ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହେଲେ ଜଗିମଙ୍ଗତ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହୋଇଛନ୍ତି ଓଡ଼ିଶା ଟେଲିଭିଜନ ଲିମିଟେଡ୍ (ଓଟିଭି)ର ନିର୍ଦ୍ଦେଶିକା ଜଗିମଙ୍ଗତ ପଣ୍ଡା । ଗୃହର ସ୍ୱାଧିକାର ଭଙ୍ଗ ନୋଟିସ୍ ଘଟଣାରେ ତାଙ୍କୁ ହାଜର ହେବାକୁ ପଡ଼ିଛି । ଆଜି ଆଲୋଚନା ସମ୍ପୂର୍ଣ୍ଣ ହୋଇନଥିବାବେଳେ ପୁଣି ଥରେ ଦିନ ଧାର୍ଯ୍ୟ ହୋଇ ଶୁଣାଣି ହେବ ବୋଲି ଜଣାପଡ଼ିଛି ।
ଗତବର୍ଷ ନଭେମ୍ବର ୧୯ରେ ବିଧାନସଭା ସମ୍ପର୍କିତ ଖବର ପ୍ରସାରଣକୁ ନେଇ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି ହୋଇଥିଲା । ମାମଲାରେ ଓଟିଭି ପକ୍ଷରୁ ଆଜି ଜଗିମଙ୍ଗତ ସ୍ୱାଧିକାର କମିଟି ଆଗରେ ହଜାର ହୋଇଥିଲେ । ଜଗିମଙ୍ଗତ କହିଛନ୍ତି, ଜଣେ ମହିଳା ଉଦ୍ୟୋଗୀ ଭାବେ ୨୨ ବର୍ଷ ଧରି ରାଜ୍ୟରେ କାର୍ଯ୍ୟ କରି ଆସୁଛି । ରାଜ୍ୟରେ ୨ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରିଛି । ହେଲେ ଏବେ ଉଦ୍ଦେଶ୍ୟକମୂଳକ ଭାବେ ଆମକୁ ହଇରାଣ କରାଯାଉଛି । ନାନା ପ୍ରତିବନ୍ଧକ ସୃଷ୍ଟି କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ।
ସ୍ୱାଧିକାର କମିଟି ଅଧ୍ୟକ୍ଷ ତଥା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଏହି ପ୍ରସଙ୍ଗ ଉପରେ ତର୍ଜମା କରାଯାଉଛି । ତର୍ଜମା ଅସମ୍ପୂର୍ଣ୍ଣ ରହିଛି । ତେଣୁ ପୁଣି ଆଉ ଏକ ତାରିଖ ଧାର୍ଯ୍ୟ କରାଯାଇ ଏହାର ଶୁଣାଣି କରାଯିବ । ଅପରପକ୍ଷରେ ଏହି ସ୍ୱାଧିକାର ନୋଟିସ୍ ଆଣିଥିବା କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଏହି ନୋଟିସ୍ ପ୍ରତ୍ୟାହାର କରିନେଇଛି । ତେଣୁ ଏହା ଉପରେ ଆଉ ତର୍ଜମା କରିବା ଠିକ୍ ନୁହେଁ । ଆସନ୍ତା ୪ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେଲେ, ଏହା ଉପରେ ସେ ସ୍ପଷ୍ଟୀକରଣ ରଖିବେ ।