ନୂଆଦିଲ୍ଲୀ, ୨୪.୭: ଛାତ୍ର ଆନ୍ଦୋଳନକୁ ନିଆଁ ଲଗାଉଥିଲା ପାକିସ୍ତାନ ! ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ଏହାକୁ ନେଇ ସାରା ଦେଶରେ ଚାଲୁଥିବା ବିକ୍ଷୋଭ ପ୍ରଦର୍ଶନ । ଏହି ସମୟରେ ଗୁଜବ ଏବଂ ଭ୍ରାନ୍ତିକର ତଥ୍ୟ ପ୍ରସାରଣ କରୁଥିବା ୪୮୦ରୁ ଊର୍ଦ୍ଧ୍ୱ ପାକିସ୍ତାନୀ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଚିହ୍ନଟ କରି ବ୍ଲକ୍ କରିଛି ଦିଲ୍ଲୀ ପୁଲିସ । ଏସବୁ ଆକାଉଣ୍ଟ ପୂର୍ବରୁ 'ଅପରେସନ୍ ସିନ୍ଦୂର' ସମୟରେ ମଧ୍ୟ ଭାରତର ସୁନାମ ନଷ୍ଟ କରିବାକୁ ଅପଚେଷ୍ଟା କରୁଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦିଲ୍ଲୀ ପୁଲିସର ଡେପୁଟି କମିଶନର ସୁମିତ ଝା ଦେଇଥିବା ସୂଚନା ଅନୁଯାୟୀ, ଦେଶରେ ନିଟ୍ ପରୀକ୍ଷାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ସୁଯୋଗ ନେଇ କିଛି ଅସାମାଜିକ ତତ୍ତ୍ୱ ଏବଂ ବିଦେଶୀ ଆକାଉଣ୍ଟ ନକଲି କଣ୍ଟେଣ୍ଟ ପ୍ରସାରଣ କରୁଥିଲେ । ଏହି ହ୍ୟାଣ୍ଡେଲଗୁଡ଼ିକ ପୂର୍ବରୁ ‘ଅପରେସନ୍ ସିନ୍ଦୂର’ ସମୟରେ ମଧ୍ୟ ସକ୍ରିୟ ଥିଲେ । ଏଗୁଡ଼ିକର ମୂଳ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଭୁଲ୍ ବାଟରେ ନେବା ଏବଂ ଉତ୍ତେଜନା ସୃଷ୍ଟି କରିବା ।
ଏହା ବି ପଢ଼ନ୍ତୁ... PM Modi X Post: ସୋନମ୍ ୱାଙ୍ଗଚୁକ୍ଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ ! କହିଲେ “ଡାକ୍ତରଙ୍କ ପରାମର୍ଶ ମାନନ୍ତୁ, ପୁରୁଣା ଓଜନ ଫେରାଇ ଆଣନ୍ତୁ”
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ସାଧାରଣ ଜନତା, ବିଶେଷ କରି ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ପାଇଁ ଏକ ସତର୍କତାମୂଳକ ଆଡଭାଇଜରୀ ଜାରି କରାଯାଇଛି । ଦିଲ୍ଲୀ ପୁଲିସ ଡିସିପି ସୁମିତ ଝା କହିଛନ୍ତି, "ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ କୌଣସି ଅସ୍ପଷ୍ଟ ବା ଅଜଣା ଆକାଉଣ୍ଟରୁ ଆସୁଥିବା ଆପତ୍ତିଜନକ ପୋଷ୍ଟ କିମ୍ବା ଏଡିଟେଡ୍ ଭିଡିଓ ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ । କୌଣସି ସୂଚନା ସେୟାର କରିବା ପୂର୍ବରୁ ନିଶ୍ଚିତ ଭାବେ ଫ୍ୟାକ୍ଟ-ଚେକ୍ କରନ୍ତୁ ।" ଦିଲ୍ଲୀ ପୁଲିସ ସ୍ପଷ୍ଟ କରିଛି ଯେ, ଶାନ୍ତିପୂର୍ଣ୍ଣ ଭାବେ ଗଣତାନ୍ତ୍ରିକ ପ୍ରତିବାଦ କରିବା ପ୍ରତ୍ୟେକ ନାଗରିକଙ୍କ ଅଧିକାର ଏବଂ ପୁଲିସ ଏହାକୁ ସମ୍ମାନ ଜଣାଏ । ତେବେ ଗୁଜବଠାରୁ ଦୂରେଇ ରହି କେବଳ ଭରସାଯୋଗ୍ୟ ଓ ଆଧିକାରିକ ସୂତ୍ରରୁ ମିଳୁଥିବା ସୂଚନା ଉପରେ ବିଶ୍ୱାସ କରିବାକୁ ପୁଲିସ ସାଧାରଣ ଜନତାଙ୍କୁ ନିବେଦନ କରିଛି ।