ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗଭୀର ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ବୋଧିତ କରିଥିବା ବାର୍ତ୍ତାରେ ନେତାନ୍ୟାହୁ ରତନଙ୍କ ଉପରେ ଲେଖିଛନ୍ତି ଯେ, ଦୟାକରି ରତନଙ୍କ ପରିବାରକୁ ମୋର ସମବେଦନା ଜଣାଇବେ । ସହାନୁଭୂତିରେ ବେଞ୍ଜାମିନ୍ ନେତାନ୍ୟାହୁ। "
ଶିଳ୍ପପତି ରତନ ଟାଟାଙ୍କ ମୃତ୍ୟୁକୁ ନେଇ ବେଞ୍ଜାମିନ୍ ନେତାନ୍ୟାହୁ ଗଭୀର ସମବେଦନା ଜଣାଇଛନ୍ତି । ଏଥି ସହ ତାଙ୍କୁ ଦେଶ ମଧ୍ୟରେ ବନ୍ଧୁତ୍ୱର ସମର୍ଥକ ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ସୂଚନାଥାଉକି, ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ରତନଙ୍କ ବୁଧବାର ସନ୍ଧ୍ୟାରେ ମୁମ୍ବାଇର ଏକ ଡାକ୍ତରଖାନାରେ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହା ପରେ ସାରା ବିଶ୍ୱରୁ ତାଙ୍କ ପାଇଁ ସମବେଦନା ଆସୁଛି । ରତନ ଟାଟା ଭାରତର ଛବିକୁ ସାରା ବିଶ୍ବରେ ପରିଚିତ କରିଥିଲେ ।
ଟାଟାଙ୍କ ଦେହାନ୍ତରେ ସିଙ୍ଗାପୁର ସହିତ ବ୍ରିଟେନ, ଫ୍ରାନ୍ସ ଏବଂ ଆମେରିକା ଗଭୀର ସମବେଦନା ଜଣାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବୋଧିତ କରିଥିବା ଏହି ପୋଷ୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଇସ୍ରାଏଲ-ଭାରତ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ରତନ ଟାଟାଙ୍କ ଅବଦାନ ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ସେ ଲେଖିଛନ୍ତି, “ମୁଁ ଏବଂ ଇସ୍ରାଏଲର ଅଗଣିତ ଲୋକ ଭାରତର ମହାନ ପୁତ୍ର ତଥା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ସେତୁ ବାନ୍ଧିଥିବା ରତନ ନାଭାଲ ଟାଟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରୁଛୁ ।
ଏହାପୂର୍ବରୁ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ ମଧ୍ୟ ଗୁରୁବାର ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ଟାଟାଙ୍କୁ ତାଙ୍କ ଦେଶର ପ୍ରକୃତ ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଶୁକ୍ରବାର ଦିନ ରତନ ଟାଟାଙ୍କ ଦେହାନ୍ତକୁ ନେଇ ସମବେଦନା ଜଣାଇଛନ୍ତି ଏବଂ ଅଭିନବ ତଥା ଉତ୍ପାଦନରେ ତାଙ୍କର ଅବଦାନକୁ ପ୍ରଶଂସା କରିଛନ୍ତି । ଭାରତ ଏବଂ ଫ୍ରାନ୍ସରେ ଶିଳ୍ପକୁ ମଜବୁତ କରିବାରେ ମାକ୍ରନ୍ ତାଙ୍କର ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।