ନୂଆଦିଲ୍ଲୀ,୦୮/୦୬: ଜଣେ ଜାପାନୀ ଗ୍ରାଫିକ୍ ଉପନ୍ୟାସ କଳାକାର ଓ ମନୋବୈଜ୍ଞାନିକ ଭବିଷ୍ୟବାଣୀ କରିଛନ୍ତି, ୨୦୨୫ରେ ଜାପାନରେ ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଆସିବ । ଏହି ଭବିଷ୍ୟବାଣୀରେ ଲୋକେ ଏତେ ଭୟଭୀତ ହୋଇଯିବେ ଯେ ଖରାଦିନ ଛୁଟିକୁ ବାତିଲ କରିଦେବେ ।
ଡେଲି ମେଲ୍ର ରିପୋର୍ଟ ଅନୁସାରେ, ବୁଲଗେରିଆର ଦୃଷ୍ଟିବାଧିତ ଭବିଷ୍ୟବକ୍ତା ବାବା ଭାଙ୍ଗାଙ୍କ ସହ ମଙ୍ଗା (ଗ୍ରାଫିକ୍ କମିକ୍) କଳାକାର ରିଓ ତାତ୍ସୁକିଙ୍କୁ ତୁଳନା କରାଯାଉଛି । କାରଣ ସେ ବିଶ୍ୱ ଘଟଣାବଳୀଗୁଡ଼ିକର ଆପାତତଃ ସଠିକ୍ ଭବିଷ୍ୟବାଣୀ କରଛନ୍ତି । ଏଥିରେ ଫ୍ରେଡି ମର୍କରୀ ଓ ରାଜକୁମାରୀ ଡାଏନାଙ୍କ ମୃତ୍ୟୁଠୁ ଆରମ୍ଭ କରି ୨୦୨୦ର କୋଭିଡ୍-୧୯ ମହାମାରୀ ପର୍ଯ୍ୟନ୍ତ ସବୁକିଛି ସାମିଲ ।
ରିପୋର୍ଟ ଅନୁସାରେ, ରିଓଙ୍କ ସର୍ବାଧିକ ବିକ୍ରି ହୋଇଥିବା ଗ୍ରାଫିକ୍ କମିକ୍ ‘ଦ ଫ୍ୟୁଚର ଆଇ ସ’ର ୨୦୨୧ ମସିହା ସଂସ୍କରଣରେ ତାଙ୍କର ସଦ୍ୟତମ ଭବିଷ୍ୟବାଣୀ ଉଲ୍ଲେଖ ହୋଇଛି । ଏଥିରେ ସେ ଚଳିତ ବର୍ଷ ଆସନ୍ତା ଜୁଲାଇ ୫ ତାରିଖରେ ଏକ ବିଧ୍ୱଂସକାରୀ ବିପତ୍ତିର ସଙ୍କେତ ଦେଇଛନ୍ତି । ରିଓ ୧୯୯୯ ମସିହାରେ ଏହି ଗ୍ରାଫିକ୍ କମିକ୍ର ପ୍ରଥମ ସଂସ୍କରଣରେ ଠିକ୍ ଏହିଭଳି ଏକ ଭବିଷ୍ୟବାଣୀ କରିଥିଲେ । ୨୦୨୫ର ଭବିଷ୍ୟବାଣୀ ସହ ତା’ର ସାମଞ୍ଜସ୍ୟ ରହିଛି । ସେତେବେଳେ ସେ ମାର୍ଚ୍ଚ ୨୦୧୧ରେ ଜାପାନରେ ଏକ ‘ମହାବିପତ୍ତି’ ଆସିବାର ଚେତାବନୀ ଦେଇଥିଲେ । ଏହି ଦିନ ଜାପାନରେ ଭୂକମ୍ପ ଓ ସୁନାମି ଆସିଥିଲା । ଏଥିରେ ୧୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଫୁକୁଶିମା ଦାଇଚି ପରମାଣୁ ଉର୍ଜ୍ଜା ୟୁନିଟ୍ ଧ୍ୱସ୍ତ ହୋଇଯାଇଥିଲା ।
ସେଥିପାଇଁ ଲୋକେ ରିଓଙ୍କ ସଦ୍ୟତମ ଭବିଷ୍ୟବାଣୀ ଉପରେ ଭରସା କରିଛନ୍ତି ଏବଂ ସୋସିଆଲ ମିଡିଆରେ ସାର୍ବଜନୀନ ସୁରକ୍ଷା ଚେତାବନୀ ଜାରି କରିଛନ୍ତି । ଏଥିରେ ଲୋକଙ୍କୁ ଜାପାନ ନ ଆସିବାକୁ ଚେତାବନୀ ଦିଆଯାଇଛି । ଏହି ତଥାକଥିତ ପ୍ରଳୟ ତାରିଖ ଜାଣିବା ପରେ ଜାପାନରେ ଛୁଟି କାଟିବାକୁ ଯୋଜନା କରିଥିବା ଅନେକ ପର୍ଯ୍ୟଟକ ସେମାନଙ୍କ ଯାତ୍ରାକୁ ରଦ୍ଦ କରିଛନ୍ତି । ଏହି ଭବିଷ୍ୟବାଣୀ ପରେ ଦକ୍ଷିଣ କୋରିଆ, ତାଇୱାନ ଓ ହଂକଂ ଭଳି ପ୍ରମୁଖ ବଜାରରେ ଜାପାନକୁ ବିମାନ ବୁକିଂରେ ବଡ଼ ହ୍ରାସ ହୋଇଛି ।
ବ୍ଲୁମ୍ବର୍ଗ ଇଣ୍ଟେଲିଜେନ୍ସର ଏକ ସର୍ଭେ ଅନୁସାରେ, ହଂକଂରୁ ହୋଟେଲ ଓ ବିମାନ ବୁକିଂରେ ଗତ ବର୍ଷ ତୁଳନାରେ ୫୦ ପ୍ରତିଶତ ହ୍ରାସ ହୋଇଛି । ଜୁନ୍ ଶେଷ ଓ ଜୁଲାଇ ଆରମ୍ଭ ମଧ୍ୟରେ ଯାତ୍ରା ବୁକିଂରେ ୮୩ ପ୍ରତିଶତ ହ୍ରାସ ହୋଇଛି । ଏହି ଦୂରଦର୍ଶୀ କମିକ୍ର ପ୍ରଭାବ କେବଳ ଗ୍ରୀଷ୍ମଦିନ ଯାତ୍ରା ଉପରେ ନୁହେଁ, ହଂକଂର ଏକ ଭ୍ରମଣ ଏଜେନ୍ସି ଦାବି କରିଛି, ଏପ୍ରିଲ-ମେ’ର ଶୀତଦିନ ଛୁଟି ପାଇଁ ଜାପାନ ଯାତ୍ରାର ବୁକିଂ ଗତ ବର୍ଷ ତୁଳନାରେ ଅଧାରୁ ମଧ୍ୟ କମିଯାଇଛି ।
ଜାପାନୀ ଅଧିକାରୀମାନେ ଲୋକଙ୍କୁ ଏହି ଚେତାବନୀକୁ ଅଣଦେଖା କରିବାକୁ ଅନୁରୋଧ କରିଛନ୍ତି । ଏ ବିଷୟରେ ସେମାନଙ୍କ ଦାବି ଯେ ଏହା ସମ୍ପୂର୍ଣ୍ଣ ନିରାଧାର । ମିୟାଗି ପ୍ରାନ୍ତର ଗଭର୍ନର ଏକ ପ୍ରେସ୍ ସମ୍ମିଳନୀରେ କହିଛନ୍ତି, ଯଦି ସୋସିଆଲ ମିଡିଆରେ ଅଣବୈଜ୍ଞାନିକ ଗୁଜବ ପ୍ରଚାର ଯୋଗୁ ପର୍ଯ୍ୟଟନ ଉପରେ ପ୍ରଭାବ ପଡ଼େ, ତେବେ ଏହା ଏକ ବଡ଼ ସମସ୍ୟା ହେବ । ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ ଜାପାନୀମାନେ ବିଦେଶକୁ ପଳାୟନ କରିବେ ନାହିଁ । ଆଶା କରୁଛି, ଗୁଜବ ଉପରେ ଆପଣମାନେ ଧ୍ୟାନ ଦେବେ ନାହିଁ ଏବଂ ଜାପାନ ଯାତ୍ରା କରିବେ ।
ରିଓଙ୍କର ସଦ୍ୟତମ ସଂସ୍କରଣର ୧୦ ଲକ୍ଷ କପି ବିକ୍ରି ହୋଇସାରିଛି । ଏପ୍ରିଲରେ ଏକ ସରକାରୀ ଟାସ୍କଫୋର୍ସ ଚେତାବନୀ ଦେଇଥିଲା ଯେ ଜାପାନର ପ୍ରଶାନ୍ତ ତଟରେ ଆସୁଥିବା ଭୂକମ୍ପରୁ ୨୯୮,୦୦୦ ଲୋକ ପ୍ରାଣ ହରାଇବେ । ଜାପାନ ପ୍ରଶାନ୍ତ ମହାସାଗରର ‘ଫାୟାର ରିଙ୍ଗ୍’ରେ ଅବସ୍ଥିତ । ସେଥିପାଇଁ ଏହା ବିଶ୍ୱର ଅନ୍ୟତମ ସର୍ବାଧିକ ଭୂକମ୍ପ-ପ୍ରବଣ ଦେଶ । ‘ଦ ଫ୍ୟୁଚର ଆଇ ସ’ରେ ରିଓ ଆହୁରି ଭବିଷ୍ୟବାଣୀ କରିଥିଲେ, ୨୦୩୦ ମସିହାରେ କୋଭିଡ୍-୧୯ ପୁଣି ଫେରିବ । ଏହା ଯୋଗୁ ମଧ୍ୟ ଅଧିକ ବିନାଶ ହେବ ।
ସୂଚନାଯୋଗ୍ୟ, କମିକ୍ରେ ଉଲ୍ଲେଖ ହୋଇଛି, ଏକ ଅଜ୍ଞାତ ଭାଇରସ୍ ୨୦୨୦ରେ ଆସିବ । ଏପ୍ରିଲରେ ଚରମରେ ପହଞ୍ଚିବା ପରେ ଉଭାନ୍ ହୋଇଯିବ ଏବଂ ୧୦ ବର୍ଷ ପରେ ପୁଣି ଫେରିବ । ନିକଟରେ ଜାପାନୀ ଗଣମାଧ୍ୟମ ସହ ସାକ୍ଷାତକାରରେ ରିଓ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ ତାଙ୍କ ଭବିଷ୍ୟବାଣୀ ଉପରେ ସନ୍ଦେହ ନ କରନ୍ତୁ । ଅନାବଶ୍ୟକ ପ୍ରଭାବିତ ନ ହେବାକୁ ଏବଂ ବିଶେଷଜ୍ଞଙ୍କ ରାୟ ଶୁଣିବାକୁ ମଧ୍ୟ ସେ କହିଛନ୍ତି ।