ନୂଆଦିଲ୍ଲୀ : ପାନ ମସଲା ବିଜ୍ଞାପନ ମାମଲାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ , ଅଜୟ ଦେବଗନ ଓ ଟାଇଗର ଶ୍ରଫ୍ଙ୍କ ମୁସ୍କିଲ ବଢିଛି। ବିଭ୍ରାନ୍ତିକର ପ୍ରଚାର ମାମଲାରେ କଞ୍ଜ୍ୟୁମର କୋର୍ଟ ତିନି ଜଣଙ୍କୁ ନୋଟିସ ପଠାଇଛନ୍ତି। ମାମଲାଟି ଜୟପୁରର। ସେମାନଙ୍କୁ ୧୯ ମାର୍ଚ୍ଚ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ମିଳିଛି।
ଜୟପୁର ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ(କମିଶନ) ବିମଳ ପାନ ମସଲାର ନିର୍ମାତାଙ୍କୁ ମଧ୍ୟ ନୋଟିସ୍ ପଠାଇଛି। ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ , ଆୟୋଗର ଅଧ୍ୟକ୍ଷ ଗ୍ୟାରସିଲାଲ ମିଣା ଓ ସଦସ୍ୟ ହେମଲତା ଅଗ୍ରୱାଲଙ୍କ ପୀଠ ସବୁ ପକ୍ଷଙ୍କୁ ୧୯ ମାର୍ଚ୍ଚରେ ବ୍ୟକ୍ତିଗତ ରୂପେ ବା ପ୍ରତିନିଧି ମାଧ୍ୟମରେ ହଜାର ହେବାକୁ କହିଛି।
ମାମଲାଟି କଣ ?
ଏହି ମାମଲା ଓକିଲ ଯୋଗେନ୍ଦ୍ର ସିଂହ ବଡିୟାଲଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଛି। ସେ ଆୟୋଗରେ ଆବେଦନ ଦାଏର କରି ଅଭିଯୋଗ କରିଛନ୍ତି ଯେ , ବିମଲ ପାନ ମସଲାର ବିଜ୍ଞାପନରେ ଏହି ଦାବି କରାଯାଇଛି ଯେ, ଦାନେ ଦାନେ ମେଁ କେସର କା ଦମ୍ ଅଛି , ଯାହାକି ବାସ୍ତବିକତା ଏହାଠାରୁ ଭିନ୍ନ। ବଡିୟାଲ କହିଛନ୍ତି ଯେ, କେସର ଓ ପାନ ମସଲାର ଦାମରେ ଖୁବ୍ ବ୍ୟବଧାନ ଅଛି ଏବଂ ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କୁ ଭ୍ରମିତ କରାଯାଉଛି।
ପିଟିସନରେ ଏହା ମଧ୍ୟ ତର୍କ ଦିଆଯାଇଛି ଯେ ବିମଲ ପାନ ମସଲା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏବଂ କ୍ୟାନସର ଭଳି ଗୁରୁତର ରୋଗର କାରଣ ହୋଇପାରେ।
ଅଭିଯୋଗକର୍ତ୍ତାଙ୍କର କହିବାନୁସାରେ , ଏହି ଅଭିନେତାମାନେ ଏହି ବିଜ୍ଞାପନକୁ ବଢାଇ ଚଢାଇ ଭୁଲ ମେସେଜ ପ୍ରଚାର କରୁଛନ୍ତି , ଯେଉଁଥିରେ କମ୍ପାନୀର କୋଟି କୋଟି ଟଙ୍କା ଲାଭ ହେଉଛି । ସେ ଦାବି କରିଛନ୍ତି କି ଏହି ଷ୍ଟାରଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଏହିପରି ବିଜ୍ଞାପନ ଗୁଡ଼ିକରେ ତୁରନ୍ତ ରୋକ୍ ଲଗାଯାଉ।