ଭୁବନେଶ୍ୱର/ଯାଁଳା ୨୨।୩: ବାଜା, ବାଣ, ସଂକୀର୍ତ୍ତନ ଓ ଘଣ୍ଟ ନାଦରେ କମ୍ପିଉଠେ ସମଗ୍ର ଅଞ୍ଚଳ । ଶହ ଶହ ଦେଖଣାହାରୀଙ୍କ ମେଳରେ ବିମାନ କାନ୍ଧରେ ବୋହି ମେଳଣ ପଡ଼ିଆକୁ ଆଣନ୍ତି ଆପଟିଆ । ହେଲେ ବିମାନରେ ଠାକୁର ନଥାନ୍ତି କି ବିମାନ ବୋହୁଥିବା ଆପଟିଆମାନେ ବୟସ୍କ ନଥାନ୍ତି । ବିମାନରେ ଠାକୁରଙ୍କ ବଦଳରେ ବିରାଜମାନ କରିଥାନ୍ତି ଭଳିକି ଭଳି କଣ୍ଢେଇ, ଆଉ ଆପଟିଆ ହୋଇଥାନ୍ତି କୁନିକୁନି ପିଲା । ଏହି ନିଆରା ମେଳଣ ତିନି ଦିନିଆ ଗଣଉତ୍ସବ ଭାବେ ଚାଲୁରହେ ରାଜଧାନୀ ଉପକଣ୍ଠ ପାତ୍ରପଡ଼ା -ଭଗବାନପୁର ଗାଁରେ... ।

ଆଜିଠୁ ଆରମ୍ଭ ହୋଇଛି ପାତ୍ରପଡ଼ା ଭଗବାନପୁରର ୬୫ତମ ଓଡ଼ିଶା ପ୍ରସିଦ୍ଧ କଣ୍ଢେଇ ମେଳଣ । ପିଲାମାନଙ୍କର ଏହି ନିଆରା ମେଳଣ ପାଇଁ ଉତ୍ସବମୁଖର ସହର ଉପକଣ୍ଠର ଦୁଇଗାଁ । ପୂର୍ବାହ୍ନ ୧୦ଟା ୨୦ ମିନିଟ ମାହେନ୍ଦ୍ର ମୁହୂର୍ତ୍ତରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀ ନଡ଼ିଆ ବାଡେଇ କଣ୍ଢେଇ ମେଳଣର ଶୁଭାରମ୍ଭ କରିଥିଲେ । ପରେ ଗାଁର ଐତିହ୍ୟସ୍ଥଳ ‘ଗାନ୍ଧୀ ଚଉତରା’ରୁ ବାହାରି ଥିଲା କଣ୍ଢେଇ ମେଳଣ-ଜମାଣ । ଏମ୍ଇ ସ୍କୁଲ ଛକରୁ ଗୋପୀନାଥ ଦେବ ମନ୍ଦିର, ପୁରୁଣା ଧାନକଳ ରାସ୍ତାଦେଇ ଜମାଣ ଶୋଭାଯାତ୍ରା ଉଗ୍ରତାରା ମନ୍ଦିର ‘ଚାରିଛକ’ରେ ପହଞ୍ଚିଥିଲା । ସେଠାରେ ଅଗଣିତ ଦେଖଣାହାରୀ କଣ୍ଢେଇ ଠାକୁରମାନଙ୍କୁ ଦର୍ଶନ କରିବା ପରେ ବିମାନସବୁ ଭଗବାନପୁର ଗ୍ରାମର ବିଭିନ୍ନ ସାହି ପରିକ୍ରମା କରି ମା’ ଛୋଟୀଭୁଆଶୁଣୀ ମନ୍ଦିର ସଂଲଗ୍ନ ମେଳଣ ପଡ଼ିଆରେ ପାଖାପାଖି ଅପରାହ୍ନ ୨ଟାରେ ପହଞ୍ଚିଥିଲା ।

ଏଠାରେ ବିମାନରେ ଆସିଥିବା କଣ୍ଢେଇ ଠାକୁରମାନଙ୍କୁ ଦୋଳମଣ୍ଡପକୁ ପାଛୋଟି ନିଆଯାଇଥିଲା । ପାରମ୍ପରିକରୀତିରେ ‘ଖୁଣ୍ଟିବନ୍ଧା’ ପରେ କଣ୍ଢେଇ ଠାକୁରମାନଙ୍କୁ ପିଲାମାନେ ଧୂପଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ । ଏଥର ମେଳଣ ପଡ଼ିଆରେ ଶୋଭାପାଉଛନ୍ତି ୧୯ଟି ବିମାନ । ପାତ୍ରପଡ଼ା, ଭଗବାମନପୁର ସମେତ ଭୁବନେଶ୍ୱର ଉପକଣ୍ଠ ସିଜୁଆ, ତମାଣ୍ଡୋ, ଅରିସଲ, ଦେଉଳିପାଟଣା, କାଶୀପୁର ଗ୍ରାମରୁ ବିମାନରେ ଆସିଛନ୍ତି କଣ୍ଢେଇ ଠାକୁର । ଆଜିର ଜମାଣ ଶୋଭାଯାତ୍ରାକୁ ଜମେଇ ଥିଲା କଟକ ଚୌଦ୍ୱାରର ‘ଧମାଲ୍ ବାଜା’ । ଏହି ବାଜାରେ ମୁଖରିତ ହୋଇଉଠିଥିଲା ଦୁଇଗାଁ ପାତ୍ରପଡ଼ା ଓ ଭଗବାନପୁର । ଶୋଭାଯାତ୍ରା ପୁରୋଭାଗରେ ‘ବଣମଣିଷ’, ସିଂହ, ବଗବଗୁଲି, ଚଇତି ଘୋଡା, କଳ ଘୋଡା, ବୁଢାବୁଢୀ, ସଖୀ କଣ୍ଢେଇ କଳାକାରଙ୍କ ନାଚ ସବୁରି ମନକୁ ଛୁଇଁଥିଲା ।

ପାତ୍ରପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖରଗୁମାନ ସିଂ, ଗଗନବିହାରୀ ଦାଶ, ଅତୀସ କୁମାର ମାର୍ଥା,ଦାଶରଥୀ ପ୍ରଧାନ(ତମାଣ୍ଡୋ), ହେମନ୍ତ ମହାରଣା ପ୍ରମୁଖ ଶୋଭଯାତ୍ରାରେ ସାମିଲ ହୋଇଥିଲେ । ଛୋଟି ଭୁଆସୁଣୀ କଣ୍ଢେଇ ମେଳର କମିଟିର ସଭାପତି ରବୀନ୍ଦ୍ର ନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି କଣ୍ଢେଇ ମେଳଣ ମଙ୍ଗଳବାର ଉଦ୍ଯାପିତ ହେବ । ଆଜି ସନ୍ଧ୍ୟାରୁ ବିଳମ୍ବିତ ରାତିଯାଏ ପାତ୍ରପଡ଼ା ସଂକୀର୍ତ୍ତନମଣ୍ଡଳୀର ମୁଖ୍ୟ ଶରତ ସାମନ୍ତରାୟ, ଭଗବାନପୁର ସଂକୀର୍ତ୍ତନମଣ୍ଡଳୀର ମୁଖ୍ୟ ନୃସିଂହଚରଣ ରାଉତଙ୍କ ନେତୃତ୍ୱରେ ଦୁଇ ଗାଁର ସଂକୀର୍ତ୍ତନ କଳାକାର ସଂକୀର୍ତ୍ତନ ପରିବେଷଣ କରିଛନ୍ତି । ରବିବାର ଗଞ୍ଜାମ, ବଡ଼ କୋଦଣ୍ଡା ଗ୍ରମାର ମା’ ବ୍ୟାଘ୍ରଦେବୀ କଣ୍ଢେଇ ଅପେରାଦଳ ସୂତା କଣ୍ଢେଇ ନାଚ ପରିବେଷଣ କରିବ । ସୋମବାର ଅପରାହ୍ନ ୫ଟାରେ କଣ୍ଢେଇ ଦିଅଁ ମେଳଣ, ପିଲାଙ୍କ ଦ୍ୱାରା ହରିହର ଭେଟ ଓ ରାତିରେ ବାଲ୍ୟଭୋଜିର ଆୟୋଜନ କରାଯାଇଛି ।

ଆହୁରି ପଢନ୍ତୁ - ଓଡ଼ିଶା ଅଣ୍ଡାରେ ରହିବ ଏକ୍ସପାଏରୀ! ଭଲ ଓ ଖରାପ ଅଣ୍ଡା ଜଣାପଡ଼ିବ, ଖୁବ୍ଶୀଘ୍ର ସରକାରଙ୍କୁ ପ୍ରସ୍ତାବ ଦେବ ବିଭାଗ

ପିଲାଙ୍କ ଖେଳରୁ କଣ୍ଢେଇ ମେଳଣ ଷାଠିଏ ଦଶକ ପ୍ରାରମ୍ଭରେ ଭୁବନେଶ୍ୱର ଉପକଣ୍ଠ ଗାଁ ମାନଙ୍କରେ ଆଜିପରି ପଞ୍ଚୁଦୋଳ ଓ ଭଗବତ ମେଳଣ ପାଳନ ହେଉଥିବା ବେଳେ ଭଗବାନପୁର ଗାଁରେ ସେପରି ମେଳଣ ନଥାଏ । ଆଖପାଖ ମେଳଣ ଦେଖି ଗାଁର ଛୋଟଛୋଟ ପିଲା ଅମରି ଓ ବାଉଁଶ କାଠିରେ ରଙ୍ଗୀନ କାଗଜ ଗୁଡ଼ାଇ ଛୋଟ ଛୋଟ ବିମାନ ତିଆରି କରି ତା’ ଭିତରେ କଣ୍ଢେଇ ବସାଇ ଖେଳୁଥିଲେ । ତେଣୁ ପିଲାମାନଙ୍କର ଏଭଳି ଉତ୍ସାହ ଦେଖି ଗ୍ରାମର ଅପନି ବେହେରା, ଫଗୁ ମହାପାତ୍ର ଓ ଧଡୁ ସାହୁ ଆଗେଇ ଆସି ଆରମ୍ଭ କରିଥିଲେ କଣ୍ଢେଇ ମେଳଣ । ୧୯୭୭ ମସିହାରେ ଏହି ନିଆରା ମେଳଣ ବଞ୍ଚାଇ ରଖିବାକୁ ଗଢାହେଲା ଛୋଟି ଭୁଆଶୁଣୀ କଣ୍ଢେଇ ମେଳଣ କମିଟି । ସିଦେ୍ଧଶ୍ୱର ସାହୁ ସଭାପତି ଏବଂ କର୍ମକର୍ତ୍ତା ସର୍ବଶ୍ରୀ ସୁମନ ବିହାରୀ ପଟ୍ଟନାୟକ, ଜୟକୃଷ ସାହୁ ଓ ବଳରାମ ବେହେରାଙ୍କ ତତ୍ତ୍ୱାବଧାନରେ ଏହି ମେଳଣ ଦୀର୍ଘବର୍ଷଧରି ଚାଲୁରହିଥିଲା । ୨୦୧୦ ମସିହାରୁ କମିଟିର ସଭାପତି ରବୀନ୍ଦ୍ର ନାଥ ସାହୁ ଓ ସମ୍ପାଦକ ଅଭିମନ୍ୟୁ ଚମ୍ପତିଙ୍କ ନେତୃତ୍ୱରେ ପରିଚାଳିତ ହୋଇଆସୁଅଛି କଣ୍ଢେଇ ମେଳଣ ।