ଜଗତପୁର,୨୨\୭ : ମୋବାଇଲ୍ ପାଇଁ ଉଜୁଡ଼ିଲା ସୁନା ସଂସାର । ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକି ଜୀବନ ହାରିଲା ପୁଅ । ଏକମାତ୍ର ପୁଅର ମୃତ୍ୟୁ ପରେ ମା'ଙ୍କ ଆତ୍ମହତ୍ୟା ଉଦ୍ୟମ । କଟକ ସହର ଉପକଣ୍ଠ ଜଗତପୁର ଥାନା କାଜିବଜାର ନିକଟସ୍ଥ ତ୍ରିଲୋଚନପୁର ପଞ୍ଚାୟତ ହାତୀଖାନା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଆଜି (ଗୁରୁବାର) ବାପାଙ୍କ ମୃତ୍ୟୁକୁ ବର୍ଷେ ପୂରୁଥିବା ବେଳେ, ଦଶମ ଶ୍ରେଣୀରେ ପଢୁଥିବା ଏକମାତ୍ର ପୁଅ ବିଷ ପିଇ ଆତ୍ମହତ୍ୟା କରିଛି । ମୃତ ନାବାଳକ ହେଲେ ହାତୀଖାନା ଗ୍ରାମର ସ୍ୱର୍ଗତ ସୁବାସ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ଆୟୁଷ୍ମାନ ସାହୁ (୧୫) ଓରଫ ସୋମ୍ ।
ସୋମ୍ ପୂର୍ବକଚ୍ଛ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀରେ ପଢ଼ୁଥିଲେ । ଭଲ ପାଠ ପଢ଼ିବା ସହ ସେ ଭଲ ନୃତ୍ୟ ପ୍ରଦର୍ଶନ କରି ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲ୍ର "ଟିକେ ଡ୍ୟାନ୍ସ୍ ଟିକେ ଆକ୍ଟିଂ' ଜୁନିୟର ବର୍ଗ ଅଡିସନ୍ ରେ ପୁରସ୍କୃତ ହୋଇଥିଲେ । ଗୁରୁବାର ଦିନ ସୁବାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରୀତିନୀତି ମୁତାବକ ପାଳିବା ପାଇଁ ପରିବାର ଲୋକେ ବ୍ୟସ୍ତ ଥିଲେ । ଏଥିପାଇଁ ସୋମ୍ ମଧ୍ୟ ସ୍କୁଲ ନଯାଇ ଘରେ ଥିଲେ । ସକାଳ ପ୍ରାୟ ୯ଟା ସମୟରେ ସେ ମୋବାଇଲ୍ ଦେଖିବାରେ ବ୍ୟସ୍ତ ରହିବାରୁ ମାଆ ତାଙ୍କୁ ତାଗିଦ୍ କରି ମୋବାଇଲ୍ ଲୁଚାଇ ଦେଇଥିଲେ । ଯାହାକୁ ନେଇ ସୋମ୍ ଅସନ୍ତୋଷ ପ୍ରକାଶ କରିବା ସହ ରାଗରେ ଘରେ ଥିବା କୀଟନାଶକ ଔଷଧ ପିଇ ଦେଇଥିଲେ ।
ଏହାର କିଛି ସମୟ ପରେ ଘର ଭିତରେ ସୋମ୍ ନିଶ୍ଚଳ ଅବସ୍ଥାରେ ପଡିଥିବା ଦେଖି ପରିବାର ଲୋକେ ତାଙ୍କୁ ପ୍ରଥମେ ଜଗତପୁରର ଏକ ଘରୋଇ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପକ୍ଷରେ ବର୍ଷକ ପୂର୍ବରୁ ସ୍ୱାମୀ ଓ ଏବେ ଏକମାତ୍ର ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ମାଆ ମଧ୍ୟ ସମସ୍ତଙ୍କ ଅଜାଣତରେ କିଛି ସମୟ ପରେ ବିଷ ପିଇ ଦେଇଥିଲେ । ପଡୋଶୀମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡିଛି ।