ରାଫା, ୨୯/୦୫: ଇସ୍ରାଏଲ୍‌ ଓ ହମାସ  ମଧ୍ୟରେ ଚାଲିଥିବା ଯୁଦ୍ଧ ଗାଜାରେ ଭୟଙ୍କର  ସମସ୍ୟା ସୃଷ୍ଟି କରିଛି । ଲୋକମାନେ ଜରୁରି  ସେବା ପାଇଁ ଆର୍ତ୍ତ ଚିତ୍କାର କରୁଛନ୍ତି । ଏଭଳି  ସ୍ଥିତିରେ ଖାଦ୍ୟ ସାମଗ୍ରୀ ବିତରଣ ବେଳେ ଦଳାଚକଟା ସ୍ଥିତି ଉପୁଜିବାରୁ ୧୦ ଜଣ ଲୋକ  ପ୍ରାଣ ହରାଇଛନ୍ତି । ଘଟଣାରେ ୬୨ ଜଣ ଆହତ  ହୋଇଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି । 

ଅଲ୍‌ ଜଜିରା ରିପୋର୍ଟ ମୁତାବକ, ଲୋକମାନେ  ଶୃଙ୍ଖଳିତ ଭାବେ ଧାଡ଼ିରେ ଛିଡ଼ା ହୋଇ ଖାଦ୍ୟ ସାମଗ୍ରୀ ସଂଗ୍ରହ କରୁଥିବା ବେଳେ ଅଚାନକ ଇସ୍ରାଏଲୀ ସୈନ୍ୟମାନେ ଏୟାରଷ୍ଟ୍ରାଇକ୍‌  କରିଥିଲେ । ଫଳରେ ଲୋକମାନେ ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିବାରୁ ଦଳାଚକଟା  ପରିସ୍ଥିତି ଉପୁଜିଥିଲା । ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ ଲାଗି ଚେତାବନୀ ଦେବା ପାଇଁ  ଗୁଳିଚାଳନା କରାଯାଇଥିବା ଇସ୍ରାଏଲୀ  ସୈନ୍ୟମାନେ ସଫେଇ ଦେଇଛନ୍ତି । ଗାଜାରେ ଲୋକମାନଙ୍କ ପାଖରେ ଖାଦ୍ୟ  ପହଞ୍ଚାଇବା ସକାଶେ ଅନ୍ତର୍ଜାତୀୟ ସଂସ୍ଥା ଫୁଡ୍‌  ସେଣ୍ଟରମାନ ଖୋଲିବା ଆରମ୍ଭ କରିଛନ୍ତି ।  ମଙ୍ଗଳବାର ଗାଜାର ଦକ୍ଷିଣ ସହର ରାଫାରେ  ଏହିଭଳି କିଛି ଖାଦ୍ୟ ବିତରଣ କେନ୍ଦ୍ର ଖୋଲିଥିଲା ।  ହଜାର ହଜାର ସଂଖ୍ୟାରେ ଲୋକମାନେ ଖାଦ୍ୟ  ନେବା ଆଶାରେ ପହଞ୍ଚିଥିଲେ । କିନ୍ତୁ ଇସ୍ରାଏଲ୍‌  ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ଲୋକମାନେ  ଆତଙ୍କିତ ହୋଇ ଦୌଡ଼ିବାକୁ ଲାଗିଥିଲେ । ଗାଜା  ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ତରଫରୁ  ଏକ ବିବୃତିରେ କୁହାଯାଇଛି ଯେ ରାଫାରେ  ଜାଣିଶୁଣି ଏଭଳି କରାଯାଇଛି । ଇସ୍ରାଏଲୀ ସେନା  ନରସଂହାର କରିଛନ୍ତି । ଏହା ଯୁଦ୍ଧ ଅପରାଧ । ଗାଜାରେ ଏକ ସପ୍ତାହ ପାଇଁ ସହାୟତା  ପହଞ୍ଚାଇବାକୁ ନିଷ୍ପତ୍ତି ହୋଇଛି । କିନ୍ତୁ କିଛି ସର୍ତ୍ତ  ରଖାଯାଇଛି । 

ସର୍ତ୍ତ ଅନୁସାରେ, ଗାଜାରେ ଖାଦ୍ୟ  ବିତରଣ ଲାଗି ଇସ୍ରାଏଲ ନୂଆ କେନ୍ଦ୍ର ସ୍ଥାପନ  କରିବ । ଏହା ଇସ୍ରାଏଲୀ ସେନାର ତଦାରଖରେ  ରହିବ । ଏହାର ପରିଚାଳନା ଆମେରିକୀୟ  କମ୍ପାନି କରିବେ । ନୂଆ ବ୍ୟବସ୍ଥା ଅନୁସାରେ  ଗାଜାର ଲୋକମାନଙ୍କୁ ଗାଜା ହ୍ୟୁମାନିଟାରିଆନ  ଫାଉଣ୍ଡେସେନ (ଜିଏଚ୍‌ଏଫ୍‌) ଜରିଆରେ  ସହାୟତା ପ୍ରଦାନ କରାଯିବ । ତେବେ ଅନେକ  ସହାୟତା ଏଜେନ୍ସି ଏହି ଯୋଜନାର ସମାଲୋଚନା  କରିଛନ୍ତି । ଏହାଦ୍ୱାରା ମାନବାଧିକାର ଉଲ୍ଲଂଘନ  ହେବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଜିଏଚ୍‌ଏଫ୍‌ ସ୍ୱିଜରଲାଣ୍ଡରେ ପଞ୍ଜିକୃତ । ପୂର୍ବତନ  ଆମେରିକୀୟ ମରୀନ୍‌ ଜେଫ୍‌ ଉଡ୍‌ସ ଏହାକୁ  ଚଳାଉଛନ୍ତି । ଜାତିସଂଘ ଜିଏଚ୍‌ଏଫ୍‌ ସହ କାମ  ନ କରିବା ପାଇଁ କହିଛି । କାରଣ ଏହା ଏକ  ନିରପେକ୍ଷ ସଂସ୍ଥା ନୁହେଁ । 

ଗାଜାରେ ଜିଏଚ୍‌ଏଫ୍‌ର  ୪ଟି ବିତରଣ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତୁତି  ଚାଲିଛି, ଯେବେ କି ଜାତିସଂଘର ଗାଜାରେ ୪୦୦  ବିତରଣ କେନ୍ଦ୍ର ଚାଲିଛି । ତେଣୁ ଯଦି ଜିଏଚ୍‌ଏଫ୍‌  ଦ୍ୱାରା ଗାଜାର ଲୋକଙ୍କୁ ଖାଦ୍ୟ ଦିଆଯାଏ କମ୍‌  ଲୋକଙ୍କ ପାଖରେ ସହାୟତା ପହଞ୍ଚିପାରିବ ।  ଅନ୍ୟମାନେ ଖାଦ୍ୟ ସାମଗ୍ରୀ ଭଳି ଜରୁରି ସାମଗ୍ରୀ  ନେବାରୁ ବଞ୍ଚିତ ହେବେ।