ନୂଆଦିଲ୍ଲୀ,୦୮/୦୬: ଜଣେ ଜାପାନୀ  ଗ୍ରାଫିକ୍‌ ଉପନ୍ୟାସ କଳାକାର ଓ ମନୋବୈଜ୍ଞାନିକ ଭବିଷ୍ୟବାଣୀ କରିଛନ୍ତି, ୨୦୨୫ରେ ଜାପାନରେ ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଆସିବ । ଏହି  ଭବିଷ୍ୟବାଣୀରେ ଲୋକେ ଏତେ ଭୟଭୀତ  ହୋଇଯିବେ ଯେ ଖରାଦିନ ଛୁଟିକୁ ବାତିଲ କରିଦେବେ । 

ଡେଲି ମେଲ୍‌ର ରିପୋର୍ଟ ଅନୁସାରେ, ବୁଲଗେରିଆର ଦୃଷ୍ଟିବାଧିତ ଭବିଷ୍ୟବକ୍ତା ବାବା  ଭାଙ୍ଗାଙ୍କ ସହ ମଙ୍ଗା (ଗ୍ରାଫିକ୍‌ କମିକ୍‌) କଳାକାର  ରିଓ ତାତ୍‌ସୁକିଙ୍କୁ ତୁଳନା କରାଯାଉଛି । କାରଣ ସେ ବିଶ୍ୱ ଘଟଣାବଳୀଗୁଡ଼ିକର ଆପାତତଃ ସଠିକ୍‌ ଭବିଷ୍ୟବାଣୀ କରଛନ୍ତି । ଏଥିରେ  ଫ୍ରେଡି ମର୍କରୀ ଓ ରାଜକୁମାରୀ ଡାଏନାଙ୍କ  ମୃତ୍ୟୁଠୁ ଆରମ୍ଭ କରି ୨୦୨୦ର କୋଭିଡ୍‌-୧୯  ମହାମାରୀ ପର୍ଯ୍ୟନ୍ତ ସବୁକିଛି ସାମିଲ । 

ରିପୋର୍ଟ ଅନୁସାରେ, ରିଓଙ୍କ ସର୍ବାଧିକ  ବିକ୍ରି ହୋଇଥିବା ଗ୍ରାଫିକ୍‌ କମିକ୍‌ ‘ଦ ଫ୍ୟୁଚର  ଆଇ ସ’ର ୨୦୨୧ ମସିହା ସଂସ୍କରଣରେ ତାଙ୍କର ସଦ୍ୟତମ ଭବିଷ୍ୟବାଣୀ ଉଲ୍ଲେଖ ହୋଇଛି ।  ଏଥିରେ ସେ ଚଳିତ ବର୍ଷ ଆସନ୍ତା ଜୁଲାଇ ୫  ତାରିଖରେ ଏକ ବିଧ୍ୱଂସକାରୀ ବିପତ୍ତିର ସଙ୍କେତ ଦେଇଛନ୍ତି । ରିଓ ୧୯୯୯ ମସିହାରେ ଏହି ଗ୍ରାଫିକ୍‌  କମିକ୍‌ର ପ୍ରଥମ ସଂସ୍କରଣରେ ଠିକ୍‌ ଏହିଭଳି ଏକ  ଭବିଷ୍ୟବାଣୀ କରିଥିଲେ । ୨୦୨୫ର ଭବିଷ୍ୟବାଣୀ  ସହ ତା’ର ସାମଞ୍ଜସ୍ୟ ରହିଛି । ସେତେବେଳେ  ସେ ମାର୍ଚ୍ଚ ୨୦୧୧ରେ ଜାପାନରେ ଏକ  ‘ମହାବିପତ୍ତି’ ଆସିବାର ଚେତାବନୀ ଦେଇଥିଲେ ।  ଏହି ଦିନ ଜାପାନରେ ଭୂକମ୍ପ ଓ ସୁନାମି ଆସିଥିଲା ।  ଏଥିରେ ୧୮ ହଜାରରୁ ଅଧିକ ଲୋକଙ୍କ  ମୃତ୍ୟୁ ହୋଇଥିଲା ଏବଂ ଫୁକୁଶିମା ଦାଇଚି  ପରମାଣୁ ଉର୍ଜ୍ଜା ୟୁନିଟ୍‌ ଧ୍ୱସ୍ତ ହୋଇଯାଇଥିଲା । 

ସେଥିପାଇଁ ଲୋକେ ରିଓଙ୍କ ସଦ୍ୟତମ  ଭବିଷ୍ୟବାଣୀ ଉପରେ ଭରସା କରିଛନ୍ତି ଏବଂ ସୋସିଆଲ ମିଡିଆରେ ସାର୍ବଜନୀନ ସୁରକ୍ଷା ଚେତାବନୀ ଜାରି କରିଛନ୍ତି । ଏଥିରେ ଲୋକଙ୍କୁ  ଜାପାନ ନ ଆସିବାକୁ ଚେତାବନୀ ଦିଆଯାଇଛି । ଏହି ତଥାକଥିତ ପ୍ରଳୟ ତାରିଖ ଜାଣିବା ପରେ ଜାପାନରେ ଛୁଟି କାଟିବାକୁ ଯୋଜନା  କରିଥିବା ଅନେକ ପର୍ଯ୍ୟଟକ ସେମାନଙ୍କ ଯାତ୍ରାକୁ  ରଦ୍ଦ କରିଛନ୍ତି । ଏହି ଭବିଷ୍ୟବାଣୀ ପରେ ଦକ୍ଷିଣ  କୋରିଆ, ତାଇୱାନ ଓ ହଂକଂ ଭଳି ପ୍ରମୁଖ  ବଜାରରେ ଜାପାନକୁ ବିମାନ ବୁକିଂରେ ବଡ଼  ହ୍ରାସ ହୋଇଛି । 

ବ୍ଲୁମ୍‌ବର୍ଗ ଇଣ୍ଟେଲିଜେନ୍ସର ଏକ  ସର୍ଭେ ଅନୁସାରେ, ହଂକଂରୁ ହୋଟେଲ ଓ ବିମାନ  ବୁକିଂରେ ଗତ ବର୍ଷ ତୁଳନାରେ ୫୦ ପ୍ରତିଶତ  ହ୍ରାସ ହୋଇଛି । ଜୁନ୍‌ ଶେଷ ଓ ଜୁଲାଇ ଆରମ୍ଭ  ମଧ୍ୟରେ ଯାତ୍ରା ବୁକିଂରେ ୮୩ ପ୍ରତିଶତ ହ୍ରାସ  ହୋଇଛି । ଏହି ଦୂରଦର୍ଶୀ କମିକ୍‌ର ପ୍ରଭାବ କେବଳ ଗ୍ରୀଷ୍ମଦିନ ଯାତ୍ରା ଉପରେ ନୁହେଁ, ହଂକଂର  ଏକ ଭ୍ରମଣ ଏଜେନ୍ସି ଦାବି କରିଛି, ଏପ୍ରିଲ-ମେ’ର  ଶୀତଦିନ ଛୁଟି ପାଇଁ ଜାପାନ ଯାତ୍ରାର ବୁକିଂ ଗତ  ବର୍ଷ ତୁଳନାରେ ଅଧାରୁ ମଧ୍ୟ କମିଯାଇଛି ।  

ଜାପାନୀ ଅଧିକାରୀମାନେ ଲୋକଙ୍କୁ ଏହି  ଚେତାବନୀକୁ ଅଣଦେଖା କରିବାକୁ ଅନୁରୋଧ  କରିଛନ୍ତି । ଏ ବିଷୟରେ ସେମାନଙ୍କ ଦାବି  ଯେ ଏହା ସମ୍ପୂର୍ଣ୍ଣ ନିରାଧାର । ମିୟାଗି ପ୍ରାନ୍ତର ଗଭର୍ନର ଏକ ପ୍ରେସ୍‌ ସମ୍ମିଳନୀରେ କହିଛନ୍ତି,  ଯଦି ସୋସିଆଲ ମିଡିଆରେ ଅଣବୈଜ୍ଞାନିକ  ଗୁଜବ ପ୍ରଚାର ଯୋଗୁ ପର୍ଯ୍ୟଟନ ଉପରେ ପ୍ରଭାବ ପଡ଼େ, ତେବେ ଏହା ଏକ ବଡ଼ ସମସ୍ୟା ହେବ ।  ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ  ଜାପାନୀମାନେ ବିଦେଶକୁ ପଳାୟନ କରିବେ ନାହିଁ । ଆଶା କରୁଛି, ଗୁଜବ ଉପରେ ଆପଣମାନେ  ଧ୍ୟାନ ଦେବେ ନାହିଁ ଏବଂ ଜାପାନ ଯାତ୍ରା କରିବେ ।  

ରିଓଙ୍କର ସଦ୍ୟତମ ସଂସ୍କରଣର ୧୦ ଲକ୍ଷ  କପି ବିକ୍ରି ହୋଇସାରିଛି । ଏପ୍ରିଲରେ ଏକ  ସରକାରୀ ଟାସ୍କଫୋର୍ସ ଚେତାବନୀ ଦେଇଥିଲା  ଯେ ଜାପାନର ପ୍ରଶାନ୍ତ ତଟରେ ଆସୁଥିବା  ଭୂକମ୍ପରୁ ୨୯୮,୦୦୦ ଲୋକ ପ୍ରାଣ ହରାଇବେ । ଜାପାନ ପ୍ରଶାନ୍ତ ମହାସାଗରର ‘ଫାୟାର ରିଙ୍ଗ୍‌’ରେ ଅବସ୍ଥିତ । ସେଥିପାଇଁ ଏହା ବିଶ୍ୱର  ଅନ୍ୟତମ ସର୍ବାଧିକ ଭୂକମ୍ପ-ପ୍ରବଣ ଦେଶ ।  ‘ଦ ଫ୍ୟୁଚର ଆଇ ସ’ରେ ରିଓ ଆହୁରି  ଭବିଷ୍ୟବାଣୀ କରିଥିଲେ, ୨୦୩୦ ମସିହାରେ  କୋଭିଡ୍‌-୧୯ ପୁଣି ଫେରିବ । ଏହା ଯୋଗୁ  ମଧ୍ୟ ଅଧିକ ବିନାଶ ହେବ । 

ସୂଚନାଯୋଗ୍ୟ,  କମିକ୍‌ରେ ଉଲ୍ଲେଖ ହୋଇଛି, ଏକ ଅଜ୍ଞାତ  ଭାଇରସ୍‌ ୨୦୨୦ରେ ଆସିବ । ଏପ୍ରିଲରେ  ଚରମରେ ପହଞ୍ଚିବା ପରେ ଉଭାନ୍‌ ହୋଇଯିବ  ଏବଂ ୧୦ ବର୍ଷ ପରେ ପୁଣି ଫେରିବ । ନିକଟରେ  ଜାପାନୀ ଗଣମାଧ୍ୟମ ସହ ସାକ୍ଷାତକାରରେ ରିଓ  ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ ତାଙ୍କ  ଭବିଷ୍ୟବାଣୀ ଉପରେ ସନ୍ଦେହ ନ କରନ୍ତୁ ।  ଅନାବଶ୍ୟକ ପ୍ରଭାବିତ ନ ହେବାକୁ ଏବଂ  ବିଶେଷଜ୍ଞଙ୍କ ରାୟ ଶୁଣିବାକୁ ମଧ୍ୟ ସେ କହିଛନ୍ତି ।