କଣାସ, ୦୯/୦୧ : କଣାସ ବ୍ଲକରେ ଜଣ୍ଡିସ୍ ଆତଙ୍କ। ଦୋକନ୍ଦା ପଞ୍ଚାୟତ ନୁଆଦୋକନ୍ଦା ଗ୍ରାମରେ ପାନୀୟ ଜଳ ଯୋଗୁ ବ୍ୟାପିଛି ଜଣ୍ଡିସ୍ ରୋଗ। ଗାଁରେ ୧୫ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ବିଶେଷ କରି ଶିଶୁମାନେ ବେଶୀ ଆକ୍ରାନ୍ତ ହେଉଛନ୍ତି। କିଛି ଦିନ ତଳେ ବିମ୍ବାଧର ବେହେରା ନାମକ ଜଣେ ବ୍ୟକ୍ତିଙ୍କର ଜଣ୍ଡିସରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ଦୟା ନଦୀ ଜଳ ବିଷାକ୍ତ ହେବା ଜଣ୍ଡିସ୍ ରୋଗର ମୂଳ କାରଣ ବୋଲି କୁହାଯାଉଛି। ଲୋକ ନଦୀର ଦୂଷିତ ଜଳକୁ ପିଇ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗତବର୍ଷ ବିଷାକ୍ତ ନଦୀ ଜଳ ଯୋଗୁ କଣାସରେ ହଇଜା ବ୍ୟାପି ୧୦ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ମେଗା ପାନୀୟ ଜଳ ଯୋଗାଣ ପାଇଁ ପାଇପ୍ ପଡ଼ିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଲୋକମାନଙ୍କୁ ପିଇବା ପାଣି ଯୋଗାଣ ହୋଇପାରି ନାହିଁ। ବିଷାକ୍ତ ନଦୀ ଜଳକୁ ଲୋକେ ବ୍ୟବହାର କରୁଛନ୍ତି। ଜଣ୍ଡିସ୍ ଓ ହଇଜା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଜଣ୍ଡିସ୍ ରୋଗ ଯୋଗୁ ଗାଁରେ କୋକୁଆ ଭୟ ଖେଳି ଯାଇଛି । ପିଇବା ପାଣି ଯୋଗାଣ ପାଇଁ ଲୋକ ଦାବି କରିଛନ୍ତି । ଅନ୍ୟଥା ସେମାନେ ଗାଁରେ ନେତା ଅଫିସରଙ୍କୁ ପୁରାଇ ଦେବେନି ବୋଲି କହିଛନ୍ତି। ଖୁବ୍ ଶୀଘ୍ର ପାନୀୟ ଜଳ ଯୋଗାଣ ସହ ଜଣ୍ଡିସ୍ ଓ ହାଇଜାର ପ୍ରତିକାର ନକଲେ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ କହିଛନ୍ତି।

ଏହି ଖବରଟିକୁ ପଢନ୍ତୁ- ଓଡ଼ିଶାରେ ପ୍ରଥମ ଓ ଦୃଷ୍ଟାନ୍ତମୂଳକ ରାୟ, ଅପମିଶ୍ରିତ କଫ୍ ସିରପ୍ ବ୍ୟବସାୟୀଙ୍କୁ ଆଜୀବନ କାରାଦଣ୍ଡ