ଇସଲାମାବାଦ,୭।୧୦: ପାକିସ୍ତାନର ବେଲୁଚିସ୍ତାନରେ ମଙ୍ଗଳବାର ପୁଣି ଜାଫର ଏକ୍ସପ୍ରେସ ଟ୍ରେନକୁ ଟାର୍ଗେଟ। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ସିନ୍ଧ-ବାଲୁଚିସ୍ତାନ ସୀମା ନିକଟସ୍ଥ ସୁଲତାନକୋଟ ଅଞ୍ଚଳରେ ଆଇଇଡି ବିସ୍ଫୋରଣ କରାଯାଇଛି, ଯାହା ଫଳରେ ଅତି କମରେ ଛଅଟି ବଗି ଲାଇନଚ୍ୟୁତ ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସ ପରେ ଏହା ଜାଫର ଏକ୍ସପ୍ରେସ ଉପରେ ହୋଇଥିବା ଦ୍ବିତୀୟ ଆକ୍ରମଣ। ଟ୍ରେନ୍ଟି କ୍ୱେଟା ଅଭିମୁଖେ ଯାଉଥିଲା।
ବାଲୁଚିସ୍ତାନ ରିପବ୍ଲିକାନ୍ ଗାର୍ଡସ୍ (ବିଆରଜି) ଏହି ଆକ୍ରମଣ ପାଇଁ ଦାୟୀ କରିଛି। ସେମାନେ ଦାବି କରିଛନ୍ତି ଯେ ପାକିସ୍ତାନୀ ସେନାର ଯବାନ ଟ୍ରେନରେ ଯାତ୍ରା କରୁଥିଲେ। ଏହି ସମୟରେ ଆକ୍ରମଣ ହୋଇଥିଲା। ବିସ୍ଫୋରଣ ଫଳରେ ଟ୍ରେନର ଛଅଟି ବଗି ଲାଇନଚ୍ୟୁତ ହୋଇଥିଲା। ବିଆରଜିର କହିବା ଅନୁସାରେ, ଏଭଳି ଆକ୍ରମଣ ସେ ପର୍ଯ୍ୟନ୍ତ ଜାରି ରହିବ, ଯେଉଁ ଯାଏଁ ବେଲୁଚିସ୍ତାନକୁ ସ୍ବାଧିନତା ନମିଳିଛି।’ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ସୁରକ୍ଷା ବାହିନୀ ପହଁଞ୍ଚି ସାରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆକ୍ରମଣରେ ଆହତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି।
ଏହି ବିସ୍ଫୋରଣ ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଜାଫର ଏକ୍ସପ୍ରେସରେ ବିସ୍ଫୋରଣ ହୋଇଥିଲା । ଗତ ମାର୍ଚ୍ଚ ମାସରେ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) କ୍ୱେଟ୍ଟା ନିକଟରେ ଜାଫର ଏକ୍ସପ୍ରେସକୁ ହାଇଜାକ କରିନେବା ସହ ଶତାଧିକ ଯାତ୍ରୀଙ୍କୁ ବନ୍ଧକ ରଖିଥିଲେ।ଆକ୍ରମଣରେ ୬୪ ଜଣଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଭିତରେ ୧୮ ଜଣ ଯବାନ ରହିଥିଲେ। ତେବେ ସେନାର ପାଲଟା ଆକ୍ରମଣରେ ୩୩ ଜଣ ଆକ୍ରମଣକାରୀ ନିହତ ହୋଇଥିଲେ।