କଟକ, ୨୨/୧୧: ଜେଲ୍‌ରେ କଏଦୀଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷାଦାନଠାରୁ  ଆରମ୍ଭ କରି ବିଭିନ୍ନ ପ୍ରକାର ତାଲିମ  କିପରି ପ୍ରଦାନ କରାଯାଇପାରିବ  ସେଥିପାଇଁ ଜେଲ୍‌ ବିଭାଗ ଡିଜି ଏବଂ  ଏନ୍‌ଆଇସି (ନ୍ୟାସନାଲ୍‌ ଇନ୍‌ଫର୍ମେଟିକ୍‌ସ  ସେଣ୍ଟର) ଅଧିକାରୀଙ୍କ ମଧ୍ୟରେ ବସିଥିବା  ବୈଠକ ସଂକ୍ରାନ୍ତ ରିପୋର୍ଟକୁ ସତ୍ୟପାଠ  ଆକାରରେ ଆଜି ଅଦାଲତରେ ଦାଖଲ  କରାଯାଇଥିଲା । ଏଥିରେ ପ୍ରତ୍ୟେକ  ଜେଲ୍‌ରେ ଆଇଟି ଭିତ୍ତିଭୂମିର ବିକାଶ  ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି  ଆକଳନ କରାଯାଇଛି । 

ଏଥିପାଇଁ ରାଜ୍ୟ  ସରକାରଙ୍କ ଅନୁମୋଦନର ଆବଶ୍ୟକତା  ରହିଛି ବୋଲି ଅଦାଲତଙ୍କୁ ଅବଗତ  କରାଯାଇଥିଲା । ଏହି ଜବାବ ପରେ  ହାଇକୋର୍ଟ ମାମଲାର ଶୁଣାଣି ଆସନ୍ତା  ୨୮ତାରିଖକୁ ଧାର୍ଯ୍ୟ କରିଛନ୍ତି । ପରବର୍ତ୍ତୀ  ଶୁଣାଣିରେ ଅର୍ଥ ମଞ୍ଜୁର ସଂକ୍ରାନ୍ତରେ କ’ଣ  ନିଷ୍ପତ୍ତି ନିଆଗଲା ସେ ସଂପର୍କରେ ରାଜ୍ୟ ସରକାର ଜବାବ ଦେବେ ବୋଲି ଜେଲ୍‌  ସଂସ୍କାର ମାମଲାରର ଶୁଣାଣି କରି ମୁଖ୍ୟ  ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ  ସିଂ ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ  ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । 

ଜେଲ୍‌ ସଂସ୍କାର ମାମଲାରେ  କଏଦୀମାନେ କିପରି ସେମାନଙ୍କର  ମୌଳିକ ଅଧିକାର ପାଇପାରିବେ ସେ  ଦିଗରେ କେତେଗୁଡ଼ିଏ ପଦକ୍ଷେପ  ନେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ  ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି  କଏଦୀଙ୍କୁ କିପରି ଶିକ୍ଷାଦାନ ଓ ତାଲିମ  ଆଦି ଦିଆଯିବ ତାହା ଉପରେ ଜବାବ  ଲୋଡ଼ିଥିଲେ ।  

ଅଦାଲତଙ୍କ ରିପୋର୍ଟ ତଲବ ପରେ  ଜେଲ୍‌ ବିଭାଗ ଡିଜିଙ୍କ ଅଧ୍ୟକ୍ଷତାରେ  ଏକ ବୈଠକ ବସିଥିଲା । ଏଥିରେ  ଏନ୍‌ଆଇସିର ବରିଷ୍ଠ ନିର୍ଦ୍ଦେଶକ  (ଆଇଟି) ମଳୟ କୁମାର ଦାସ ଯୋଗ  ଦେଇଥିଲେ । ଓଡ଼ିଶାର ଜେଲ୍‌ ପାଇଁ  ୱେବ୍‌ ଆଧାରିତ ପୋର୍ଟାଲ ପ୍ରସ୍ତୁତ  କରାଯିବାକୁ ନିଷ୍ପତ୍ତି ହୋଇଥିଲା ।  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଆଧାର  କରି ଏହି ପୋର୍ଟାଲ୍‌ କାର୍ଯ୍ୟକ୍ଷମ ହେବ ।  ଏଥିପାଇଁ ପ୍ରତ୍ୟେକ ଜେଲ୍‌ରେ ଆଇଟି  ଭିତ୍ତିଭୂମିର ବିକାଶର ଆବଶ୍ୟକତା  ରହିଛି । ଏ ବାବଦରେ ୨କୋଟି ଟଙ୍କା ଖର୍ଚ୍ଚ  ହେବ । ଏହି ଅର୍ଥ ମଞ୍ଜୁର ପାଇଁ ରାଜ୍ୟ  ସରକାରଙ୍କୁ ଅବଗତ କରାଯାଇଛି ବୋଲି  ହାଇକୋର୍ଟଙ୍କୁ କୁହାଯାଇଥିଲା । ଏହି  ମାମଲାକୁ ଆମିକସ୍‌ କ୍ୟୁରି ତଥା ବରିଷ୍ଠ  ଆଇନଜୀବୀ ଗୌତମ ମିଶ୍ର ଏବଂ ରାଜ୍ୟ  ସରକାରଙ୍କ ପକ୍ଷରୁ ଏଜିଏ ଶୁଭବିକାଶ  ପଣ୍ଡା ପରିଚାଳନା କରୁଛନ୍ତି ।