ଭୂବନେଶ୍ୱର ୧୪/୦୫: ପିଲାବେଳେ ଆମକୁ ଅଜଣା ଲୋକଙ୍କଠାରୁ ଦୂରେଇ ରହିବା ପାଇଁ ବାପାମା’ ଶିକ୍ଷା ଦେଇଥାନ୍ତି । କିନ୍ତୁ ଦୀର୍ଘ ବର୍ଷ ପରେ ଏବେ ଜଣାପଡିଲା ଯେ ଏହି ଭାବନା ଏକ ଚ୍ୟାଲେଞ୍ଜ । ମନସ୍ତତ୍ତ୍ୱବିତ୍‌ଙ୍କ କହିବା କଥା ଯେ ପରିଚିତ ଲୋକ ହିଁ ଅଜଣାଙ୍କଠାରୁ ବେଶୀ କ୍ଷତିକାରକ । ପରିବାରରେ ପିଲାମାନଙ୍କୁ ନୀତିନୈତିକତା ଶିଖାଇବା ସମୟରେ ଅଜଣା ଲୋକଠାରୁ ଦୂରେଇ ରହିବା ପାଇଁ ଶିକ୍ଷା ଦିଆଯାଇଥାଏ । କିନ୍ତୁ ଆଜିକାଲିର ଦୁନିଆରେ ସେହି ଶିକ୍ଷା ପୁରୁଣା ହୋଇଗଲାଣି । ଏବେ ବଦଳିଚାଲିଛି ନୀତିଶିକ୍ଷା । ମନସ୍ତତ୍ତ୍ୱବିତ୍ ଅର୍ପିତା କୋହଲୀଙ୍କ କହିବା ଅନୁସାରେ, ନିକଟରେ କିଛି ଘଟଣା ପ୍ରମାଣିତ କରିସାରିଛି ଯେ ଆମକୁ ବାହାର ଲୋକଙ୍କ ଅପେକ୍ଷା ଘର ଲୋକଙ୍କଠାରୁ ଅଧିକ ସତର୍କ ରହିବା ଜରୁରି । ଯେପରିକି ସାଙ୍ଗସାଥୀ, ସମ୍ପର୍କୀୟ, ପଡୋଶୀ ଓ ସହକର୍ମୀଙ୍କଠାରୁ ବେଶୀ ସତର୍କ ରହିବା ଆବଶ୍ୟକ । ଏପରି ହେବାର କାରଣ ହେଉଛି ଆମର ପରଚୟ ହିଁ ଆମ ପାଇଁ ସବୁଠାରୁ ବଡ଼ ବିପଦ ସାଜୁଛି । ସେମିତି କେତୋଟି କାରଣ ହେଉଛି…

ବିଶ୍ୱାସର ଫାଇଦା ଉଠାଇବା: ବଢୁଥିବା ଆଶଙ୍କାର ବଡ଼ କାରଣ ହେଉଛି ବିଶ୍ୱାସ ଭାଙ୍ଗିବା । ଆମେମାନେ ଅଜଣା ଲୋକଙ୍କ ପାଖରେ ସବୁବେଳେ ସତର୍କ ରହିଥାଉ କିନ୍ତୁ ଆପଣାର ଲୋକଙ୍କ ସାମ୍ନାରେ ସୁରକ୍ଷାର ବାଡ ଅତିକ୍ରମ କରିଥାଉ । ସେମାନଙ୍କ ଆଗରେ ଆମେ ନିଜର ସମସ୍ତ ତଥ୍ୟ, ଭାବନା ଓ ଦୁର୍ବଳତା ପ୍ରକାଶ କରିଥାଉ । ଏହି ସ୍ଥିତିରେ ଯଦି ପରିଚିତ ଲୋକ ଭୁଲ୍ ଚିନ୍ତା ରଖୁଥାନ୍ତି, ତେବେ ଆମକୁ କ୍ଷତି ପହଞ୍ଚାଇବା ପାଇଁ ଅଧିକ କଷ୍ଟ କରିବାକୁ ପଡି ନଥାଏ ।

​​​​​​​

ବ୍ୟସ୍ତ ଜୀବନରେ ଦୁର୍ବଳ ହେଉଛି ସମ୍ପର୍କ: ସମାଜ ଓ ପରିବାର ଢାଞ୍ଚାରେ ଆସୁଛି ପରିବର୍ତ୍ତନ । ଆଜିକାଲି ତୀବ୍ର ବେଗରେ ବଦଳୁଛି ସମ୍ପର୍କର ଗଭୀରତା ଓ କମୁଛି କଥାବାର୍ତ୍ତା । ଲୋକମାନେ ପରସ୍ପରକୁ ଚିହ୍ନିବା ପୂର୍ବରୁ ନିକଟତ୍ତର ହେଉଛନ୍ତି । ଫଳରେ ଭୁଲ୍ ବୁଝାମଣା ଓ ଚିନ୍ତା ବଢୁଛି । ଚିନ୍ତା କ୍ରମଶଃ ରାଗ ଓ ପ୍ରତିଶୋଧ ଭାବନାକୁ ଜନ୍ମ ଦେବାରେ ଲାଗିଛି । ଏହି ସ୍ଥିତିରେ କୌଣସି ବ୍ୟକ୍ତି ପାଇଁ ବାହାର ଲୋକ ନୁହେଁ, ବରଂ ନିଜ ଲୋକ ହିଁ ଶତ୍ରୁ ସାଜୁଛି ।

ଆହୁରି ପଢ଼ନ୍ତୁ...ନକାରାତ୍ମକ ଭାବନା ବିଗାଡ଼େ ସ୍ୱାସ୍ଥ୍ୟ , ଚାଲନ୍ତୁ ଜାଣିବା ୫ଟି ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ...

ସୋସିଆଲ୍ ମିଡିଆରେ ଦେଖାଇ ହେବା ଭ୍ରମ: ଆଜିର ଡିଜିଟାଲ୍ ଯୁଗରେ ସୋସିଆଲ୍ ମିଡିଆ ସମ୍ପର୍କକୁ ଆହୁରି ଦ୍ୱନ୍ଦ୍ୱରେ ପକାଇ ଚାଲିଛି । ଆମେ ସୋସିଆଲ୍ ମିଡିଆ ଓ ମେସେଜିଂ ଆପ୍ ଜରିଆରେ ଲୋକଙ୍କ ସହ ସମ୍ପର୍କରେ ରହୁଛେ, କିନ୍ତୁ ଏହି ସମ୍ପର୍କ କେବଳ ଦେଖେଇ ହେବାର । ଇଣ୍ଟରନେଟ୍‌ରେ ଲୋକମାନେ ଅନେକ ସମୟରେ ମିଛ ହସର ଛବି ପୋଷ୍ଟ କରିଥାନ୍ତି, ଯାହା ବାସ୍ତବରେ ସତ ନୁହେଁ । ଏହି ଭ୍ରମ ଅନେକ ସମୟରେ ଧୋକା ବା ବିଶ୍ୱାସଘାତକତାର କାରଣ ସାଜିଥାଏ । ତେଣୁ ଆଜିର ସମୟରେ କେବଳ ଅଜଣା ଲୋକଠାରୁ ଦୂରତା ବଢାଇବା ଦରକାର ନୁହେଁ, ବରଂ ଆଖପାଖ ଲୋକଙ୍କଠାରେ ମଧ୍ୟ ସାବଧାନ ରହିବା ଜରୁରି ।