ନୂଆଦିଲ୍ଲୀ, ୧୬।୭: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ରୁ ଏକ ବଡ଼ ତଥା ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଦେଶର ପ୍ରଥମ ଐତିହାସିକ ମାନବ ମହାକାଶ ମିଶନ 'ଗଗନଯାନ' ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାଟେଲାଇଟ୍ ପ୍ରୋଜେକ୍ଟ କାମ ଚାଲିଥିବା ସମୟରେ ସଂସ୍ଥାରେ ଏକ ବଡ଼ 'ବ୍ରେନ୍ ଡ୍ରେନ୍' ସଙ୍କଟ ଦେଖାଦେଇଛି । ବିଗତ କିଛି ମାସ ମଧ୍ୟରେ ଇସ୍ରୋର ୧୦୦ରୁ ଅଧିକ ଅଭିଜ୍ଞ ଏବଂ ବରିଷ୍ଠ ବୈଜ୍ଞାନିକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । 'ଟାଇମ୍ସ ଅଫ୍ ଇଣ୍ଡିଆ'ର ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନଙ୍କର ଏହିପରି ହଠାତ୍ ସଂସ୍ଥା ଛାଡ଼ିବା ଦ୍ୱାରା 'ଗଗନଯାନ' ଭଳି ଗୁରୁତ୍ୱପୂର୍ଣ୍ଣ ମିଶନ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଏହି ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ମହାକାଶ ବିଭାଗ ତୁରନ୍ତ ହସ୍ତକ୍ଷେପ କରିବା ସହ ଇସ୍ତଫା ପ୍ରକ୍ରିୟାକୁ ରୋକିବା ପାଇଁ ନିୟମକୁ ଅତ୍ୟନ୍ତ କଡ଼ାକଡ଼ି କରିଛନ୍ତି ।

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ନିର୍ଦ୍ଦେଶକଙ୍କ କ୍ଷମତା ପ୍ରତ୍ୟାହାର

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମହାକାଶ ବିଭାଗ (DoS) ପକ୍ଷରୁ ଏକ ଜରୁରୀକାଳୀନ ମେମୋରାଣ୍ଡମ ଲେଟର ଜାରି କରାଯାଇଛି, ଯେଉଁଥିରେ କେତେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । ନୂତନ ନିୟମ ଅନୁଯାୟୀ, ଇସ୍ରୋର ବିଭିନ୍ନ କେନ୍ଦ୍ର ଯେପରିକି VSSC, URSC ଇତ୍ୟାଦିର ନିର୍ଦ୍ଦେଶକମାନଙ୍କଠାରୁ ବୈଜ୍ଞାନିକମାନଙ୍କ ଇସ୍ତଫା ଏବଂ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବାର ଅଧିକାର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି । ଗଗନଯାନ ଏବଂ ଅନ୍ୟାନ୍ୟ ଜାତୀୟ ମିଶନରେ ସାମିଲ ଥିବା 'ଗ୍ରୁପ୍ ଏ' ର ବୈଜ୍ଞାନିକ ଏବଂ ବୈଷୟିକ କର୍ମଚାରୀଙ୍କ ଇସ୍ତଫା ପତ୍ରକୁ ସାଧାରଣ ପ୍ରଶାସନିକ ପ୍ରକ୍ରିୟାରେ ସିଧାସଳଖ ଗ୍ରହଣ କରାଯାଇପାରିବ ନାହିଁ । ଏଣିକି ଯେକୌଣସି ପ୍ରମୁଖ ବୈଜ୍ଞାନିକଙ୍କ ଇସ୍ତଫା ଆବେଦନର ଗଭୀର ଯାଞ୍ଚ କରାଯିବ । ଏହାର ଚୂଡ଼ାନ୍ତ ଫାଇଲ୍ ମଞ୍ଜୁରୀ ପାଇଁ ସିଧାସଳଖ କେନ୍ଦ୍ର ସରକାରଙ୍କ ମହାକାଶ ବିଭାଗ ନିକଟକୁ ପଠାଯିବ ।

ଏହା ବି ପଢ଼ନ୍ତୁ... India UNSC Permanent Seat: ଦିନେ ଆମେରିକା-ରୁଷିଆ ଯାଚୁଥିଲେ 'ଭିଟୋ ପାୱାର', ଏବେ UNSC ସଦସ୍ୟତା ପାଇଁ ଭାରତର ସଂଘର୍ଷ

କାହିଁକି ଇସ୍ରୋ ଛାଡ଼ୁଛନ୍ତି ବୈଜ୍ଞାନିକ ?

ମହାକାଶ ବିଭାଗ କିମ୍ବା ଇସ୍ରୋ ପକ୍ଷରୁ ଏନେଇ କୌଣସି ଆଧିକାରିକ କାରଣ ସ୍ପଷ୍ଟ କରାଯାଇ ନାହିଁ । ତେବେ ବିଶେଷଜ୍ଞଙ୍କ ମତରେ, ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଘରୋଇ ମହାକାଶ କ୍ଷେତ୍ର ଏବଂ ଷ୍ଟାର୍ଟଅପ୍ସ ଏହାର ସବୁଠାରୁ ବଡ଼ କାରଣ । କେନ୍ଦ୍ର ସରକାର ସ୍ପେସ୍ ସେକ୍ଟରକୁ ଘରୋଇ କମ୍ପାନୀଗୁଡ଼ିକ ପାଇଁ ସୁଯୋଗ ଖୋଲିବା ପରେ ବଜାରରେ ଏରୋସ୍ପେସ୍ ବିଶେଷଜ୍ଞଙ୍କ ଚାହିଦା ବହୁତ ବଢ଼ିଯାଇଛି । ଏହି ପ୍ରାଇଭେଟ୍ କମ୍ପାନୀଗୁଡ଼ିକ ଇସ୍ରୋର ଅଭିଜ୍ଞ ବୈଜ୍ଞାନିକମାନଙ୍କୁ ଆକର୍ଷଣୀୟ ନେତୃତ୍ୱ ପଦବୀ, ଉତ୍ତମ କାର୍ଯ୍ୟ ପରିବେଶ ଏବଂ ସରକାରୀ ଚାକିରି ତୁଳନାରେ ମୋଟା ଅଙ୍କର ଦରମା ଯାଚୁଛନ୍ତି । ଫଳରେ ବୈଜ୍ଞାନିକମାନେ ଘରୋଇ କମ୍ପାନୀ ଆଡ଼କୁ ମୁହାଁଉଛନ୍ତି । ଯଦି ବୈଜ୍ଞାନିକମାନଙ୍କ କ୍ୟାରିୟର ଗ୍ରୋଥ୍, ଦରମା ଅସଙ୍ଗତି ଏବଂ ଆଭ୍ୟନ୍ତରୀଣ କାର୍ଯ୍ୟ ସଂସ୍କୃତି ଭଳି ମୂଳ ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଦେଶର ବଡ଼ ବଡ଼ ମହାକାଶ ଅଭିଯାନର ସମୟସୀମା ବାଧାପ୍ରାପ୍ତ ହୋଇପାରେ ।