ନୂଆଦିଲ୍ଲୀ,୧୩/୦୫: ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ ଲାଗି ଇସ୍ରାଏଲ ପ୍ରସ୍ତୁତି ଚଳାଉଥିବା ଆମେରିକାର ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି । ଏହି ଖବର ଭାରତ ଭଳି ତୈଳ ଆମଦାନିକାରୀ ରାଷ୍ଟ୍ର ପାଇଁ ଚିନ୍ତାର ବିଷୟ । ଇସ୍ରାଏଲ୍‌ର ହମ୍‌ଲା ଦ୍ୱାରା ମଧ୍ୟପ୍ରାଚ୍ୟର  ତୈଳ ଉତ୍ପାଦନ କ୍ଷେତ୍ର ପ୍ରଭାବିତ ହେବା ଆଶଙ୍କା  ରହିଛି । ଏହା ଦ୍ୱାରା ଅଶୋଧିତ ତୈଳ ଦରରେ  ବଡ଼ ଧରଣର ବୃଦ୍ଧି ଘଟିପାରେ, ଯାହାର ବୃହତ୍‌ ପ୍ରଭାବ ଅନୁଭବ କରିବ ଭାରତ ।  

ବୁଧବାର ଅଶୋଧିତ ତୈଳ ଦରରେ ବଡ଼  ବୃଦ୍ଧି ଦେଖିବାକୁ ମିଳିଛି । ଇରାନର ପରମାଣୁ  ଘାଟି ଉପରେ ଇସ୍ରାଏଲ୍‌ର ଆକ୍ରମଣ ଆଶଙ୍କା ଯୋଗୁ ତୈଳ ଦରରେ ଏହି ବୃଦ୍ଧି ଘଟିଛି । ବୁଧବାର ଅନ୍ତର୍ଜାତୀୟ ବଜାରରେ  ବ୍ୟାରେଲ ପିଛା ବେଣ୍ଟ କ୍ରୁଡ୍‌ ୧.୦୬% ବଢ଼ି  ୬୬.୦୭ ଡଲାରରେ ପହଞ୍ଚିଛି । ସେହିଭଳି ବ୍ୟାରେଲ୍‌ ପିଛା ଡବ୍ଲ୍ୟୁଟିଆଇ ୧.୦୬% ବୃଦ୍ଧି  ପାଇ ୬୬.୦୭ ଡଲାରରେ ପହଞ୍ଚିଛି । ଯଦି  ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଚାଲେ  ତେବେ ଏହାର ସିଧାସଳଖ ପ୍ରଭାବ ଭାରତ  ଉପରେ ପଡ଼ିବ । କାରଣ ଭାରତ ଏହାର ତୈଳ ଆବଶ୍ୟକତାର ୮୫% ଆମଦାନି ମାଧ୍ୟମରେ  ପୂରଣ କରିଥାଏ ।  

ଆମେରିକାର ଗୁଇନ୍ଦା ରପୋର୍ଟ ଆସିବା  ପରେ ଇରାନରେ ଭୟର ବାତାବରଣ ସୃଷ୍ଟି  ହୋଇଛି । କିନ୍ତୁ ଆକ୍ରମଣ ଲାଗି ଇସ୍ରାଏଲ  କର୍ତ୍ତୃପକ୍ଷ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି କି ନାହିଁ,  ତାହା ସ୍ପଷ୍ଟ ହୋଇନାହିଁ । ଏ ବାବଦରେ ଇସ୍ରାଏଲ  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ୱାଶିଂଟନସ୍ଥିତ ଏହାର ଦୂତାବାସ ତରଫରୁ କୌଣସି ପ୍ରତିକ୍ରିୟା  ପ୍ରକାଶ ପାଇନାହିଁ । ସୂତ୍ର ମୁତାବକ, ଆମେରିକା  ଓ ଇରାନ ମଧ୍ୟରେ ଯଦି ଚୁକ୍ତି ହୁଏ, ତେବେ  ଇସ୍ରାଏଲର ଆକ୍ରମଣ ଆଶଙ୍କା ଆହୁରି ବଢ଼ିଯିବ ।  ସିଏନ୍‌ଏନ୍‌ ରିପୋର୍ଟ ମୁତାବକ, ଆଣବିକ  କାର୍ଯ୍ୟକ୍ରମକୁ ନେଇ ଏକ ଶାନ୍ତି ଚୁକ୍ତି ଲାଗି  ଉଦ୍ୟମ ସ୍ୱରୂପ ଇରାନ ସହ ଆମେରିକା  ଆଲୋଚନା ଜାରି ରଖିଛି । 

ଯଦି ଇସ୍ରାଏଲ୍‌ ଇରାନ ଉପରେ ହମ୍‌ଲା  କରେ, ତେବେ ଏହାଦ୍ୱାରା ପଶ୍ଚିମ ଏସିଆରେ  ସଂକଟ ଦେଖାଦେଇପାରେ । ଅଶୋଧିତ ତୈଳ ଦରରେ ରେକର୍ଡ ବୃଦ୍ଧି ଘଟିବ । ଏହାଦ୍ୱାରା ଭାରତର ବଜେଟ୍‌ ଉପରେ ଭୟଙ୍କର ପ୍ରଭାବ  ପଡ଼ିପାରେ । ୨୦୨୪-୨୫ ଆର୍ଥିକବର୍ଷରେ ଭାରତ ୧୩୭୦୦ କୋଟି ଡଲାର ମୂଲ୍ୟର  ଅଶୋଧିତ ତୈଳ ଆମଦାନି କରିଛି, ଯାହାକି  ୨୦୨୩-୨୪ରେ ଥିଲା ୧୩୩୪୦ କୋଟି ଡଲାର । ଏପ୍ରିଲରୁ ମାର୍ଚ୍ଚ ମଧ୍ୟରେ ଭାରତ  ୨୩୪୩୦ ନିୟୁତ ଟନ୍‌ ଅଶୋଧିତ ତୈଳ  ଆମଦାନି କରିଛି, ଯାହାକି ପୂର୍ବବର୍ଷ ତୁଳନାରେ ୩.୪% ଅଧିକ । ଭାରତ ଏହାର ତୈଳ  ଆବଶ୍ୟକତାର ସିଂହଭାଗ ଆମଦାନି ଜରିଆରେ  ପୂରଣ କରିଥାଏ । ଏଣୁ ତୈଳ ଦରରେ ସମାନ୍ୟ ବୃଦ୍ଧି ଏହା ଉପରେ ବଡ଼ ପ୍ରଭାବ ପକାଏ ।