ମୁମ୍ବାଇ,୧୫/୨ : ଇଶାନ କିଶନ ରଚିଲେ ଇତିହାସ । ଭାରତ ବନାମ ପାକିସ୍ତାନ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାରେ ତୃତୀୟ ବ୍ୟାଟର ହୋଇଯାଇଛନ୍ତି । ପ୍ରଥମ ସ୍ଥାନରେ ପୂର୍ବତନ ପାକିସ୍ତାନ ବ୍ୟାଟର ମହମ୍ମଦ ହଫୀଜଙ୍କ ନାଁ ଆସିଥାଏ । ଯିଏ ୨୦୧୨ରେ ଭାରତ ବିପକ୍ଷ ଅହମ୍ମଦାବାଦରେ ୨୩ବଲରେ ଅର୍ଦ୍ଧଶତକ ଯୋଡ଼ିଥିଲେ । ହଫୀଜଙ୍କ ପରେ ଦ୍ବିତୀୟ ସ୍ଥାନରେ ଅଭିଷେକ ଶର୍ମା ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଯିଏ ଦୁବାଇରେ ୨୪ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏବେ ଇଶାନ କିଶନ କଲମ୍ବୋରେ ୨୭ବଲ୍ରେ ଅର୍ଦ୍ଧଶତକ ହାସଲ କରି ତୃତୀୟ ସ୍ଥାନକୁ ଚାଲିଯାଇଛନ୍ତି।
ଭାରତ ବନାମ ପାକିସ୍ତାନ ଟି-୨୦ମ୍ୟାଚ୍ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି …
୨୩ବଲ୍ - ମହମ୍ମଦ ହାଫିଜ୍ (ପାକିସ୍ତାନ) - ଅହମ୍ମଦାବାଦ - ୨୦୧୨
୨୪ବଲ୍ - ଅଭିଷେକ ଶର୍ମା (ଭାରତ)- ଦୁବାଇ - ୨୦୨୫
୨୭ବଲ୍ - ଇଶାନ କିଶନ(ଭାରତ) - କଲମ୍ବୋ - ୨୦୨୬
୨୯ବଲ୍ - ଯୁବରାଜ ସିଂହ (ଭାରତ) - ଅହମ୍ମଦାବାଦ - ୨୦୧୨
ଗିଲଙ୍କ ରେକର୍ଡ଼ ଭାଙ୍ଗିଲେ କିଶନ
ଇଶାନ କିଶନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ଅନ୍ତର୍ଜାତୀୟ ମ୍ୟାଚର ପ୍ରଥମ ପାୱାରପ୍ଲେରେ ସର୍ବାଧିକ ରନ ସ୍କୋର କରିବାରେ ପ୍ରଥମ ବ୍ୟାଟର ହୋଇଛନ୍ତି । କିଶନଙ୍କ ପୂର୍ବରୁ ଏହି ରେକର୍ଡ଼ ଶୁଭମନ ଗିଲଙ୍କ ନାମରେ ଥିଲା । ଯିଏ ୨୦୨୫ଏସିଆ କପ୍ ସମୟରେ ଦୁବାଇରେ ବ୍ୟାଟିଂ କରୁଥିବା ବେଳେ ପ୍ରଥମ ପାୱାରପ୍ଲେରେ ୩୫ରନ୍ କରିଥିଲେ। ମାତ୍ର ଆଜି କଲମ୍ବୋରେ କିଶନ ପ୍ରଥମ ପାୱାରପ୍ଲେରେ ୪୨ରନ ସ୍କୋର୍ କରି ଏହି ରେକର୍ଡ଼ ହାସଲ କରିଛନ୍ତି।
ପାକିସ୍ତାନ ବିପକ୍ଷରେ ଇଶାନ କିଶନଙ୍କ ବ୍ୟାଟ୍ ଖୁବ୍ ଚାଲିଥିଲା । ମୋଟ୍ ୪୦ଟି ବଲ୍ ଖେଳି ୧୯୨.୫୦ଷ୍ଟ୍ରାଇକ୍ ରେଟରେ ୭୭ରନ୍ କରିବାରେ ସଫଳ ହୋଇଥିଲେ । ଏହି ସମୟରେ କ୍ରିକେଟ୍ ଫ୍ୟାନ୍ସମାନେ ତାଙ୍କ ବ୍ୟାଟରୁ ୧୦ଟି ଚୌକା ଏବଂ ୩ଟି ଛକ୍କା ଦେଖିବାକୁ ପାଇଥିଲେ । ମ୍ୟାଚ୍ ସମୟରେ ସଇମ ଅୟୁବ ତାଙ୍କ ବୋଲ୍ଡ କରିଥିଲେ ।