ନୂଆଦିଲ୍ଲୀ,୧୫।୯: କାତାର ରାଜଧାନୀ ଦୋହାରେ ଆରମ୍ଭ ହୋଇଛି ଆରବ ଇସଲାମିକ୍ ସମ୍ମିଳନୀ। ଯେଉଁଥିରେ ୫୦ ରୁ ଅଧିକ ମୁସଲିମ୍ ଦେଶ ଏକାଠି ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଦୋହା ଉପରେ ଇସ୍ରାଏଲର ଆକ୍ରମଣ ପରେ ଏହା ପ୍ରଥମ ଥର ହେବ, ଯେତେବେଳେ ଏତେ ସଂଖ୍ୟକ ମୁସଲିମ୍ ଦେଶ ଏକାଠି ବସିବେ। ଏହା କେବଳ ଇସ୍ରାଏଲ୍ ନୁହେଁ ବରଂ ଆମେରିକାକୁ ମଧ୍ୟ ବିଚଳିତ କରିବ। ଗାଜାରେ ଇସ୍ରାଏଲ୍ ଯାହା କରିଛି ତାହା ଉପରେ ମୁସଲିମ୍ ଦେଶମାନେ ପୂର୍ବରୁ ରାଗରେ ରକ୍ତଚାଉଳ ଚୋବାଉଛନ୍ତି। ଗାଜା ଖାଲି କରିବା ନେଇ ଇସ୍ରାଏଲର ଧମକ ପରେ ଏବେ ସେଠାରେ ସ୍ଥିତି ଖୁବ୍ ସଙ୍ଗୀନ। ଜୀବନ ବଞ୍ଚାଇ ପଳାୟନ କରୁଛନ୍ତି ଲୋକେ। ରାତିକ ଭିତରେ ୨୦ ହଜାରରୁ ଅଧିକ ଲୋକ ଗାଜି ଛାଡି ସାରିଲେଣି। ଏବେ କାତାରରେ ଆକ୍ରମଣ ପରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି।ସମ୍ମିଳନୀରେ ଇସ୍ରାଏଲ ବିରୋଧରେ ମୁସଲମାନ ଦେଶ ଗୁଡିକ ନିନ୍ଦା ପ୍ରସ୍ତାବ ଆଣିବେ । ଏହାଛଡା ଜାତିସଂଘର ମହାସଭାରେ ପାଲେଷ୍ଟାଇନକୁ ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା ନେଇ ମଧ୍ୟ ଦାବି କରିପାରନ୍ତି। ଏପର୍ଯ୍ୟନ୍ତ ୧୫୦ଟି ଦେଶ ପାଲେଷ୍ଟାଇନକୁ ମାନ୍ୟତା ପ୍ରଦାନ କରୁଛନ୍ତି। ତେଣୁ ଇସଲାମିକ୍ ଦେଶ ଗୁଡିକ ସାରା ବିଶ୍ବରେ ପାଲେଷ୍ଟାଇନକୁ ମାନ୍ୟତା ଦେବାର ଚେଷ୍ଟା କରିବେ।
ଏକାଠି ଏତେ ସଂଖ୍ୟକ ମୁସଲମାନ ଦେଶ ଏକାଠି ହେବା ନିଶ୍ଚିତ ପକ୍ଷେ ଆମେରିକା ଉପରେ ଚାପ ପକାଇବ। କାତାର ଉପରେ ଆକ୍ରମଣ ପରେ ଗତକାଲି ଦୋହାରେ ଆରବ ଇସଲାମିକ୍ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ହୋଇଥିଲା। କାତାର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲରହମାନ ଅଲ୍ ଥାନି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିବାକୁ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ କରିଛନ୍ତି। ଆରବ ଲିଗ୍ କହିଛି , ଦୋହା ବୈଠକରୁ ଆରବ-ଇସଲାମିକ୍ ସହଯୋଗର ଏକ ସ୍ପଷ୍ଟ ବାର୍ତ୍ତା ଦେବା ଉଚିତ ଯେ, କାତାର ଏକା ନୁହେଁ।
ନିକଟରେ ଜାତିସଂଘରେ ଇସ୍ରାଏଲ୍ ପାକିସ୍ତାନର ନା ନେଇ କଡ଼ା ଭର୍ତ୍ସନା କରିଥିଲା। ଏହା ମୁସଲମାନ ଦେଶ ଗୁଡିକୁ ଖୁବ୍ ବାଧିଛି। ତା ଛଡା କାତାର ଉପରେ ଇସ୍ରାଏଲର ଆକ୍ରମଣକୁ ଆମେରିକା ସମର୍ଥନ କରୁଥିବାରୁ ଉପସାଗରୀୟ ଆରବ ଦେଶଗୁଡ଼ିକୁ ଏକ ହେବାକୁ ବାଧ୍ୟ ହୋଇଛନ୍ତି।ରାଜନୈତିକ ବିଶେଷଜ୍ଞଙ୍କ ମତରେ ଇସ୍ରାଏଲ ଆକ୍ରମଣ ତୁର୍କୀକୁ ମଧ୍ୟ ଆତଙ୍କିତ କରିଛି। ଇସ୍ରାଏଲୀ ସେନାର ଚିଫ୍ ଅଫ୍ ଜେନେରାଲ ଷ୍ଟାଫ କହିଥିଲେ ଗାଜା ସହ ଅନ୍ୟ ଦେଶରେ ମଧ୍ୟ ହମାସ ନେତା ରୁହନ୍ତି। ଆମେ ତାଙ୍କୁ ଖୋଜି ଖୋଜି ଟାର୍ଗେଟ କରିବୁ। ତୁର୍କୀରେ ହମାସକୁ ଶରଣ ସହ ଆର୍ଥିକ ସହାୟତା ଦିଆଯାଉଛି। ଗତ ଦୁଇ ବର୍ଷରେ ଇସ୍ରାଏଲ ୬ଟି ଇସଲାମିକ୍ ରାଷ୍ଟ୍ରକୁ ଟାର୍ଗେଟ କରି ସାରିଛି। ତା ଭିତରେ ୟେମେନ, ଲେବାନନ୍, ଇରାନ, ସିରିଆ, ପାଲେଷ୍ଟାଇନ୍ ଓ କତର ରହିଛି। ତେଣୁ ତୁର୍କୀ ନିଜକୁ ସୁରକ୍ଷିତ ମନେକରୁନି। ସେପେଟ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କିନ୍ତୁ ନିଜ ଜିଦ୍ରେ ଅଟଳ। ସେ କହିଥିଲେ, ଶତ୍ରୁମାନେ ଯେଉଁଠାରେ ଲୁଚି ରହିଥିଲେ ବି ଆମେ ସେମାନଙ୍କ ଉପରେ ଆକ୍ରମଣ କରିବୁ। ସେ କାତାର ସରକାରଙ୍କୁ ଚେତାବନୀ ଦେଇଥିଲେ ଯେ ହମାସ ନେତାମାନଙ୍କୁ ସେଠାରୁ ବାହାର କର, ଯଦି ଏପରି ନ କର, ତେବେ ଆମେ କରିବୁ।