ଝାରସୁଗୁଡ଼ା/ ସମ୍ବଲପୁର, ୧୯/୦୬ : ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ ଆଇଟି ରେଡ୍। ଦେଶର ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ। ଗୁରୁବାର ସକାଳ ୫ଟାରୁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭୁବନେଶ୍ଵର, କଟକ, ପୁରୀ, ଓ ଦିଲ୍ଲୀରେ ଆଇଟି ରେଡ୍ କରୁଛି। ସମ୍ବଲପୁରର ୪ଟି ସ୍ଥାନରେ ରେଡ୍ କରାଯାଉଛି। ବୀର ସୁରେନ୍ଦ୍ର ସାଏ ମାର୍ଗରେ ଥିବା ଏକ ହୋଟେଲ, ମୁଦିପଡ଼ାରେ ଥିବା ବିଶାଲ ଭିଲା ବାସଭବନ, ଅଇଁଠାପାଲି ଛକରେ ଏକ ମଲ୍ ଏବଂ ଝାରସୁଗୁଡା ରୋଡରେ ଥିବା ଏକ ବାରରେ ଆଇଟି ରେଡ୍ କରୁଛି। ଆୟକର ଫାଙ୍କିବା ଅଭିଯୋଗରେ ତନାଘନା ଚାଲିଛି। ବିଭିନ୍ନ ସ୍ଥାନରେ ଚଢାଉରେ ୨୦ଟି ଟିମ୍ରେ ୧୦୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି।
ଆଇଟି ସ୍କାନରରେ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସ ଅଛନ୍ତି। ଦୀପାଳି ଦାସ ପୁରୀରୁ ଫେରୁଥିବା ବେଳେ, ବିଶାଳ ଦାସ ଦିଲ୍ଲୀରେ ଅଛନ୍ତି । ଉଭୟଙ୍କ ଉପରେ ଆଇଟି ଟିମ୍ ନଜର ରଖିଛି । ୩ଟି ଅଫିସ୍ ବନ୍ଦ ଅଛି । ଦୀପାଳି ପୁରୀରୁ ଫେରିଲେ ଏହି ଅଫିସରେ ଚଢ଼ାଉ ଆରମ୍ଭ ହେବ । ସେପଟେ କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ନବ ଦାସ ଲିଙ୍କରେ ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଏଥିସହ ନବ ଦାସଙ୍କ ବ୍ୟବସାୟିକ ସହଯୋଗୀଙ୍କ ଅଫିସରେ ଚଢ଼ାଉ କରି ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଟିମ୍ ।
ଜାନୁୟାରୀ ୧୭ ତାରିଖରେ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଓ ଅଫିସରେ ଆଇଟି ରେଡ୍ ହୋଇଥିଲା। ସମ୍ବଲପୁର ଧନକଉଡ଼ାସ୍ଥିତ ତାଙ୍କ ବାସଭବନ, ଭଡ଼ାଘରେ ଓ କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା। କୋଟି କୋଟି ଟଙ୍କାର ଆୟକର ଫାଙ୍କିବା ଅଭିଯୋଗରେ ରେଡ୍ ହୋଇଥିଲା । ଆୟକର ବିଭାଗର ୨ ଟିମ୍ ରେଡ୍ରେ ସାମିଲ ଥିଲେ।