ଦୁଇଦିନିଆ ଭାରତ ଗସ୍ତରେ ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା; ସୋମବାର ମୋଦୀଙ୍କ ସହିତ ସାକ୍ଷାତକାର, ଚୀନ୍ର କାର୍ଯ୍ୟକଳାପ ସହିତ ବିଭିନ୍ନ ମୁଦ୍ଦା ଉପରେ ଆଲୋଚନା

Image Courtesy: ANI
ନୂଆଦିଲ୍ଲୀ,୨୦/୦୩: ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା। ସେ ସୋମବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିମାନବନ୍ଦରରେ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ। ଏହାରି ଭିତରେ ବିଶ୍ବର ଦୁଇ ପ୍ରମୁଖ ନେତତ୍ବଙ୍କ ମଧ୍ୟରେ ଭାରତର ସୀମା ତଥା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବଢ଼ୁଥିବା ଚୀନ୍ର ସାମରିକ କାର୍ଯ୍ୟକଳାପ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ।
ଚଳିତ ବର୍ଷ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ଏବଂ ମେ’ ମାସରେ ହିରୋସିମା ଠାରେ ଅନୁଷ୍ଠିତ ହେବାକୁ ଥିବା G7 ସମ୍ମିଳନୀ ସମ୍ପର୍କରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବେ। କାରଣ ଏହି ବର୍ଷ ଜାପାନ G7 ର ଅଧ୍ୟକ୍ଷତା କରୁଛି ଏବଂ ଭାରତ G20 ର ଅଧ୍ୟକ୍ଷତା କରୁଛି। କିପରି ନିଜ ମଧ୍ୟରେ ସହଯୋଗକୁ ଆହୁରି ଦୃଢ଼ିଭୁତ କରିପାରିବେ ସେ ବିଷୟରେ ଉଭୟ ନେତା ଆଲୋଚନା କରିବେ। ବିଶ୍ୱରେ ଶାନ୍ତି ପାଇଁ ଦୁଇ ନେତା ଋଷ-ୟୁକ୍ରେନ ଯୁଦ୍ଧ ବିଷୟରେ ମଧ୍ୟ ଆଲୋଚନା କରିବେ। ଏହା ବ୍ୟତୀତ ପ୍ରତିରକ୍ଷା, ପୁଞ୍ଜି ବିନିଯୋଗ ଏବଂ ବାଣିଜ୍ୟ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ସହିତ ଅନେକ ପ୍ରସଙ୍ଗକୁ ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ହେବ।
Japanese Prime Minister Fumio Kishida arrives in Delhi on a two-day visit.
— ANI (@ANI) March 20, 2023
Union Minister Rajeev Chandrasekhar receives PM Fumio Kishida. pic.twitter.com/JjUfcmB5b6
୨୦୨୨ରେ ତିନିଥର ମୋଦୀ ଓ କିଶିଦାଙ୍କର ହୋଇଛି ସାକ୍ଷାତ:
ଏହାପୂର୍ବରୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମାର୍ଚ୍ଚ ୨୦୨୨ରେ ଭାରତ-ଜାପାନ ମଧ୍ୟରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ଭାଗ ନେବାକୁ ଭାରତ ଆସିଥିଲେ। ସେହି ସମୟ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସାକ୍ଷାତ ସମୟରେ କିଶିଦା ଆଗାମୀ ପାଞ୍ଚ ବର୍ଷ ପାଇଁ ଭାରତରେ ୩ ଲକ୍ଷ ୨୦ ହାଜର କୋଟି ଟଙ୍କା ବିନିଯୋଗ ବିଷୟରେ କହିଥିଲେ। ଏହା ବ୍ୟତୀତ ୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦି ଜାପାନ ଗସ୍ତ ସମୟରେ କିଶିଦାଙ୍କୁ ଭେଟିଥିଲେ। ମେ ୨୦୨୨ ରେ, ପ୍ରଧାନମନ୍ତ୍ରୀ ମୋଦୀ QUAD ଦେଶ ବୈଠକରେ ଯୋଗଦେବା ପାଇଁ ଏବଂ ସେପ୍ଟେମ୍ବର ୨୦୨୨ ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଥିଲେ।