୪ମାସ ତଳେ ନିର୍ମାଣ ହୋଇଥିଲା ; ଧୋଇଗଲା ବର୍ଷାଜଳ ଅମଳ ପ୍ରକଳ୍ପ

ଭୁବନେଶ୍ୱର,୩୦/୧୧ : ବର୍ଷା ଜଳ ନଷ୍ଟ ହେବନି । ପୁଣି ଭୂତଳ ଜଳରେ ମିଶିବ । ଭୂତଳ ଜଳସ୍ତରକୁ ସ୍ଥିର ରଖିବ । ଏହି ଉଦ୍ଦେଶ୍ୟରେ ବର୍ଷା ଜଳ ଅମଳ ପ୍ରକଳ୍ପ ଆରମ୍ଭ ହେଲା । ଜଳ ଅମଳ ପାଇଁ ହୋଇଥିବା ଏହି ପ୍ରକଳ୍ପ ଏବେ ଖୋଦ୍ ପାଣିରେ ମିଶିଗଲାଣି । ଚକମକିଆ ଫଳକ ଠିଆ ହୋଇଛି, ହେଲେ ପ୍ରକଳ୍ପ ମାଟିରେ ମିଶିଯାଇଛି । ମାଟିରେ ମିଶିବା ପ୍ରକ୍ରିୟା ବର୍ଷେ କି ଦୁଇ ବର୍ଷର ନୁହେଁ, ଏସବୁ ମାତ୍ର ୪ ମାସରେ ପୋତି ହୋଇଯାଇଛି । ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ରାଜଧାନୀ ସାରା ଏପରି ଅବସ୍ଥା ।
ପୁରୁଣା ଭୁବନେଶ୍ୱର ଗରାବଡୁ ମଶାଣି ପଡ଼ିଆରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା(ମୁକ୍ତା)ରେ ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିଲା । ୪ ମାସ ବିତିନି ଏହି ପ୍ରକଳ୍ପ ବର୍ଷାରେ ଧୋଇଗଲା । ପୁରା ପ୍ରକଳ୍ପ ମାଟିରେ ପୋତି ହୋଇଗଲାଣି । ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ପଡିଆରେ ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିଲା । ହେଲେ ଏବେ ତାର ପତ୍ତା ମିଳୁନି । ଖାଲି ଏହି ଦୁଇଟି ସ୍ଥାନ ନୁହେଁ, ରାଜଧାନୀରେ ନିର୍ମାଣ ହୋଇଥିବା ଏପରି ଶହ ଶହ ବର୍ଷା ଜଳ ଅମଳ ପ୍ରକଳ୍ପ ଧୋଇଗଲାଣି ।
ଭୂ-ତଳ ଜଳସ୍ତର ବୃଦ୍ଧି ପାଇଁ ସହର ଏକାଧିକ ଖୋଲା ସ୍ଥାନ, ପାର୍କ, ପଡିଆ, ସ୍କୁଲରେ ମୁକ୍ତା ପକ୍ଷରୁ ବର୍ଷାଜଳ ଅମଳ ପ୍ରକଳ୍ପ ତିଆରି ହୋଇଛି । ପୁରୁଣା ଭୁବନେଶ୍ୱର ଗରାବଡୁ ମଶାଣୀରେ ୪ ମାସ ତଳେ ପ୍ରାୟ ୧,୭୯,୫୭୦ ଟଙ୍କା ବିନିମୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା । ଏଥିରେ ମୋଟ ୫ଟି ପିଟ୍ ରହିଥିଲା । କିନ୍ତୁ ବର୍ତ୍ତମାନ ଏହି ବର୍ଷାଜଳ ଅମଳ ପ୍ରକଳ୍ପ ପୋତି ହେବାକୁ ବସିଲାଣି ।
ରାଜଧାନୀରେ ଖୋଲା ସ୍ଥାନରେ ନର୍ମାଣ ହୋଇଥିବା ଏକାଧିକ ପ୍ରକଳ୍ପର ଏପରି ଅବସ୍ଥା । ସବୁ ପ୍ରକଳ୍ପ ପୋତି ହେବାକୁ ବସିଲାଣି । ଖାଲି ସେତିକି ନୁହେଁ, ଏପରି ଗଣ୍ଡା ଗଣ୍ଡା ପ୍ରକଳ୍ପର ପତ୍ତା ବି ନାହିଁ । ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଗଲା କୁଆଡେ ? ପ୍ରକଳ୍ପ ନିର୍ମାଣ ହୋଇଛି ତ? ନା ମିଥ୍ୟା ବିଲ୍ରେ ବାଟମାରଣା ହୋଇଛି, ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ମୁକ୍ତା ପକ୍ଷରୁ ପ୍ରତି ପିଟ୍ ପାଇଁ ୩୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏସ୍ଜି)ଙ୍କ ଦ୍ୱାରା ଏହି ପ୍ରକଳ୍ପ ନିର୍ମାଣ ହେଉଛି । ସହରରେ ମୋଟ ୨୬ ଶହ ପ୍ରକଳ୍ପ ନିର୍ମାଣ ହୋଇଛି । ଏଥି ପାଇଁ ମୁକ୍ତାରେ ପ୍ରାୟ ୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଏହି ସବୁ ପ୍ରକଳ୍ପର ଉଯଯୁକ୍ତ ରକ୍ଷଣବେକ୍ଷଣ ଅଭାବ ଯୋଗୁଁ ନଷ୍ଟ ହେବାକୁ ବସିଲାଣି । ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ପ୍ରକଳ୍ପ ନିର୍ମାଣ ପରେ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି । ଏହାର ରକ୍ଷଣବେକ୍ଷଣ କରିବା ସେମାନଙ୍କ ଦାୟିତ୍ୱ । ଏହା ଉପରେ ଅନୁଧ୍ୟାନ କରାଯିବ ।