ସ୍ବାମୀଙ୍କ ଚିକିତ୍ସା କରିବାକୁ ଆସି ଘରୋଇ ନର୍ସିଂହୋମ୍ରେ ଦୁଷ୍କର୍ମର ଶିକାର ହେଲେ ମହିଳା, ଡାକ୍ତର ସମେତ ୪ ଗିରଫ…

ନୂଆଦିଲ୍ଲୀ: ଝାଡଖଣ୍ଡର ଜାମତରା ସ୍ଥିତ ଏକ ଘରୋଇ ନର୍ସିଂହୋମରେ ଜଣେ ରୋଗୀଙ୍କ ପତ୍ନୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଡାକ୍ତରଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ସୋମବାର ସ୍ଥାନୀୟ ଲୋକମାନେ ନର୍ସିଂହୋମରେ ଏକ ଉତ୍ତେଜନା ସୃଷ୍ଟି କରିଥିଲେ । ଏନେଇ ଜାମତରା ଏସଡିପିଓ ଆନନ୍ଦ ଜ୍ୟୋତି ମିଂଜ କହିଛନ୍ତି ଯେ ଡାକ୍ତରଖାନାର ଦୁଇ କର୍ମଚାରୀ ଶାନ୍ତି ପ୍ରସାଦ ମହତୋ ଏବଂ ବିନୟଙ୍କ ଉପରେ ମହିଳା ଜଣକ ବଳାତ୍କାର ଅଭିଯୋଗ ଆଣିଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ଡାକ୍ତରଖାନାର ଡାକ୍ତର ଏବଂ ଜଣେ ନର୍ସଙ୍କୁ ମଧ୍ୟ ଏସସି-ଏସଟି ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି ।
ପଗଡାଡିହ ଗାଁର ପୀଡିତା ଜାମତରା ପୋଲିସ ଷ୍ଟେସନରେ ଏଫଆଇଆର କରିଥିଲେ । ଏଫଆଇଆରରେ ଦର୍ଶାଯାଇଥିଲା ଯେ ତାଙ୍କ ସ୍ୱାମୀଙ୍କର ହର୍ନିଆ ଅସୁବିଧା ଥିଲା । ଏଥିପାଇଁ ତାଙ୍କୁ ସେ ୧୮ ଜାନୁଆରୀରେ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ସେ ତାଙ୍କ ଅସୁସ୍ଥ ସ୍ୱାମୀଙ୍କ ଯତ୍ନ ନେବା ପାଇଁ ନର୍ସିଂହୋମରେ ଥିଲେ । ରବିବାର ବିଳମ୍ବିତ ରାତିରେ ତାଙ୍କ ସ୍ୱାମୀ ଯନ୍ତ୍ରଣା ଅନୁଭବ କରିଥିଲେ । ସେ ନର୍ସିଂହୋମର କର୍ମଚାରୀ ମାନଙ୍କୁ ଏ ବିଷୟରେ ଜଣାଇଲେ । ଏହା ପରେ ତାଙ୍କୁ ଏକ ଇଞ୍ଜେକ୍ସନ ଦେଇ ଶୁଆଇ ଦିଆଗଲା ।
ଏହା ପରେ ନର୍ସିଂହୋମର ଦୁଇଜଣ କର୍ମଚାରୀ ତାଙ୍କ ସହ ଜବରଦସ୍ତି କରିଥିଲେ । ତାଙ୍କ ମୁହଁରେ ଏକ କପଡା ରଖି ବଳାତ୍କାର କରିଥିଲେ । ବଳାତ୍କାର ପରେ ଅଭିଯୁକ୍ତ ଧମକ ଦେଇଥିଲେ ଯେ ଯଦି ଏହି ଘଟଣା ବିଷୟରେ କାହାକୁ ସେ କୁହନ୍ତି ତେବେ ଏହାର ପରିଣାମ ଖରାପ ହେବ । ପରଦିନ ଯେତେବେଳେ ମହିଳା ଜଣକ ଏହି ଘଟଣା ବିଷୟରେ ଲୋକଙ୍କୁ କହିଥିଲେ, ସେତେବେଳେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇ ନର୍ସିଂହୋମରେ ଉତ୍ତେଜନା ସୃଷ୍ଟି କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଖାନାର ଜଣେ ଡାକ୍ତର ଏବଂ ନର୍ସଙ୍କ ସହ ଉଭୟ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛି । ପୀଡିତାଙ୍କ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।