୟ ରହିବା ଦ୍ୱାରା ମସ୍ତିଷ୍କର କସରତ ହେବା ସହ ତୀବ୍ରତା ବଢିଥାଏ । ସାଙ୍ଗ ଓ ପରିବାର ସହ ସମୟ ବିତାଇବା ଦ୍ୱାରା ମନ ପ୍ରଫୁଲିତ ରହିଥାଏ।
ମଲ୍ଟି ଟାସ୍କିଂ
କେତେକ ଲୋକ ଭାବିଥାନ୍ତି ଯେ ଏକା ସାଙ୍ଗରେ ଅନେକ କାମ କରିବ ଖୁବ୍ ଭଲ । କିନ୍ତୁ ମସ୍ତିଷ୍କ ଉପରେ ଅଧିକ ଚାପ ପଡିଥାଏ । ଗୋଟିଏ ସମୟରେ ଗୋଟିଏ କାମ କରିବା ଦ୍ୱାରା ମସ୍ତିଷ୍କର ଏକାଗ୍ରତା ବଢିଥାଏ । ମଲ୍ଟି ଟାକ୍ସି କରିବା ଦ୍ୱାରା ମସ୍ତିଷ୍କ ଥକି ପଡିଥାଏ । ଏପରିକି କାର୍ଯ୍ୟଦକ୍ଷତା କମିଚାଲେ ।
ବ୍ୟାୟାମ ନ କରିବା
ଶରୀର ସହ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ କରିବା ଜରୁରି । ନିୟମିତ ଶାରୀରକ ସକ୍ରିୟତା ବଜାୟ ରଖିବା ଦ୍ୱାରା ମସ୍ତିଷ୍କକୁ ଆବଶ୍ୟକ ରକ୍ତ ସଞ୍ଚାଳନ ହୋଇଥାଏ, ଯାହାଦ୍ୱାରା ମସ୍ତିଷ୍କକୁ ଅଧିକ ଅମ୍ଲଜାନ ଓ ପୋଷକ ତତ୍ତ୍ୱ ମିଳିଥାଏ । ନିୟମିତ ୩୦ ମିନିଟ୍ର ବ୍ୟାୟାମ କରିବା ଦ୍ୱାରା ମସ୍ତିଷ୍କ ସକ୍ରିୟ ରହିଥାଏ ।