ନୂଆଦିଲ୍ଲୀ, ୨୨।୬: ଇରାନ ସହିତ ଏକ ଲମ୍ୱା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲୀ ସେନା । ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚି ଚେତାବନୀ ଦେଇଛନ୍ତି ଯେ, ଯଦି ଆମେରିକା ଏହି ସଂଘର୍ଷରେ ସାମିଲ ହୁଏ ତେବେ ଏହା ସମସ୍ତଙ୍କ ପାଇଁ ବଡ଼ ବିପଦ ଆଣିବ । ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଯଦି ଟ୍ରମ୍ପ ପ୍ରଶାସନ ଇସ୍ରାଏଲୀ ସାମରିକ ଅଭିଯାନରେ ସାମିଲ ହୁଅନ୍ତି, ତେବେ ସେମାନେ ଲାଲ୍ ସାଗରରେ ଆମେରିକୀୟ ଜାହାଜ ଏବଂ ଯୁଦ୍ଧ ଜାହାଜ ଉପରେ ପୁଣି ଆକ୍ରମଣ ଆରମ୍ଭ କରିବେ । ମେ' ମାସରେ ଆମେରିକା ସହ ହୋଇଥିବା ଏକ ଚୁକ୍ତିନାମା ପରେ ହୁତି ବିଦ୍ରୋହୀମାନେ ଆକ୍ରମଣ ବନ୍ଦ କରିଥିଲେ । ଏହି ସମୟରେ, ଇସ୍ରାଏଲରୁ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆମେରିକା ‘ସହାୟତା ଉଡ଼ାନ’ ଆରମ୍ଭ କରିଛି । ୭ ଅକ୍ଟୋବର ୨୦୨୩ରେ ହମାସ୍ ଆକ୍ରମଣ ପରେ ପ୍ରଥମ ଥର ପାଇଁ ‘ସହାୟତା ଉଡ଼ାନ’ ଆରମ୍ଭ ହୋଇଛି ।
ଇରାନ ଉପରେ ୬୦ ଯୁଦ୍ଧ ବିମାନର ଆକ୍ରମଣ, ଏଫ୍-୧୪ ଜେଟ୍ ଧ୍ୱଂସ
ଶନିବାର ଆଇଡିଏଫ୍ କହିଛି ଯେ, ଗୁପ୍ତ ସୂଚନା ଆଧାରରେ ସେନା ଇରାନ ଉପରେ ଆକ୍ରମଣ କରିବା ପାଇଁ ପ୍ରାୟ ୬୦ଟି ଲଢ଼ୁଆ ବିମାନ ବ୍ୟବହାର କରିଥିଲା । ଇସ୍ରାଏଲୀ ବାୟୁସେନାର ବିମାନ ତିନୋଟି ଇରାନୀ ସାମରିକ ଏଫ୍-୧୪ ଲଢ଼ୁଆ ବିମାନ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ ଇରାନର ମଧ୍ୟ ଭାଗରେ କରାଯାଇଥିଲା ।
ଇସ୍ରାଏଲୀ ସେନା କହିଛି ଯେ, ସେମାନେ ଇରାନର ଇସଫାହାନ ପ୍ରଦେଶରେ ଥିବା ଏକ ପରମାଣୁ ଗବେଷଣା କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ଯେଉଁଥିରେ ତିନି ଜଣେ ବରିଷ୍ଠ ଇରାନୀ କମାଣ୍ଡରଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ କହିଛି ଯେ, ଏହାର ଲକ୍ଷ୍ୟ ଇରାନର ପରମାଣୁ କ୍ଷମତାକୁ ନଷ୍ଟ କରିବା । ଆକ୍ରମଣ ପରେ ଇସଫାହାନର ଏକ ପାର୍ବତ୍ୟ ଅଞ୍ଚଳରୁ ଧୂଆଁ ଉଠୁଥିବା ଦେଖାଯାଇଥିଲା । ପ୍ରଦେଶର ସୁରକ୍ଷା ବ୍ୟାପାର ଉପ-ଗଭର୍ଣ୍ଣର ଆକବର ସାଲେହି ନିଶ୍ଚିତ କରିଛନ୍ତି ଯେ, ଏହା ଏକ ସେଣ୍ଟ୍ରିଫ୍ୟୁଜ୍ ଉତ୍ପାଦନ ସ୍ଥଳ ଥିଲା ।
ଇରାନର ୫୦% ଲଞ୍ଚର ନଷ୍ଟ:
ପ୍ରତିଶୋଧ ସ୍ୱରୂପ ଇରାନ ପୁଣିଥରେ ଇସ୍ରାଏଲ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି । କିନ୍ତୁ ଆକ୍ରମଣରେ କୌଣସି ବଡ଼ କ୍ଷତିର ରିପୋର୍ଟ ଏଯାଏ ମିଳିନାହିଁ । ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଏ ପର୍ଯ୍ୟନ୍ତ ଇରାନର ୫୦% ଅଧିକ ଲଞ୍ଚର ନଷ୍ଟ ହୋଇସାରିଛି । ଇସ୍ରାଏଲୀ ସେନା ମୁଖ୍ୟ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଏଫି ଡେଫ୍ରିନ୍ କହିଛନ୍ତି ଯେ, ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇୟାଲ ଜମିର ଏକ ଲମ୍ୱା ଅଭିଯାନ ପାଇଁ ପ୍ରସ୍ତୁତ ହେବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଯୁଦ୍ଧରେ ଆମେରିକାର ସାମରିକ ଶକ୍ତିର ଅଂଶଗ୍ରହଣ ବିଷୟରେ ବିଚାର କରୁଛନ୍ତି ଏବଂ ଏହା ଉପରେ ନିଷ୍ପତ୍ତି ନେବା ପାଇଁ ଦୁଇ ସପ୍ତାହର ସମୟ ସୀମା ଧାର୍ଯ୍ୟ କରିଛନ୍ତି । ଅନ୍ୟପଟେ ତୁର୍କୀରେ ଇସଲାମିକ୍ ସହଯୋଗ ସଙ୍ଗଠନର ବୈଠକ ସମୟରେ ଇରାନର ବୈଦେଶିକ ମନ୍ତ୍ରୀ ଅରାଘଚି କହିଛନ୍ତି ଯେ, ଇସ୍ରାଏଲୀ ଆକ୍ରମଣ ମଧ୍ୟରେ ଆମେରିକା ସହିତ କୌଣସି ପ୍ରକାରର ଆଲୋଚନା ସମ୍ଭବ ନୁହେଁ ।