ପାଟନା: ଜନ ସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର ୧୪ ଦିନ ପରେ ଆମରଣ ଅନଶନରୁ ଓହରିଛନ୍ତି । ଜାନୁଆରୀ ୨ରୁ ପ୍ରଶାନ୍ତ କିଶୋର ଆମରଣ ଅନଶନ ଆରମ୍ଭ କରିଥିଲେ । ବିହାର ଲୋକସେବା ଆୟୋଗ (ବିପିଏସ୍ସି) ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ କରି ପ୍ରଶାନ୍ତ କିଶୋର ଆନ୍ଦୋଳନ ଆରମ୍ଭ କରିଥିଲେ । ଏଥିପାଇଁ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥିଲା । ଗୁରୁବାର ପିକେ ଅନଶନ ଭଙ୍ଗ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆନ୍ଦୋଳନ କେବେଠୁ ଆରମ୍ଭ ହେବ ସେନେଇ ଖୁବଶୀଘ୍ର ଘୋଷଣା ହେବ ବୋଲି ତାଙ୍କ ଦଳ ପକ୍ଷରୁ କୁହାଯାଇଛି ।
VIDEO | Jan Suraaj party chief Prashant Kishor (@PrashantKishor) ends his hunger strike after 14 days. Kishor had been on 'fast-unto-death' since January 2 in protest against alleged irregularities in a BPSC exam held last month.#PrashantKishor pic.twitter.com/9dhQOrUL0u
— Press Trust of India (@PTI_News) January 16, 2025
ଅନଶନ ଭଙ୍ଗ କରିବା ପୂର୍ବରୁ ପ୍ରଶାନ୍ତ କିଶୋର ଗଙ୍ଗା ନଦୀରେ ବୁଡ଼ ପକାଇଥିଲେ । ଏହା କୌଣସି ରାଲି କିମ୍ବା ଆନ୍ଦୋଳନ ନୁହେଁ । ପରୀକ୍ଷାର୍ଥୀଙ୍କୁ ଯେମିତି ନ୍ୟାୟ ମିଳିବ ସେଥିପାଇଁ ଗତ ୧୪ ଦିନ ହେଲା ମୁଁ ଜନ ସୁରାଜ ପରିବାର ପକ୍ଷରୁ ସ୍ବର ଉତ୍ତୋଳନ କରୁଥିଲି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ଏହା ସହ ସେ କହିଛନ୍ତି, ଏହି ଯୁଦ୍ଧ ପ୍ରଶାନ୍ତ କିଶୋର ଆରମ୍ଭ କରିନାହିଁ । ବିପିଏସସି ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ବିଶ୍ବାସ କରୁଥିବା ପରୀକ୍ଷାର୍ଥୀମାନେ ଏହି ପ୍ରତିବାଦ ଆରମ୍ଭ କରିଛନ୍ତି । ସେ ଆଗକୁ ସତ୍ୟାଗ୍ରହ ଆରମ୍ଭ କରିବେ ଏବଂ ଏଥିପାଇଁ ବିହାର ସତ୍ୟାଗ୍ରହ ଆଶ୍ରମ ପ୍ରତିଷ୍ଠା କରିବେ ବୋଲି ଘୋଷଣା କରିଛନ୍ତି ।
ପ୍ରଶାନ୍ତ କିଶୋର କହିଛନ୍ତି, ଏହି ପ୍ଲାଟଫର୍ମ ସିଷ୍ଟମ ଦ୍ବାରା ଅବହେଳିତ ଲୋକମାନଙ୍କୁ ସ୍ବର ଉଠାଇବା ପାଇଁ ସୁଯୋଗ ଦେବ । ନ୍ୟାୟିକ ବ୍ୟବସ୍ଥା ଭିତରେ ରହି ଅବହେଳିତ ଲୋକଙ୍କୁ ସାହାଯ୍ୟ କରିବ ଏହି ଆଶ୍ରମ । ଏପରିକି ଆଗାମୀ ୮ ସପ୍ତାହରେ ଆଶ୍ରମରେ କାର୍ଯ୍ୟ କରିବା ଲାଗି ୧ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଜାତି, ଧର୍ମ ନିର୍ବିଶେଷରେ ସବୁ ବର୍ଗର ଲୋକଙ୍କ ହିତରେ କାର୍ଯ୍ୟ କରିବା ଲାଗି ସେମାନଙ୍କୁ ପ୍ରଶିକ୍ଷିତ କରାଯିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।