ନୂଆଦିଲ୍ଲୀ, ୨୪/୧ : ରାୟପୁରରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୭ ଓ୍ବିକେଟରେ ହରାଇଛି ଭାରତ । ଏହି ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ସହ ହିରୋ ସାଜିଥିଲେ ଇଶାନ କିଶାନ । ସେ ୩୨ ବଲରୁ ୭୬ ରନର ବିସ୍ଫୋରକ ପାଳି ଖେଳିଥିଲେ । ନ୍ୟୁଜିଲାଣ୍ଡର ବୋଲରକୁ ଧୁଲେଇ କରିଥିଲେ ଇଶାନ କିଶାନ । ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ବ୍ୟାଟିଂ କରି ଶେଷରେ ପ୍ଲେୟାର ଅଫ୍ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଇଶାନ କିଶାନ ପ୍ରଥମ ମ୍ୟାଚରେ ବିଫଳ ହୋଇଥିଲେ । ମାତ୍ର ଦ୍ବିତୀୟ ଟି-୨୦ରେ ଦମଦାର ପ୍ରଦର୍ଶନ କରି ଫ୍ୟାନ୍ସଙ୍କ ମନ ଜିଣିଥିଲେ । ତେବେ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନରେ ସେ କହିଥିଲେ କି, ଦୀର୍ଘଦିନ ଧରି ମୁଁ ନିଜକୁ ଗୋଟିଏ ପ୍ରଶ୍ନ କରି ଆସୁଥିଲି । ମୁଁ କଣ ଭାରତୀୟ ଦଳରେ ଖେଳିବାର ସୁଯୋଗ ପାଇବି କି ? ଏବେ ଉତ୍ତର ମିଳିଛି । ତେବେ ଘରୋଇ କ୍ରିକେଟରେ କେବଳ ସ୍କୋର କଲେ ହେବନି ଆନ୍ତର୍ଜାତୀୟ ଦଳରେ ବଡ଼ ସ୍କୋର କରିବା ସବୁ ଖେଳାଳିଙ୍କ ସ୍ବପ୍ନ ।
ତେବେ କହି ରଖୁଛୁ କି, ୨୦୨୩ ମସିହାରୁ ଭାରତୀୟ ଦଳରୁ ବାହାରେ ଥିଲେ ଏହି ବିସ୍ଫୋରକ ବାମହାତୀ ବ୍ୟାଟ୍ସମ୍ୟାନ୍ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ହଠାତ ଓହରି ଯାଇଥିଲେ । ଯେଉଁ କାରଣରୁ ଦୀର୍ଘ ଦୁଇବର୍ଷ ଦଳକୁ ଫେରି ପାରିନଥିଲେ । ଗରୋଇ କ୍ରିକେଟର ଲଗାତାର ଦମଦାର ପ୍ରଦର୍ଶନ ଜାରି ରଖିଥିଲେ । ନିକଟରେ ଯାଇଥିବା ସୟଦ ମୁସ୍ତାକ ଅଲ୍ଲି ଟ୍ରଫିରେ ୫୦୦ରୁ ଅଧିକ ସ୍କୋର କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଦଳକୁ ଫେରିଛନ୍ତି । ତୃତୀୟ ମ୍ୟାଚରେ ମଧ୍ୟ ବଡ଼ ସ୍କୋର କରିବେ ବୋଲି ଆଶା ରଖିଛନ୍ତି ଦର୍ଶକେ ।