ରାଫା, ୨୯/୦୫: ଇସ୍ରାଏଲ୍ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଗାଜାରେ ଭୟଙ୍କର ସମସ୍ୟା ସୃଷ୍ଟି କରିଛି । ଲୋକମାନେ ଜରୁରି ସେବା ପାଇଁ ଆର୍ତ୍ତ ଚିତ୍କାର କରୁଛନ୍ତି । ଏଭଳି ସ୍ଥିତିରେ ଖାଦ୍ୟ ସାମଗ୍ରୀ ବିତରଣ ବେଳେ ଦଳାଚକଟା ସ୍ଥିତି ଉପୁଜିବାରୁ ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ଘଟଣାରେ ୬୨ ଜଣ ଆହତ ହୋଇଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି ।
ଅଲ୍ ଜଜିରା ରିପୋର୍ଟ ମୁତାବକ, ଲୋକମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଛିଡ଼ା ହୋଇ ଖାଦ୍ୟ ସାମଗ୍ରୀ ସଂଗ୍ରହ କରୁଥିବା ବେଳେ ଅଚାନକ ଇସ୍ରାଏଲୀ ସୈନ୍ୟମାନେ ଏୟାରଷ୍ଟ୍ରାଇକ୍ କରିଥିଲେ । ଫଳରେ ଲୋକମାନେ ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିବାରୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ ଲାଗି ଚେତାବନୀ ଦେବା ପାଇଁ ଗୁଳିଚାଳନା କରାଯାଇଥିବା ଇସ୍ରାଏଲୀ ସୈନ୍ୟମାନେ ସଫେଇ ଦେଇଛନ୍ତି । ଗାଜାରେ ଲୋକମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ସକାଶେ ଅନ୍ତର୍ଜାତୀୟ ସଂସ୍ଥା ଫୁଡ୍ ସେଣ୍ଟରମାନ ଖୋଲିବା ଆରମ୍ଭ କରିଛନ୍ତି । ମଙ୍ଗଳବାର ଗାଜାର ଦକ୍ଷିଣ ସହର ରାଫାରେ ଏହିଭଳି କିଛି ଖାଦ୍ୟ ବିତରଣ କେନ୍ଦ୍ର ଖୋଲିଥିଲା । ହଜାର ହଜାର ସଂଖ୍ୟାରେ ଲୋକମାନେ ଖାଦ୍ୟ ନେବା ଆଶାରେ ପହଞ୍ଚିଥିଲେ । କିନ୍ତୁ ଇସ୍ରାଏଲ୍ ସେନା ଏୟାରଷ୍ଟ୍ରାଇକ୍ କରିବାରୁ ଲୋକମାନେ ଆତଙ୍କିତ ହୋଇ ଦୌଡ଼ିବାକୁ ଲାଗିଥିଲେ । ଗାଜା ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ତରଫରୁ ଏକ ବିବୃତିରେ କୁହାଯାଇଛି ଯେ ରାଫାରେ ଜାଣିଶୁଣି ଏଭଳି କରାଯାଇଛି । ଇସ୍ରାଏଲୀ ସେନା ନରସଂହାର କରିଛନ୍ତି । ଏହା ଯୁଦ୍ଧ ଅପରାଧ । ଗାଜାରେ ଏକ ସପ୍ତାହ ପାଇଁ ସହାୟତା ପହଞ୍ଚାଇବାକୁ ନିଷ୍ପତ୍ତି ହୋଇଛି । କିନ୍ତୁ କିଛି ସର୍ତ୍ତ ରଖାଯାଇଛି ।
ସର୍ତ୍ତ ଅନୁସାରେ, ଗାଜାରେ ଖାଦ୍ୟ ବିତରଣ ଲାଗି ଇସ୍ରାଏଲ ନୂଆ କେନ୍ଦ୍ର ସ୍ଥାପନ କରିବ । ଏହା ଇସ୍ରାଏଲୀ ସେନାର ତଦାରଖରେ ରହିବ । ଏହାର ପରିଚାଳନା ଆମେରିକୀୟ କମ୍ପାନି କରିବେ । ନୂଆ ବ୍ୟବସ୍ଥା ଅନୁସାରେ ଗାଜାର ଲୋକମାନଙ୍କୁ ଗାଜା ହ୍ୟୁମାନିଟାରିଆନ ଫାଉଣ୍ଡେସେନ (ଜିଏଚ୍ଏଫ୍) ଜରିଆରେ ସହାୟତା ପ୍ରଦାନ କରାଯିବ । ତେବେ ଅନେକ ସହାୟତା ଏଜେନ୍ସି ଏହି ଯୋଜନାର ସମାଲୋଚନା କରିଛନ୍ତି । ଏହାଦ୍ୱାରା ମାନବାଧିକାର ଉଲ୍ଲଂଘନ ହେବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଜିଏଚ୍ଏଫ୍ ସ୍ୱିଜରଲାଣ୍ଡରେ ପଞ୍ଜିକୃତ । ପୂର୍ବତନ ଆମେରିକୀୟ ମରୀନ୍ ଜେଫ୍ ଉଡ୍ସ ଏହାକୁ ଚଳାଉଛନ୍ତି । ଜାତିସଂଘ ଜିଏଚ୍ଏଫ୍ ସହ କାମ ନ କରିବା ପାଇଁ କହିଛି । କାରଣ ଏହା ଏକ ନିରପେକ୍ଷ ସଂସ୍ଥା ନୁହେଁ ।
ଗାଜାରେ ଜିଏଚ୍ଏଫ୍ର ୪ଟି ବିତରଣ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି, ଯେବେ କି ଜାତିସଂଘର ଗାଜାରେ ୪୦୦ ବିତରଣ କେନ୍ଦ୍ର ଚାଲିଛି । ତେଣୁ ଯଦି ଜିଏଚ୍ଏଫ୍ ଦ୍ୱାରା ଗାଜାର ଲୋକଙ୍କୁ ଖାଦ୍ୟ ଦିଆଯାଏ କମ୍ ଲୋକଙ୍କ ପାଖରେ ସହାୟତା ପହଞ୍ଚିପାରିବ । ଅନ୍ୟମାନେ ଖାଦ୍ୟ ସାମଗ୍ରୀ ଭଳି ଜରୁରି ସାମଗ୍ରୀ ନେବାରୁ ବଞ୍ଚିତ ହେବେ।