ନୂଆଦିଲ୍ଲୀ,୧୩/୦୫: ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ ଲାଗି ଇସ୍ରାଏଲ ପ୍ରସ୍ତୁତି ଚଳାଉଥିବା ଆମେରିକାର ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି । ଏହି ଖବର ଭାରତ ଭଳି ତୈଳ ଆମଦାନିକାରୀ ରାଷ୍ଟ୍ର ପାଇଁ ଚିନ୍ତାର ବିଷୟ । ଇସ୍ରାଏଲ୍ର ହମ୍ଲା ଦ୍ୱାରା ମଧ୍ୟପ୍ରାଚ୍ୟର ତୈଳ ଉତ୍ପାଦନ କ୍ଷେତ୍ର ପ୍ରଭାବିତ ହେବା ଆଶଙ୍କା ରହିଛି । ଏହା ଦ୍ୱାରା ଅଶୋଧିତ ତୈଳ ଦରରେ ବଡ଼ ଧରଣର ବୃଦ୍ଧି ଘଟିପାରେ, ଯାହାର ବୃହତ୍ ପ୍ରଭାବ ଅନୁଭବ କରିବ ଭାରତ ।
ବୁଧବାର ଅଶୋଧିତ ତୈଳ ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଇରାନର ପରମାଣୁ ଘାଟି ଉପରେ ଇସ୍ରାଏଲ୍ର ଆକ୍ରମଣ ଆଶଙ୍କା ଯୋଗୁ ତୈଳ ଦରରେ ଏହି ବୃଦ୍ଧି ଘଟିଛି । ବୁଧବାର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ବେଣ୍ଟ କ୍ରୁଡ୍ ୧.୦୬% ବଢ଼ି ୬୬.୦୭ ଡଲାରରେ ପହଞ୍ଚିଛି । ସେହିଭଳି ବ୍ୟାରେଲ୍ ପିଛା ଡବ୍ଲ୍ୟୁଟିଆଇ ୧.୦୬% ବୃଦ୍ଧି ପାଇ ୬୬.୦୭ ଡଲାରରେ ପହଞ୍ଚିଛି । ଯଦି ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଚାଲେ ତେବେ ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବ । କାରଣ ଭାରତ ଏହାର ତୈଳ ଆବଶ୍ୟକତାର ୮୫% ଆମଦାନି ମାଧ୍ୟମରେ ପୂରଣ କରିଥାଏ ।
ଆମେରିକାର ଗୁଇନ୍ଦା ରପୋର୍ଟ ଆସିବା ପରେ ଇରାନରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିନ୍ତୁ ଆକ୍ରମଣ ଲାଗି ଇସ୍ରାଏଲ କର୍ତ୍ତୃପକ୍ଷ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ଏ ବାବଦରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ୱାଶିଂଟନସ୍ଥିତ ଏହାର ଦୂତାବାସ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ସୂତ୍ର ମୁତାବକ, ଆମେରିକା ଓ ଇରାନ ମଧ୍ୟରେ ଯଦି ଚୁକ୍ତି ହୁଏ, ତେବେ ଇସ୍ରାଏଲର ଆକ୍ରମଣ ଆଶଙ୍କା ଆହୁରି ବଢ଼ିଯିବ । ସିଏନ୍ଏନ୍ ରିପୋର୍ଟ ମୁତାବକ, ଆଣବିକ କାର୍ଯ୍ୟକ୍ରମକୁ ନେଇ ଏକ ଶାନ୍ତି ଚୁକ୍ତି ଲାଗି ଉଦ୍ୟମ ସ୍ୱରୂପ ଇରାନ ସହ ଆମେରିକା ଆଲୋଚନା ଜାରି ରଖିଛି ।
ଯଦି ଇସ୍ରାଏଲ୍ ଇରାନ ଉପରେ ହମ୍ଲା କରେ, ତେବେ ଏହାଦ୍ୱାରା ପଶ୍ଚିମ ଏସିଆରେ ସଂକଟ ଦେଖାଦେଇପାରେ । ଅଶୋଧିତ ତୈଳ ଦରରେ ରେକର୍ଡ ବୃଦ୍ଧି ଘଟିବ । ଏହାଦ୍ୱାରା ଭାରତର ବଜେଟ୍ ଉପରେ ଭୟଙ୍କର ପ୍ରଭାବ ପଡ଼ିପାରେ । ୨୦୨୪-୨୫ ଆର୍ଥିକବର୍ଷରେ ଭାରତ ୧୩୭୦୦ କୋଟି ଡଲାର ମୂଲ୍ୟର ଅଶୋଧିତ ତୈଳ ଆମଦାନି କରିଛି, ଯାହାକି ୨୦୨୩-୨୪ରେ ଥିଲା ୧୩୩୪୦ କୋଟି ଡଲାର । ଏପ୍ରିଲରୁ ମାର୍ଚ୍ଚ ମଧ୍ୟରେ ଭାରତ ୨୩୪୩୦ ନିୟୁତ ଟନ୍ ଅଶୋଧିତ ତୈଳ ଆମଦାନି କରିଛି, ଯାହାକି ପୂର୍ବବର୍ଷ ତୁଳନାରେ ୩.୪% ଅଧିକ । ଭାରତ ଏହାର ତୈଳ ଆବଶ୍ୟକତାର ସିଂହଭାଗ ଆମଦାନି ଜରିଆରେ ପୂରଣ କରିଥାଏ । ଏଣୁ ତୈଳ ଦରରେ ସମାନ୍ୟ ବୃଦ୍ଧି ଏହା ଉପରେ ବଡ଼ ପ୍ରଭାବ ପକାଏ ।