ନୂଆଦିଲ୍ଲୀ ୨୨/୦୭: ଆସନ୍ତା ୩୦ ତାରିଖରେ ଲଞ୍ଚ୍‌ ହେବ ମାନବ ଇତିହାସର ସବୁଠୁ ଶକ୍ତିଶାଳୀ ସାଟେଲାଇଟ୍‌ ନିସାର ।  ୩୦ ତାରିଖ ସନ୍ଧ୍ୟା ୫.୪୦ରେ ଶ୍ରୀହରିକୋଟାର  ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌ରୁ ଏହାର ଉତ୍‌କ୍ଷେପଣ  ହେବ । ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ଓ ଆମେରିକୀୟ ମହାକାଶ ଏଜେନ୍ସି ନାସା ମିଳିତ  ଭାବେ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହା ଏକମାତ୍ର  ସାଟେଲାଇଟ୍‌ ଯାହା ବିଶ୍ୱର ଯେକୌଣସି ପ୍ରକାର ବିପର୍ଯ୍ୟୟ ପୂର୍ବରୁ ସୂଚନା ଦେବ । 

ମହାକାଶରେ ମୁତୟନ ହେବାକୁ ଯାଉଥିବା ଏହି  ଗୁଇନ୍ଦା ସାଟେଲାଇଟ୍‌ ଭୂକମ୍ପ, ଭୂସ୍ଖଳନ, ଜଙ୍ଗଲ  ନିଆଁ, ବର୍ଷା, ବାତ୍ୟା, ଝଡ଼, ବଜ୍ରପାତ, ଆଗ୍ନେୟଗିରି  ବିସ୍ଫୋରଣ, ଟେକ୍ଟୋନିକ୍‌ ପ୍ଲେଟ୍‌ଗୁଡ଼ିକର ଗତିବିଧି...  ସବୁ ଦିଗ ଉପରେ ନଜର ରଖିବ । ପ୍ରାକୃତିକ ଘଟଣା  ପୂର୍ବରୁ ଏହା ସତର୍କ କରାଇଦେବ ।  

ନାସା-ଇସ୍ରୋ ସିନ୍ଥେଟିକ୍‌ ଅପର୍ଚର ରାଡାର  (ନିସାର) ଲଞ୍ଚ୍‌ ହେବା ପରେ ବିଶ୍ୱର ପ୍ରତ୍ୟେକ  ସ୍ଥାନରେ ହେବାକୁ ଯାଉଥିବା ଭୂକମ୍ପର ସୂଚନା ଦେବ । ଟେକ୍ଟୋନିକ୍‌ ପ୍ଲେଟ୍‌ଗୁଡ଼ିକର ଗତିବିଧିକୁ  ଏହା ସେଣ୍ଟିମିଟର ସ୍ତରରେ ରେକର୍ଡ କରିପାରିବ ।  ଅଧିକ ବା କମ୍‌ ଗତିବିଧିରୁ କେଉଁ ସ୍ଥାନରେ ଓ  କେତେବେଳେ ଭୂକମ୍ପ ହୋଇପାରେ, ତାହା  ଜଣାପଡ଼ିବ । ଏହା ୧୨ ଦିନରେ ପୃଥିବୀର ଗୋଟିଏ  ପରିକ୍ରମା ଶେଷ କରିବ । ନିସାର ସାଟେଲାଇଟ୍‌ରେ ଏକ ବଡ଼ ମୁଖ୍ୟ ବସ୍‌  ରହିବ, ଯେଉଁଥିରେ ଅନେକ ଉପକରଣ ଯଥାଟ୍ରାନ୍ସପୋଣ୍ଡର୍‌, ଟେଲିସ୍କୋପ୍‌ ଓ ରାଡାର ସିଷ୍ଟମ୍‌  ରହିବ । ଏଥିରୁ ଏକ ବାହୁ ବାହାରିବ, ଯାହା ଉପରେ  ଏକ ସିଲିଣ୍ଡର୍‌ ଥିବ । ଲଞ୍ଚ୍‌ ହେବାର କିଛି ଘଣ୍ଟା ପରେ  ସିଲିଣ୍ଡର୍‌ ଖୋଲିବ । ଏଥିରୁ ଡିଶ୍‌ ଆଣ୍ଟିନା ଭଳି ଏକ  ବଡ଼ ଛତା ବାହାରିବ । ଏହି ଛତା ହିଁ ସିନ୍ଥେଟିକ୍‌  ଅପର୍ଚର ରାଡାର । ନିସାର ପରିଚାଳନା ମୁଖ୍ୟ କ୍ୟାଥଲିନ୍‌ ଜୋନ୍ସ କହିଛନ୍ତି,  ୧୨ ଦିନରେ ନିସାର ପୃଥିବୀର ୨ୟ ପରିକ୍ରମା କରିବ ।  ଏହି ବ୍ୟବଧାନରେ ପୃଥିବୀ ପୃଷ୍ଠରେ ହେବାକୁଥିବା  ପରିବର୍ତ୍ତନ ବିଷୟରେ ଜଣାପଡ଼ିଯିବ । ଫଳରେ କେଉଁ  ଦେଶରେ କେଉଁ ପ୍ରକାର ପାଣିପାଗ ବା କେଉଁ ପ୍ରକାର  ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଅଛି, ସେ ବିଷୟରେ  ଆମେ ସଠିକ୍‌ ଜାଣିପାରିବା । 

ଜିଏସ୍‌ଏଲ୍‌ଭି-ଏମ୍‌କେ୨ ରକେଟ୍‌ରୁ ନିସାର ଲଞ୍ଚ୍‌  କରାଯିବ । ସାଟେଲାଇଟ୍‌ ଓ ପେଲୋଡ୍‌ଗୁଡ଼ିକର  ଅନେକ ଥର ପରୀକ୍ଷଣ ସରିଛି । ଏହା ବିଶ୍ୱର ସବୁଠୁ  ମହଙ୍ଗା ପୃଥିବୀ ଅବଲୋନକାରୀ ସାଟେଲାଇଟ୍‌ ।  ଏହାର ନିର୍ମାଣରେ ୧୦ ହଜାର କୋଟି ଟଙ୍କା ନିବେଶ  ହୋଇଛି । ପୃଥିବୀ ଚତୁଃପାଶ୍ୱର୍ରେ ଜମା ହେଉଥିବା  ବର୍ଜ୍ୟ ଏବଂ ମହାକାଶରୁ ପୃଥିବୀ ଅଭିମୁଖେ ଆସୁଥିବା  ବିପଦର ସୂଚନା ଏହା ନିରନ୍ତର ପ୍ରଦାନ କରିବ । ନିସାରରେ ଦୁଇ ପ୍ରକାର ବ୍ୟାଣ୍ଡ୍‌- ଏଲ୍‌ ଓ ଏସ୍‌  ରହିବ । ଉଭୟ ପୃଥିବୀରେ ବୃକ୍ଷଲତାର ବୃଦ୍ଧି-ହ୍ରାସ  ସଂଖ୍ୟା ଉପରେ ନଜର ରଖିବେ ଏବଂ ଆଲୋକ  କମ୍‌-ବେଶି ହେବାର ପ୍ରଭାବକୁ ମଧ୍ୟ ଅଧ୍ୟୟନ  କରିବେ । ଏସ୍‌ ବ୍ୟାଣ୍ଡ୍‌ ଟ୍ରାନ୍ସମିଟରକୁ ଭାରତ ଏବଂ  ଏଲ୍‌ ବ୍ୟାଣ୍ଡ୍‌ ଟ୍ରାନ୍ସପୋଣ୍ଡର୍‌କୁ ନାସା ପ୍ରସ୍ତୁତ କରିଛି ।  

ନିସାର୍‌ର ରାଡାର ୨୪୦ କିମି ପର୍ଯ୍ୟନ୍ତ କ୍ଷେତ୍ରଫଳର  ସମ୍ପୂର୍ଣ୍ଣ ସ୍ୱଚ୍ଛ ଚିତ୍ର ଉତ୍ତୋଳନ କରିବ । ପୃଥିବୀର  ଗୋଟିଏ ସ୍ଥାନର ଫଟୋକୁ ଏହା ୧୨ ଦିନ ପରେ  ପୁଣି ଦେବ । କାରଣ ପୃଥିବୀର ଗୋଟିଏ ପରିକ୍ରମା  ପୂରଣ କରିବାକୁ ଏହାକୁ ୧୨ ଦିନ ଲାଗିବ । ମିଶନ୍‌ର  ଜୀବନକାଳ ୫ ବର୍ଷ,ତେବେ ଏହା ଆଗକୁ ବଢ଼ିପାରେ  ବୋଲି କୁହାଯାଉଛି