ପୁରୀ,୧୪/୦୫: ଶ୍ରୀମନ୍ଦିରରୁ ବଳକା ଦାରୁ ଅଂଶ ନିଆଯାଇ ଚତୁର୍ଦ୍ଧା ବିଗ୍ରହ ନିର୍ମାଣ ପରେ ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠା ହେଲା । ଦଇତାପତି ସମ୍ପାଦକ ରାମକୃଷ୍ଣ  ଦାସମହାପାତ୍ର ବଙ୍ଗଳା ଚ୍ୟାନେଲକୁ ଦେଇଥିବା  ଏହି ପ୍ରତିକ୍ରିୟାକୁ ନେଇ ରାଜ୍ୟ ହୁଲସ୍ତୁଲ  ହେଲା । ସେପଟେ ଦୀଘାକୁ ‘ଜଗନ୍ନାଥ ଧାମ’ କରିବା ନେଇ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି  ନିଆଁରେ ଘିଅ ଢାଳିଲା । ଏଥିରେ ଜଗନ୍ନାଥ ମନ୍ଦିର  ଟ୍ରଷ୍ଟ ବୋର୍ଡରେ ଦଇତାପତି ସମ୍ପାଦକ ରାମକୃଷ୍ଣ  ଦାସମହାପାତ୍ରଙ୍କ ସମେତ ଅନ୍ୟଜଣେ ଦଇତାପତି  ସେବାୟତ ସଦସ୍ୟ ରହିଥିଲେ ହେଁ ‘ଜଗନ୍ନାଥ  ଧାମ’ ନିଷ୍ପତ୍ତିକୁ ବିରୋଧ ନ କରିବା ବିବାଦକୁ  ଅଧିକ ଆଲୋଚନାର ବିଷୟ କରିଛି । ଦୀଘାକୁ  ‘ଜଗନ୍ନାଥ ଧାମ’ କରିବା ପଛରେ ଇସ୍କନର  ସମ୍ପୃକ୍ତି ନେଇ ଅଙ୍ଗୁଳି ଉଠାଇ ଗଜପତି ଦିବ୍ୟସିଂହ  ଦେବ ମାୟାପୁର ଇସ୍କନ ଗଭର୍ଣ୍ଣିଂବଡି ସୋସାଇଟି  ଅଧ୍ୟକ୍ଷଙ୍କୁଲେଖିଥିବା ଚିଠିର ଆସିଛି ଉତ୍ତର ।  ମାୟାପୁର ସୋସାଇଟି ଅଧ୍ୟକ୍ଷ ଚିଠି ଲେଖି  ଗଜପତିଙ୍କୁ ଦେଇଥିବା ଉତ୍ତରରେ ଦିଦିଙ୍କ ମିଛ  ଧରାପଡ଼ିଛି । ଏଥିସହ ରାମକୃଷ୍ଣଙ୍କ ସମ୍ପୃକ୍ତିକୁ  ଆହୁରି ଖୁଲାସା କରିଛି । 

ଚିଠିରେ ଇସ୍କନ  ପକ୍ଷରୁ କୁହାଯାଇଛି, ଦୀଘାକୁ ଜଗନ୍ନାଥ ଧାମ  କହିବା ପଛରେ ଇସ୍କନର ଭୂମିକା ଶୂନ ।  ସବୁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଦୀଘା  ଜଗନ୍ନାଥ ମନ୍ଦିର ପରିଚାଳନା ନିମନ୍ତେ ଯେଉଁ  ଟ୍ରଷ୍ଟ ଗଠନ ହୋଇଛି ସେଥିରେ ଇସ୍କନର ମାତ୍ର  ଜଣେ ସଦସ୍ୟ ରହିଛନ୍ତି । ଇସ୍କନକୁ କେବଳ  ସେବାପୂଜା ଦାୟିତ୍ୱ ଦିଆଯାଇଛି । ଶ୍ର୍ରୀମନ୍ଦିର  ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ  ଦାସମହାପାତ୍ର ମଧ୍ୟ ଦୀଘା ଜଗନ୍ନାଥ ମନ୍ଦିରର  ଜଣେ ଟ୍ରଷ୍ଟି । ପୁରୀରୁ କାଠରେ ଦିଅଁ ନିର୍ମାଣ  କରି ଆଣିବା ସହ ଏହି ଦଇତାପତି ଦୀଘାରେ  ପ୍ରାଣ ପ୍ରତିଷ୍ଠା କରିଥିଲେ । ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ ଏହି ଦଇତାପତିଙ୍କ ଶିଷ୍ୟା ବୋଲି ମଧ୍ୟ  କହିଥିଲେ । ଯେହେତୁ ଦୀଘାକୁ ଜଗନ୍ନାଥ ଧାମ  ନିଷ୍ପତ୍ତି ମମତା ସରକାର ନେଇଛନ୍ତି ଏହାର ଠିକ୍‌  ଉତ୍ତର ସେ ଦେଇପାରିବେ ବୋଲି ଇସ୍କନ କହିଛି ।  ଏନେଇ ଗଣମାଧ୍ୟମକୁ ଇସ୍କନ  କମ୍ୟୁନିକେସନ ନିର୍ଦ୍ଦେଶକ ପ୍ରେମାନନ୍ଦ ଦାସ  କହିଛନ୍ତି, ଦୀଘାରେ ମନ୍ଦିର ନିର୍ମାଣ ନିମନ୍ତେ ନିହାତି  ୩ ବର୍ଷ ଲାଗିଥିବ । ଏହା ପୂର୍ବରୁ ଟ୍ରଷ୍ଟ ହୋଇଥିବ ।  ଟ୍ରଷ୍ଟର ନାମ ହେଉଛି ‘ଜଗନ୍ନାଥ ଧାମ’ ଟ୍ରଷ୍ଟ ।  ଏହି ଟ୍ରଷ୍ଟର ଯେଉଁ ଗଭଣ୍ଣି ର୍ଂ ବଡି କରାଯାଇଛି  ଏଥିରେ ଇସ୍କନର ହସ୍ତକ୍ଷେପ ନାହିଁ । ଇସ୍କନର  ଯେଉଁ ଜଣେ ସଦସ୍ୟ ଏହି ଟ୍ରଷ୍ଟରେ ରହିଛନ୍ତି  ସେ ମାତ୍ର ୨ ମାସ ତଳେ ସଦସ୍ୟ ହୋଇଛନ୍ତି ।  ତେଣୁ ଇସ୍କନର ସମ୍ପୃକ୍ତି ଜଗନ୍ନାଥ ଧାମ ନିଷ୍ପତ୍ତି  ପଛରେ ଆଦୌ ନାହିଁ । ବିବାଦର ସମାଧାନ  ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା  କରାଯାଇ ହୋଇପାରିବ ବୋଲି ଶ୍ରୀ ଦାସ କହିଛନ୍ତି ।