ତେଲ୍‌ ଆଭିଭ୍‌/ବିରୁଟ୍‌/ଗାଜା,୦୮/୧୦: ଇସ୍ରାଏଲ୍‌ ଉପରେ ଲେବାନନ୍‌, ୟେମେନ୍‌ ଓ  ଗାଜାରୁ ଜୋରଦାର ହମ୍‌ଲା କରାଯାଇଛି । ହମାସ୍‌ ଯୁଦ୍ଧକୁ ସୋମବାର ବର୍ଷେ ପୂରିବା ନେଇ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଜରୁରି  ୱାର କ୍ୟାବିନେଟ୍‌ ବୈଠକ ଡାକି ଆଲୋଚନା  କରିଥିଲେ। ଇସ୍ରାଏଲ୍‌ରେ ଆଉ ଅକ୍ଟୋବର ୭  ଭଳି ଆକ୍ରମଣ ହେବନାହିଁ ବୋଲି ନେତନ୍ୟାହୁ  କହିଥିଲେ । ସେପଟେ ଅକ୍ଟୋବର ୭ରେ  ଇସ୍ରାଏଲ୍‌ ଉପରେ ହମାସ୍‌ କରିଥିବା ଆକ୍ରମଣକୁ  ଇରାନ୍‌ର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ  ଖାମେନେଇ ପ୍ରଶଂସା କରିଛନ୍ତି । 

ନେତନ୍ୟାହୁଙ୍କ ଅଧ୍ୟକ୍ଷତାରେ ୱାର  କ୍ୟାବିନେଟ୍‌ ବୈଠକ ଚାଲିଥିବା ବେଳେ ଦେଶର  ବିଭିନ୍ନ ସ୍ଥାନରେ ହିଜ୍‌ବୁଲ୍ଲା, ହମାସ୍‌ ଓ ହୁତି  ପକ୍ଷରୁ ଆକ୍ରମଣ ହୋଇଥିଲା । ଲେବାନନ୍‌ରୁ  ହିଜ୍‌ବୁଲ୍ଲା ୧୩୫ରୁ ଅଧିକ ରକେଟ୍‌ ମାଡ଼  କରିଥିଲା ବେଳେ ୟେମେନ୍‌ରୁ ସର୍‌ଫେସ୍‌-ଟୁସର୍‌ଫେସ୍‌ ମିସାଇଲ ଛଡ଼ାଯାଇଥିଲା । ସେହିଭଳି  ହମାସ୍‌ ତେଲ୍‌ ଆଭିଭ୍‌ ଉପରେ ରକେଟ୍‌ ମାଡ଼  କରିଥିଲା । ତେବେ ତିନିତରଫା ଆକ୍ରମଣରେ  ଇସ୍ରାଏଲ୍‌ର ସେଭଳି ବଡ଼ କ୍ଷତି ହୋଇନାହିଁ । ଏହାର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା  ଅଧିକାଂଶ ରକେଟ୍‌ ଓ ମିସାଇଲ୍‌କୁ ଖସାଇ ଦେଇଛି । ହିଜ୍‌ବୁଲ୍ଲା ଇସ୍ରାଏଲ୍‌ର ହାଇଫା ସହର  ଉପରେ ରକେଟ୍‌ ମାଡ଼ କରିଥିଲା । ଏଥିରେ  ଅତିକମ୍‌ରେ ୧୦ ଜଣ ଆହତ ହୋଇଛନ୍ତି । ୟେମେନ୍‌ରୁ ଛଡ଼ା ଯାଇଥିବା ରକେଟ୍‌ଗୁଡ଼ିକୁ  ଗତିରୋଧ କରାଯାଇ ଖସାଇ ଦିଆଯାଇଥିବା  ଇସ୍ରାଏଲୀ ବାୟୁସେନା କହିଛି । ଇସ୍ରାଏଲ୍‌ ମଧ୍ୟ ସୋମବାର ଗାଜା ଓ ଲେବାନନ୍‌ରେ ଏୟାର ଷ୍ଟ୍ରାଇକ୍‌  କରିଛି । ଆକ୍ରମଣରେ ଲେବାନନ୍‌ରେ ୧୦ ଅଗ୍ନିଶମ  କର୍ମଚାରୀ ପ୍ରାଣ ହରାଇଥିବା ଦେଶର ସ୍ୱାସ୍ଥ୍ୟ  ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିଭଳି ୱେଷ୍ଟ  ବ୍ୟାଙ୍କରେ ହୋଇଥିବା ହମ୍‌ଲାରେ ଜଣେ ୧୨  ବର୍ଷୀୟ ପାଲେଷ୍ଟିନୀୟ ନାବାଳକ ପ୍ରାଣ ହରାଇଛି ।

ଅନ୍ୟପକ୍ଷରେ ହିଜ୍‌ବୁଲ୍ଲାର ପରବର୍ତ୍ତୀ ମୁଖ୍ୟ  ହାସେମ୍‌ ସାଫିଦ୍ଦିନ୍‌ ପ୍ରାଣ ହରାଇଥିବା ଖବର  ନେଇ ସ୍ପଷ୍ଟ ହୋଇନାହିଁ ବୋଲି ଆଜି ଇସ୍ରାଏଲ୍‌ ସରକାର କହିଛନ୍ତି । ଗତ ସପ୍ତାହରେ ବିରୁଟ୍‌ରେ  ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ସାଫିଦ୍ଦିନ୍‌ ନିପାତ  ହୋଇଥିବା କୁହାଯାଇଥିଲା । ଲେବାନନ୍‌ ସୀମାରେ  ଇସ୍ରାଏଲ ପକ୍ଷରୁ ଅଧିକ ସୈନ୍ୟ ମୁତୟନ  କରାଯାଇଛି । ସେପଟେ ଡେନ୍‌ମାର୍କରେ ଥିବା  ଇସ୍ରାଏଲ୍‌ର ଦୂତାବାସ ନିକଟରେ ବିସ୍ଫୋରଣ  ହୋଇଛି । ଗାଜାର ଖାନ୍‌ ୟୁନିସ୍‌ରେ ଆଜି  ଇସ୍ରାଏଲ୍‌ ମିସାଇଲ୍‌ ମାଡ଼ କରିଛି ।