ଗାଜା/ବେରୁଟ୍‌,୧୮/୧୧: ଗାଜାରେ ରବିବାର ଇସ୍ରାଏଲ ସେନା ବଡ଼ ଧରଣର ଏୟାର ଷ୍ଟ୍ରାଇକ୍‌ କରିଛି । ବେଟ ଲାହିୟା, ନୁସେରାତ୍‌ ଓ ବୁରେଜିଠାରେ ଥିବା ଅନେକ  ଆବାସିକ କୋଠା ଉପରେ ବୋମା ମାଡ଼ ହୋଇଥିଲା । ରବିବାର ସକାଳୁ ହୋଇଥିବା ଏହି  ହମଲାରେ ୯୬ ଜଣ ପ୍ରାଣ ହରାଇଛନ୍ତି । ଏୟାର ଷ୍ଟ୍ରାଇକ୍‌ ଶେଷ ହେବା ପରେ ଘରୋଇ  ବେସାମରିକ ପ୍ରତିରକ୍ଷା ଟିମ୍‌ ଘଟଣାସ୍ଥଳରେ ଶୀଘ୍ର ପହଞ୍ଚି ପାରି ନ ଥିଲା । ଫଳରେ  ଅନେକ ଆହତ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆହୁରି ଅନେକ ଲୋକ ଭଗ୍ନାବଶେଷ  ତଳେ ଚାପି ହୋଇ ରହିଛନ୍ତି । ସେପଟେ ଲେବାନନ୍‌ରେ ବି ଇସ୍ରାଏଲ୍‌ର ଆକ୍ରମଣ ଜାରି  ରହିଛି । 

ଶନିବାରଠାରୁ ଏ ପର୍ଯ୍ୟନ୍ତ ଦେଶବ୍ୟାପୀ ୧୪୫ଟି ଆକ୍ରମଣ ହେଲାଣି । କେନ୍ଦ୍ରୀୟ  ବେରୁଟ୍‌ରେ ଇସ୍ରାଏଲ୍‌ର ଆକ୍ରମଣ ଯୋଗୁ ହିଜ୍‌ବୁଲ୍ଲାର ଶୀର୍ଷ ମୁଖପାତ୍ର ତଥା ଗଣମାଧ୍ୟମ  ସମ୍ପର୍କ ଅଧିକାରୀ ମହମ୍ମଦ ଆଫିଫ୍‌ ନିହତ ହୋଇଛନ୍ତି । ଇସ୍ରାଏଲ୍‌ର ଆକ୍ରମଣରେ  ଏ ପର୍ଯ୍ୟନ୍ତ ଗାଜାରେ ୪୩ ହଜାର ୮୪୬ ଜଣ ପ୍ରାଣ ହରାଇଲେଣି । ୧ ଲକ୍ଷ ୩  ହଜାର ୭୪୦ ଜଣ ଆହତ ହୋଇଛନ୍ତି । ଗତବର୍ଷ ଅକ୍ଟୋବର ୭ରୁ ଯୁଦ୍ଧ ଲାଗିରହିଛି ।