ସୁସ୍ଥ ଜୀବନଯାପନ ପାଇଁ ନିଜ ବିଚାରଧାରକୁ ମଧ୍ୟ ସକାରାତ୍ମକ ରଖିବା ଜରୁରି । ସେଥିପାଇଁ ତ ପରିବାରର ବୟସ୍କ ଲୋକମାନେ କିମ୍ବା ମୋଟିଭେସନାଲ୍ ସ୍ପିକର୍ ନକାରାତ୍ମକ ଭାବନଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି । କାରଣ ଆମର ଭାବନା କେବଳ ମାନସିକ ନୁହେଁ ବରଂ ଶାରିରୀକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ । ସେହିପରି ନକାରାତ୍ମକ ବିଚାର କେବଳ ଆତ୍ମବିଶ୍ୱାସକୁ କମ୍ କରେନି ବରଂ ସ୍ୱାସ୍ଥ୍ୟକୁ ମଧ୍ୟ ବିଗାଡ଼ିଥାଏ । ଏପରିକି ଅନେକ ରୋଗ ମଧ୍ୟ ସୃଷ୍ଟି କରିଥାଏ । ଜର୍ଣ୍ଣାଲ୍ ଅଫ୍ ମେଡିସିନ୍ ଆଣ୍ଡ୍ ଲାଇଫ୍ରେ ପ୍ରକାଶିତ ସର୍ଭେ ଅନୁସାରେ ନକାରାତ୍ମକ ବିଚାର ଭିତରେ ବୁଡ଼ି ରହିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । ଏହି କାରଣରୁ ବ୍ୟକ୍ତି ଥାଇରଏଡ୍ ଏବଂ ଉଚ୍ଚ ରକ୍ତଚାପ ପରି ସମସ୍ୟାର ଶିକାର ହୋଇଥାଏ । ଚାଲନ୍ତୁ ଜାଣିବା ଏପରି ନକାରାତ୍ମକ ବିଚାର ଯୋଗୁ ହେଉଥିବା ୫ଟି ସ୍ୱାସ୍ଥ୍ୟ ସମସ୍ୟା ।
ଥାଇରଏଡ୍ ସମସ୍ୟା- ନକାରାତ୍ମକ ଭାବନା ଥାଇରଏଡ୍ ଗ୍ରନ୍ଥିର କାର୍ଯ୍ୟପ୍ରଣାଳୀକୁ ପ୍ରଭାବିତ କରିଥାଏ, ଯାହା ମେଟାବଲିଜିମ୍,ଏନର୍ଜିସ୍ତର ଓ ମୁଡ୍କୁ ନିୟନ୍ତ୍ରିତ କରିଥାଏ । ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ଏଣ୍ଡୋକ୍ରୋନୋଲୋଜି ଆଣ୍ଡ୍ ମେଟାବଲିଜିମ୍ରେ ପ୍ରକାଶିତ ଗବେଷଣା ଅନୁସାରେ ଅଧିକ ସମୟ ଯାଏ ଚିନ୍ତା ଓ ନକାରାତ୍ମକ ଭାବନାରେ ରହିବା ଦ୍ୱାରା ଶରୀରରେ ଥାଇରଏଡ୍ ହର୍ମୋନ୍ର ସନ୍ତୁଳନ ବିଗିଡ଼ି ଯାଇଥାଏ । ଫଳରେ ହାଇପୋଥାଇରଏଡଜିମ୍ କିମ୍ବା ହାଇପର୍ଥାଇରଏଡଜିମ୍ ପରି ସମସ୍ୟା ସୃଷ୍ଟି ହୋଇଥାଏ ।
ତୀବ୍ର ହୃଦସ୍ପଦନ - ଯଦି ବ୍ୟକ୍ତି ଲଗାତାର ନକାରାତ୍ମକ ଭାବନା ଭିତରେ ଘେରି ହୋଇ ରହେ । ତେବେ ଚିନ୍ତା ବଢିଥାଏ, ଯାହାଦ୍ୱାରା ହୃଦ୍ସ୍ପନ୍ଦନ ବଢିପାରେ । ଆମେରିକାନ୍ କଲେଜ୍ ଅଫ୍ ଜର୍ଣ୍ଣାଲ୍ରେ ପ୍ରକାଶିତ ଏକ ଗବେଷଣାରୁ ଜଣାପଡିଛି ଯେ କ୍ରନିକ୍ ଷ୍ଟ୍ରେସ୍ ଏବଂ ନକାରାତ୍ମକ ଭାବନା ହୃଦ୍ସ୍ପନ୍ଦନକୁ ବଢାଇବାରେ ସହଯୋଗ କରିଥାଏ । ଯାହା ସମୟକ୍ରମେ ହୃଦ୍ରୋଗଜନିତ ସମସ୍ୟାର ସ୍ଥିତିକୁ ବଢାଇଥାଏ ।
ପାଚନ ସମ୍ବନ୍ଧୀୟ ସମସ୍ୟା- ବ୍ୟକ୍ତିର ପେଟ ସମସ୍ୟା ତା’ର ଭାବନା ସହ ଜଡିତ । ସେଥିପାଇଁ ନକାରାତ୍ମକ ଭାବନା ପାଚନତନ୍ତ୍ର ପାଇଁ କ୍ଷତିକାରକ ହୋଇପାରେ । କେତେକ ଗବେଷଣାରୁ ଜଣାପଡିଛି ଚିନ୍ତା ଓ ନକାରାତ୍ମକ ଭାବନା ଅନ୍ତଃନଳୀରେ ବ୍ୟାକ୍ଟେରିଆ ସନ୍ତୁଳନକୁ ବିଗାଡ଼ି ଦେଇଥାଏ । ଫଳରେ ଇରିଟେବଲ୍ ବାଉଲ୍ ସିଣ୍ଡ୍ରୋମ୍,ଏସିଡ୍ ରିଫ୍ଲେକସନ୍ ଓ ପେଟରେ ଅଲସର୍ ପରି ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସମସ୍ୟା ସୃଷ୍ଟି ହୋଇଥାଏ ।
ଉଚ୍ଚ ରକ୍ତଚାପ- ଯଦି ବ୍ୟକ୍ତି ଲଗାତାର ନକାରାତ୍ମକ ଚିନ୍ତାରେ ରୁହେ । ତେବେ ରକ୍ତଚାପ ବଢିଯାଇଥାଏ । ଜର୍ଣ୍ଣାଲ ଅଫ୍ ହାଇପରଟେନସନ୍ରେ ପ୍ରକାଶିତ ଏକ ଗବେଷଣା ଅନୁସାରେ ଯେଉଁ ଲୋକମାନେ ସବୁବେଳେ ନକାରାତ୍ମକ ଭାବନକୁ ନିଜ ଭିତରେ ଅନୁଭବ କରିଥାନ୍ତି,ସେମାନଙ୍କଠାରେ ଉଚ୍ଚ ରକ୍ତଚାପ ବଢିବାର ଆଶଙ୍କା ଉପୁଜିଥାଏ ।
ପିଠି ଯନ୍ତ୍ରଣା- ଚିନ୍ତା ଓ ଅବସାଦ ପରି ନକାରାତ୍ମକ ଭାବନା ପିଠିର ନିମ୍ନ ଭାଗରେ ଯନ୍ତ୍ରଣାର କାରଣ ହୋଇଥାଏ । ୟୁରୋପିଆନ୍ ଜର୍ଣ୍ଣାଲ୍ ଅଫ୍ ପେନ୍ ଅନୁସାରେ ପୁରୁଣା ନକାରାତ୍ମକ ଭାବନା ରଖୁଥିବା ବ୍ୟକ୍ତିକୁ ଲଗାତାର ପିଠିର ନିମ୍ନ ଭାଗରେ ଯନ୍ତ୍ରଣା ହେବାର ଦେଖିବାକୁ ମିଳିଥାଏ ।