ଭୁବନେଶ୍ୱର,୯/୨: ପ୍ରତିବର୍ଷ ବର୍ଷା ପାଣିରେ ଇସ୍କନ ବୁଡୁଛି । ଅଣ୍ଟାଏ ପାଣିରେ କାର, ବସ୍ ଭାସୁଛି । ଏହି ବଦନାମ ମୁଣ୍ଡରୁ ହଟାଇବାକୁ ବିଏମ୍ସି ନୂଆ ମାଷ୍ଟରପ୍ଲାନ ଆଣିଛି । ଇସ୍କନରୁ ବାଣୀବିହାର ଭୂ-ତଳ ଡ୍ରେନ୍ ନିର୍ମାଣ କରାଯିବ । ଆଇଆଇଟି ରୁର୍କୀର ମାଷ୍ଟରପ୍ଲାନ ଅଧାରରେ ନିର୍ମାଣ ହେବାକୁ ଯାଉଛି ଏହି ଡ୍ରେନ୍ । ଏନେଇ ଡିପିଆର ରାଜ୍ୟ ସରକାରଙ୍କ ପାଖରେ ଦାଖଲ କରିଛି ବିଏମ୍ସି । ଖୁବଶୀଘ୍ର ଏହାର ଟେଣ୍ଡର ଡକାଯାଇ କାମ ଆରମ୍ଭ ହେବ । ଆଗରୁ ଅନେକ ଡିପିଆର୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନଥିଲା । ସହରୀ ବନ୍ୟା ରୋକିବାକୁ ବିଏମ୍ସି ପକ୍ଷରୁ ଯୋଜନା ପରେ ଯୋଜନା ହୋଇଆସୁଛି ।
ପ୍ରାୟ ୨୫୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ସମଗ୍ର ସହରର ବର୍ଷାଜଳ ପରିଚାଳନା ପାଇଁ ଏକ ସମନ୍ୱିତ ସମାଧାନର ରାସ୍ତା ବାହାର କରିବାକୁ ବର୍ଷ ବର୍ଷ ଧରି ବିଏମସିର ବୟାନବାଜି କେବଳ ଖବରକାଗଜର ପୃଷ୍ଠା ମଣ୍ଡନ କରିଆସୁଛି । କିନ୍ତୁ କାମ କିଛି ହେଉନି । ତେବେ ୟାରି ଭିତରେ ଆଇଆଇଟି ରୁର୍କୀ ବିସ୍ତୃତ ଡ୍ରେନେଜ୍ ମାଷ୍ଟରପ୍ଲାନ୍ ଏବଂ ଡିପିଆର ପ୍ରସ୍ତୁତ କରିଛି । ଏହି କ୍ରମରେ ପ୍ରଥମେ ଇସ୍କନ ସମସ୍ୟାକୁ ପ୍ରାଥମିକତା ଦେଇ ଜଳ ନିଷ୍କାସନ କରିବାକୁ ବିଏମ୍ସି ଯୋଜନା କରିଛି । ଇସ୍କନରୁ ବାଣୀବିହାର ଭାୟା ଜୟଦେବ ବିହାର ଦେଇ ପ୍ରାୟ ୩.୧ କିମି ଭୂତଳ ଡ୍ରେନ୍ ନିର୍ମାଣ କରାଯିବ । ଇସ୍କନ ପାଖରେ ଥିବା ଚ୍ୟାମ୍ବରରୁ ୧ରୁ ୧.୫ ମିଟର ଦୈର୍ଘ୍ୟ ଏବଂ ୧.୫ ମିଟର ପ୍ରସ୍ଥ ବିଶିଷ୍ଟ ଏହି ଡ୍ରେନ୍ ଖୋଳାଯିବ । ଭୂତଳ ପାଇପ ଲାଇନ୍ ବସାଇ ଏହାକୁ ସିଧା ବାଣୀବିହାର ଡ୍ରେନ୍-୪ରେ ମିଶାଇବାକୁ ଯୋଜନା କରାଯାଇଛି । ବିଡିଏ ପକ୍ଷରୁ ନିର୍ମାଣ ହେଉଥିବା ଲେକ୍ ନ୍ୟୁଟ୍ରାଲ ପ୍ରକଳ୍ପରେ ଏହାକୁ ସଂଯୋଗ କରାଯିବ । ସେଠାରେ ପାଣି ବିଶୋଧନ କରାଯାଇ ଡ୍ରେନ୍-୪କୁ ଛାଡ଼ିବାକୁ ଯୋଜନା କରାଯାଇଛି ।
ଆଇଆଇଟି ରୁର୍କୀ ଏହି ଡିପିଆର ବିଏମ୍ସି ନିକଟରେ ଦାଖଲ କରିବା ପରେ ବିଏମସି ଏହାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପାଖକୁ ପଠାଯାଇଛି । ଏହା ଉପରେ ସରକାରଙ୍କ ମୋହର ବାଜିବା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନ୍ଡିଏମ୍ଏଫ୍) ଜରିଆରେ ଏହି ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଛି । ବର୍ଷ ବର୍ଷ ହେଲା ଇସ୍କନ ଜଳବନ୍ଦୀ ମୁଖ୍ୟ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଅସରାଏ ବର୍ଷା ହେଲେ ପାଣି ଜମୁଛି । ଏପରି କି ଜମାଟ ଯୋଗୁଁ, ଏନ୍-୧୬ ରାସ୍ତାରେ ଗାଡି ଚଳାଇବାରେ ବାଧା ଉପୁଜୁଛି । ତେବେ ଏହି ସମସ୍ୟାରୁ ସାମୟିକ ମୁକ୍ତି ପାଇଁ ଇସ୍କନ ନିକଟରେ ଚ୍ୟାମ୍ବର କରାଯାଇ ପାଣି ନିଷ୍କାସନ କରାଯାଉଛି । ହେଲେ ଏହା ନୂଆପଲ୍ଲୀ ଅଞ୍ଚଳକୁ ବୁଡାଉଛି ।
ଆହୁରି ପଢନ୍ତୁ-ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳି କଲେ ସିଆରପିଏଫ୍ ଯବାନ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
ବର୍ଷା ଦିନେ ବେହେରା ସାହି, ଦମୟନ୍ତି ଆପାର୍ଟମେଣ୍ଟ ଏବଂ ଭୋଇସାହି ଭଳି ଅଞ୍ଚଳ ଉବୁଟୁବୁ ହେବାରେ ଲାଗୁଛି । ଏହି ଡ୍ରେନ୍ ନିର୍ମାଣ ହେବା ପରେ ଏହି ସମସ୍ୟାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି । ଯେଉଁସବୁ ସ୍ଥାନରେ ବର୍ଷା ହେଲେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି ସେଭଳି ଇସ୍କନ ସମେତ ଭୁବନେଶ୍ୱରରେ ମୋଟ୍ ୫୭ଟି ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରାଯାଇଛି । ଏହି ସବୁ ଜଳବନ୍ଦୀ ଅଞ୍ଚଳର କାମ ହେବ । ଏଥିପାଇଁ କେନ୍ଦ୍ର ଏନ୍ଡିଏମ୍ଏଫ୍ରୁ ବିଏମ୍ସିକୁ ୨୦୦ କୋଟି ଟଙ୍କା ଦେବ । ପ୍ରଥମ ପର୍ଯ୍ୟାୟରେ ଇସ୍କନ- ବାଣୀବିହାର ପାଇଁ ୨୦ କୋଟି ଟଙ୍କା ଆସିଛି । ଏହା ପରେ ବିଏମ୍ସି ପକ୍ଷରୁ ବମିଖାଲରୁ ରସୁଲଗଡ଼ ଅଞ୍ଚଳର କାମ ହେବାକୁ ଲକ୍ଷ୍ୟ ରଖାଯାଇଛି ।