ବେଙ୍ଗାଲୁରୁ,୦୫/୦୪: ଭାରତୀୟ  କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର । ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ  ସିରିଜରେ ଆହତ ହୋଇଥିବା ଭାରତର ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମରାଙ୍କୁ ଖୁବ୍‌ ଶୀଘ୍ର କ୍ରିକେଟ୍‌ ଗ୍ରାଉଣ୍ଡରେ ଦେଖିବାକୁ ମିଳିବ । ସେ ସମ୍ପ୍ରତି ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ) ରେ ପୂର୍ଣ୍ଣ ଫିଟ୍‌ନେସ୍‌ ଫେରି ପାଇବାକୁ  ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।  ଗତ କିଛି ଦିନ ହେଲା ସେ ନିୟମିତ  ଭାବେ ବୋଲିଂ ଅଭ୍ୟାସ କରୁଛନ୍ତି ।  ଏନ୍‌ସିଏ ପକ୍ଷରୁ ତାଙ୍କ କାର୍ଯ୍ୟଭାର ବୃଦ୍ଧି  କରାଯାଇଛି । ସେ ଖୁବ୍‌ ଶୀଘ୍ର ମୁମ୍ବାଇ  ଇଣ୍ଡିଆନ୍ସ ଦଳରେ ଯୋଗ ଦେବାର ସମ୍ଭାବନା ରହିଥିବା ଅଧିନାୟକ  ହାର୍ଦ୍ଦିକ ପାଣ୍ଡ୍ୟା ପ୍ରକାଶ କରିଛନ୍ତି । 

ବୁମରା ସିଡନୀରେ ଅନୁଷ୍ଠିତ ପଞ୍ଚମ  ଟେଷ୍ଟରେ ଆହତ ହୋଇଥିଲେ । ବୋଲିଂ  ବେଳେ ପିଠିରେ ଯନ୍ତ୍ରଣା ଅନୁଭବ  କରିଥିଲେ । ସ୍ୱଦେଶ ଫେରିବା ପରଠୁ  ଏନ୍‌ସିଏରେ ସେ ଚିକିତ୍ସାଧୀନ ଥିଲେ ।  ଆଗାମୀ କିଛି ଦିନ ମଧ୍ୟରେ ସେ ଅନ୍ତିମ  ପର୍ଯ୍ୟାୟ ଫିଟ୍‌ନେସ୍‌ ପରୀକ୍ଷା ଦେବେ । ଏନ୍‌ସିଏ ପକ୍ଷରୁ ଫିଟ୍‌ନେସ୍‌ ପ୍ରମାଣ ପତ୍ର  ପ୍ରଦାନ କରାଯିବା ପରେ ବୁମରା ମୁମ୍ବାଇ  ଇଣ୍ଡିଆନ୍ସ ଦଳରେ ଯୋଗ ଦେଇ ପାରିବେ । ଆସନ୍ତା ଜୁନ୍‌ରେ ଭାରତୀୟ ଦଳ  ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା  ପାଇଁ ଇଂଲଣ୍ଡ ଯାତ୍ରା କରିବ । ଏହି ସିରିଜ  ଜରିଆରେ ଭାରତ ଓ ଇଂଲଣ୍ଡ ୨୦୨୫/୨୭  ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଅଭିଯାନ  ଆରମ୍ଭ କରିବେ । ଏହି ସିରିଜରେ  ବୁମରା ଭାରତୀୟ ଦଳର ମୁଖ୍ୟ ଅସ୍ତ୍ର  ହେବେ । ତେଣୁ ଆଇପିଏଲ୍‌ରେ  ମଧ୍ୟ ବୁମରାଙ୍କ କାର୍ଯ୍ୟଭାରକୁ  ନିୟନ୍ତ୍ରଣ କରାଯିବ । 

ସୂଚନାଯୋଗ୍ୟ,  ୨୦୦୭ ପରଠୁ ଇଂଲଣ୍ଡରେ ଭାରତ  କୌଣସି ଟେଷ୍ଟ ସିରିଜ ଜିତି ନାହିଁ ।

IPL 2025: ସିଏସ୍‌କେର ବଡ଼ ନିଷ୍ପତ୍ତି, ପୁଣି ଦଳର ନେତୃତ୍ବ ନେଇପାରନ୍ତି ଏମଏସ୍‌ ଧୋନୀ