ଦୁବାଇ,୦୯/୦୧: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାରେ ବହୁ ପରିବର୍ତ୍ତନ ହୋଇଛି । ଯଶପ୍ରୀତ ବୁମରା  ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ତାଙ୍କ  ରେଟିଂ ପଏଣ୍ଟ ୯୦୮କୁ ବୃଦ୍ଧି ପାଇଛି । ଅଷ୍ଟ୍ରେଲିଆର ପ୍ୟାଟ୍‌  କମିନ୍ସ ଦ୍ୱିତୀୟ ଓ ଦକ୍ଷିଣ  ଆଫ୍ରିକାର କାଗିସୋ ରାବାଡ଼ା  ତୃତୀୟକୁ ଉନ୍ନୀତ ହୋଇଛନ୍ତି । ସେହିପରି ବ୍ୟାଟିଂ ବିଭାଗରେ  ରିଷଭ ପନ୍ତ ପୁନର୍ବାର ଶ୍ରେଷ୍ଠ  ୧୦ରେ ପ୍ରବେଶ କରିଛନ୍ତି। 

ଦୁଇ ଇଂଲଣ୍ଡ ବ୍ୟାଟର  ଜୋ ରୁଟ୍‌ ଓ ହ୍ୟାରୀ ବ୍ରୁକ୍‌  ବ୍ୟାଟିଂ ମାନ୍ୟତାର ପ୍ରଥମ  ୨ଟି ସ୍ଥାନ, କେନ ୱିଲିୟମସନ  ତୃତୀୟ, ଯଶସ୍ୱୀ ଜୈସ୍ୱାଲ ଚତୁର୍ଥ ଓ ଟ୍ରେଭିସ୍‌ ହେଡ୍‌ ପଞ୍ଚମ  ସ୍ଥାନ ବଜାୟ ରଖିଛନ୍ତି । ତେମ୍ବା ବଭୁମାଙ୍କ ମାନ୍ୟତାରେ  ୩ଟି ସ୍ଥାନ ଉନ୍ନତି ହୋଇଛି ଓ ସେ ଷଷ୍ଠ ସ୍ଥାନ ଦଖଲ  କରିଛନ୍ତି । ସେହିପରି ପନ୍ତଙ୍କ ମାନ୍ୟତାରେ ୩ଟି ସ୍ଥାନ  ଉନ୍ନତି ହୋଇଛି ଓ ସେ ନବମ ସ୍ଥାନ ଦଖଲ କରିଛନ୍ତି । ବୋଲିଂରେ କମିନ୍ସ ଓ ରାବାଡା ଗୋଟିଏ ଲେଖାଏଁ ସ୍ଥାନ  ଉପରକୁ ଉଠିଛନ୍ତି । ଅନ୍ୟ ଭାରତୀୟ ରବିନ୍ଦ୍ର ଜାଡେଜା  ଗୋଟିଏ ସପ୍ତାହ ପରେ ପୁନର୍ବାର ନବମ ସ୍ଥାନକୁ ଫେରିଛନ୍ତି ।  

ଅଷ୍ଟ୍ରେଲିଆର ସ୍କଟ ବୋଲାଣ୍ଡଙ୍କ ମାନ୍ୟତାରେ ୨୯ଟି ସ୍ଥାନ  ଉନ୍ନତି ହୋଇଛି ଓ ସେ ଲମ୍ବା ଲମ୍ଫ ମାରି ମାନ୍ୟତା ତାଲିକାର  ଦଶମ ସ୍ଥାନ ଦଖଲ କରିଛନ୍ତି । ସିଡନୀ ଟେଷ୍ଟରେ ସେ ୧୦ଟି  ୱିକେଟ୍‌ ନେଇଥିଲେ । ବର୍ଡର-ଗାଭସ୍କର ଟ୍ରଫିରେ ସେ ୩ଟି  ଟେଷ୍ଟ ଖେଳି ମୋଟ୍‌ ୨୧ଟି ୱିକେଟ୍‌ ଅକ୍ତିଆର କରିଥିଲେ ।