ନୂଆଦିଲ୍ଲୀ, ୧୬।୭: UNSCରେ ଭାରତର ଭିଟୋ ପାୱାର ଲଢ଼େଇ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC) ର ସ୍ଥାୟୀ ସଦସ୍ୟତା ଏବଂ ଭିଟୋ ପାୱାର ହାସଲ କରିବା ପାଇଁ ଭାରତର ପ୍ରୟାସ ଜାରି ରହିଛି । ଅତୀତରେ ଆମେରିକା ଏବଂ ସୋଭିଏତ୍ ସଂଘ (USSR) ପକ୍ଷରୁ ଭାରତକୁ ଏହି ଅଫର ମିଳିଥିଲେ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଚୀନ ସହ ବିବାଦ ଏବଂ କୂଟନୈତିକ କାରଣ ଦର୍ଶାଇ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଥିଲେ ସୁଦ୍ଧା, ସ୍ଥାୟୀ ସଦସ୍ୟତା ପାଇଁ ୩ଟି ବଡ଼ ଚ୍ୟାଲେଞ୍ଜ ରହିଛି:
୧. ଚୀନର ବିରୋଧ
UNSC ର ୫ଟି ସ୍ଥାୟୀ ସଦସ୍ୟ ଦେଶ ମଧ୍ୟରୁ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ରୁଷିଆ ଭାରତକୁ ସମର୍ଥନ କରୁଥିବା ବେଳେ ଏକମାତ୍ର ଏସିଆନ ଦେଶ ଭାବେ ଚୀନ ଏହାକୁ ବିରୋଧ କରୁଛି । ସୀମା ବିବାଦ ଏବଂ ନିଜର ଆଞ୍ଚଳିକ ପ୍ରଭାବ ବଜାୟ ରଖିବା ପାଇଁ ଚୀନ ଚାହୁଁନାହିଁ ଯେ ଭାରତକୁ ଏହି ପାୱାର ମିଳୁ ।
ଏହା ବି ପଢ଼ନ୍ତୁ... Iran-US War: ଟ୍ରମ୍ପଙ୍କ ଧମକ ପରେ ହୋର୍ମୁଜ ଧୂଆଁ ଧୂଆଁ...ଇରାନ୍କୁ ଦୋହଲାଇ ଦେଲା ଆମେରିକା
୨. ବିନା ଭିଟୋ ପାୱାରରେ ସଦସ୍ୟତା
'ୟୁନାଇଟିଙ୍ଗ୍ ଫର କନସେନସସ୍' (UfC) ଗ୍ରୁପ୍ ଯେଉଁଥିରେ ପାକିସ୍ତାନ, କାନାଡା, ଇଟାଲୀ, ଦକ୍ଷିଣ କୋରିଆ ସାମିଲ ଅଛନ୍ତି, ଭାରତକୁ ବିନା ଭିଟୋ ପାୱାରରେ କେବଳ ସ୍ଥାୟୀ ଆସନ ଦେବାକୁ ଯୁକ୍ତି ବାଢୁଛନ୍ତି । ମାତ୍ର ଭାରତ ଏଭଳି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିରୋଧ କରୁଛି ଏବଂ ସମ୍ପୂର୍ଣ୍ଣ ଭିଟୋ କ୍ଷମତା ଚାହୁଁଛି ।
୩. ଆଞ୍ଚଳିକ ବିବାଦ ଓ ରାଜନୀତି
ଦକ୍ଷିଣ ଏସିଆରେ ଚୀନର ବଢୁଥିବା ପ୍ରଭାବ ଏବଂ ପାକିସ୍ତାନ, ବାଂଲାଦେଶ, ନେପାଳ, ମାଳଦ୍ୱୀପ ଭଳି ପଡ଼ୋଶୀ ଦେଶଗୁଡ଼ିକ ସହ ଥିବା ବିଭିନ୍ନ ବିବାଦ ଭାରତ ପାଇଁ ଏକ ଆଞ୍ଚଳିକ ପ୍ରତିବନ୍ଧକ ସାଜିଛି ।
୨୦୨୮-୨୯ ଅସ୍ଥାୟୀ ଆସନ ପାଇଁ ଲଢ଼େଇ:
ଜୁନ୍ ୨୦୨୭ ରେ ହେବାକୁ ଥିବା UNSC ଅସ୍ଥାୟୀ ସଦସ୍ୟ ନିର୍ବାଚନରେ ଭାରତର ମୁକାବିଲା ତାଜାକିସ୍ତାନ ସହ ହେବ, ଯାହାକୁ OIC ସମର୍ଥନ କରୁଛି । ଭାରତ ପାଖରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ସମର୍ଥନ ଥିଲେ ମଧ୍ୟ ବିଜୟ ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ । ତେଣୁ ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ ।