ପ୍ରମୂଖ ଖବର

ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ, ଗାଜା ଭଳି ଶ୍ମଶାନ ପାଲଟିଯିବ ଲେବାନନ୍‌

Published By : Tapas Panda | October 9, 2024 11:25 PM

ନୂଆଦିଲ୍ଲୀ: ହିଜବୁଲ୍ଲାହକୁ ସମାପ୍ତ କରିବାକୁ ପ୍ରସ୍ତୁତି ଚଳାଇଛି ଇସ୍ରାଏଲ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଅକ୍ଟୋବର ୮ (ବୁଧବାର) ରେ ଏକ ଭିଡିଓ ମେସେଜ୍‌ ମାଧ୍ୟମରେ ଲେବାନନ୍‌କୁ ଚେତାବନୀ ଦେଇଛନ୍ତି । ଯଦି ଲେବାନନ ନିଜ ସୀମା ମଧ୍ୟରେ ହିଜବୁଲ୍ଲାହକୁ କାମ କରିବାକୁ ଅନୁମତି ଦିଏ ତେବେ ତାର ସ୍ଥିତି ଗାଜା ଭଳି ହେବ ବୋଲି କହିଛନ୍ତି ନେତାନ୍ୟାହୁ । ଲେବାନନର ଦକ୍ଷିଣ ତଟରେ ଇସ୍ରାଏଲ ସେନା ଦ୍ବାରା ଆକ୍ରମଣ ତୀବ୍ର କରାଯିବା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କ ଏହି ବୟାନ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । 

ଇସ୍ରାଏଲ ସେଠାରେ ଅତିରିକ୍ତ ସୈନିକ ମୁତୟନ କରିବା ସହ ସେଠାକାର ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ଲେବାନନ୍‌କୁ କହିଛି ।  ଲେବାନନ ଲୋକଙ୍କ ଉଦ୍ଦେଶ୍ୟରେ ଭିଡିଓ ମେସେଜ ଜାରି କରି ନେତାନ୍ୟାହୁ, ଦେଶକୁ ହିଜବୁଲ୍ଲାହ କବଳରୁ ମୁକ୍ତ କରିବା ଲାଗି ପରାମର୍ଶ ଦେଇଛନ୍ତି । ଆଗକୁ ଲେବାନନକୁ ବିନାଶରୁ ରକ୍ଷା ଲାଗି ସେ ଅପିଲ କରିଛନ୍ତି । ସେ ଆହୁରି କହିଛନ୍ତି, ବଡ଼ ଯୁଦ୍ଧର ଖାଇ ଭିତରେ ପଶିବା ପୂର୍ବରୁ ଆପଣମାନଙ୍କ ପାଖରେ ଲେବାନନ୍‌କୁ ରକ୍ଷା କରିବା ଲାଗି ସୁଯୋଗ ରହିଛି । ନଚେତ ଲେବାନନ ଗାଜା ଭଳି ଧ୍ବଂସ ସ୍ତୁପ ପାଲଟି ଯିବ । ଯେପର୍ଯ୍ୟନ୍ତ ହିଜବୁଲ୍ଲାହକୁ ନିପାତ କରାଯାଇ ନାହିଁ, ଲେବାନନକୁ ଗାଜା ଭଳି ଭୋଗିବାକୁ ପଡ଼ିବ । ମୁଁ ଆପଣଙ୍କୁ, ଲେବାନନ୍‌ର ଜନତାଙ୍କୁ କହୁଛି ନିଜ ଦେଶକୁ ହିଜବୁଲ୍ଲାହ ପାଖରୁ ମୁକ୍ତ କରନ୍ତୁ । ଫଳରେ ଏହି ଯୁଦ୍ଧ ସମାପ୍ତ ହୋଇପାରିବ ।’ 

ସୂଚନାଯୋଗ୍ୟ, ଇସ୍ରାଏଲର ସହର ହାଇଫା ଉପରେ ମିସାଇଲ ମାଡ଼ କରିବା ପରେ ଇସ୍ରାଏଲ ଏବଂ ହିଜବୁଲ୍ଲାହ ମଧ୍ୟରେ ତିକ୍ତତା ଆହୁରି ବଢ଼ିଯାଇଛି ।  ୭ ଅକ୍ଟୋବର ୨୦୨୩ରେ ହମାସ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଖରୁ ଗାଜା ଯୁଦ୍ଧ ଜାରି ରହିଛି । ଆଉ ଏହି ଯୁଦ୍ଧ ଏବେ ଲେବାନନ୍‌ ଏବଂ ଇରାନ୍‌କୁ ବ୍ୟାପିବାରେ ଲାଗିଛି । ଲେବାନନ୍‌ରୁ ପରିଚାଳିତ ହିଜବୁଲ୍ଲାହ ସଂଗଠନ ଇସ୍ରାଏଲ ବିରୋଧରେ ଷଡ଼ଯନ୍ତ୍ର କରୁଛି । ଆଉ ଏହାକୁ ବିରୋଧ କରିଆସିଥିବା ଇସ୍ରାଏଲ ଲେବାନନ୍‌ରେ ଆକ୍ରମଣ ଜାରି ରଖିଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.